ଆଇପିଏଲ୍ ୨୦୨୩; କୋଲକାତାକୁ ୭ ୱିକେଟରେ ହରାଇଲା ଗୁଜରାଟ

ନୂଆଦିଲ୍ଲୀ: ଆଇପିଏଲ୍ ୨୦୨୩ରେ ଶନିବାର କୋଲକାତା ନାଇଟ୍ ରାଇଡର୍ସକୁ ୭ ୱିକେଟରେ ପରାଜିତ କରିଛି ଗୁଜରାଟ ଟାଇଟନ୍ସ । ଏହି ବିଜୟ ସହ ପଏଣ୍ଟ ଟେବୁଲର ଶୀର୍ଷରେ ପହଞ୍ଚିଛି ଗୁଜରାଟ । କେକେଆର୍ ପ୍ରଥମେ ବ୍ୟାଟିଂ କରି ୧୮୦ ରନର ଲକ୍ଷ୍ୟ ଦେଇଥିଲା । ଏହି ବିଜୟ ଲକ୍ଷ୍ୟକୁ ଗୁଜରାଟ ୧୭.୫ ଓଭରରେ ହାସଲ କରିନେଇଛନ୍ତି । ବିଜୟ ଶଙ୍କର (୨୪ ବଲରେ ୫୧ ରନ୍) ଏବଂ ଡେଭିଡ ମିଲର (୧୮ ବଲରେ ୩୨ରନ୍) ବିସ୍ଫୋରକ ବ୍ୟାଟିଂ କରିଥିଲେ । ଉଭୟ ଚତୁର୍ଥ ୱିକେଟ୍ ପାଇଁ ୮୭ ରନର ଅତୁଟ ପାର୍ଟନରସିପ୍ କରିଥିଲେ । ଏମାନଙ୍କ ବ୍ୟତୀତ ଓପନର ଶୁଭମନ ଗିଲ୍ ୩୫ଟି ବଲରେ ୪୯ରନର ଇନିଂସ ଖେଳିଥିଲେ ।

ଏହି ବିଜୟ ସହ ଗୁଜରାଟ ଚଳିତ ସିଜିନରେ କେକେଆର୍ ଠାରୁ ୮୧ ରନରେ ମିଳିଥିବା ପରାଜୟର ବଦଲା ନେଇଛି । ୧୮୦ ରନର ବିଜୟ ଲକ୍ଷ୍ୟକୁ ପିଛା କରି ଗୁଜରାଟ ଭଲ ଆରମ୍ଭ କରିଥିଲା । ଗିଲ୍ ଏବଂ ଋଦ୍ଧିମାନ ଶାହା (୧୦ ବଲରେ ୧୦ ରନ୍) ପ୍ରଥମ ୱିକେଟ୍ ପାଇଁ ୪୧ରନର ପାର୍ଟନସିପ୍ କରିଥିଲେ । ଶାହା ପଞ୍ଚମ ଓଭରରେ ଆନ୍ଦ୍ରେ ରସେଲଙ୍କ ଶିକାର ହୋଇଥିଲେ । ଗିଲ୍ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା (୨୦ ବଲରେ ୨୬ରନ୍) ସାଙ୍ଗରେ ଦ୍ୱିତୀୟ ୱିକେଟ୍ ପାଇଁ ୫୦ ରନ୍ ଯୋଡ଼ିଥିଲେ । ହାର୍ଦ୍ଦିକଙ୍କୁ ୧୧ତମ ଓଭରରେ ହର୍ଷିତ ରାଣା ନିଜ ଜାଲରେ ଫସାଇଥିଲେ ।

ସେହିପରି ଗିଲଙ୍କୁ ସୁନୀଲ ନାରିନ ୧୨ତମ ଓଭରରେ ପାଭେଲିଅନ ପଠାଇଥିଲେ । ଦଳର ମୋଟ ୯୩ ରନରେ ୩ଟି ୱିକେଟ୍ ପତନ ପରେ ଶଙ୍କର ଏବଂ ମିଲର ଦଳୀୟ ସ୍ଥିତି ସମ୍ଭାଳିଥିଲେ ଏବଂ ଦଳକୁ ବିଜୟୀ କରାଇଥିଲେ । ଗୁଜରାଟକୁ ଶେଷ ୫ ଓଭରରେ ୫୧ରନର ଆବଶ୍ୟକ ଥିଲା କିନ୍ତୁ ଉଭୟ ମ୍ୟାଚକୁ ୧୩ଟି ବଲ୍ ଥାଇ ସମାପ୍ତ କରିଥିଲେ । ବରୁଣ ଚକ୍ରବର୍ତ୍ତୀ ୧୭ତମ ଓଭରରେ ୨୪ ରନ୍ ବ୍ୟୟ କରିଥିଲେ । ଏହା ପୂର୍ବରୁ କୋଲକାତା ନିର୍ଦ୍ଧାରିତ ୨୦ ଓଭରରେ ୭ ୱିକେଟ୍ ବିନିମୟରେ ୧୭୯ ରନ୍ କରିଥିଲା । ଟସ୍ ହାରି ବ୍ୟାଟିଂ ପାଇଁ କ୍ରିଜକୁ ଓହ୍ଲାଇଥିବା କେକେଆରର ଆରମ୍ଭ କିଛି କାସ୍ ରହିନଥିଲା ।

ଓପନର ବ୍ୟାଟର ଏନ ଜଗଦୀଶନ (୧୯ ରନ୍) ତୃତୀୟ ଓଭରରେ ଆଉଟ୍ ହୋଇଯାଇଥିଲେ । ଏହାପରେ ରହମାନୁଲ୍ଲାହ ଗୁରଜାବ (୮୧ରନ୍) ଗୋଟିଏ ପଟ ମଜବୁତର ସହ ସମ୍ଭାଳିଥିଲେ । ସେ ଶାର୍ଦୁଲ ଠାକୁର (0ରନ୍) ସହ ଦ୍ୱିତୀୟ ୱିକେଟ୍ ପାଇଁ ୨୪ ଏବଂ ଭେଙ୍କଟେଶ ଆୟର (୧୧ରନ୍) ସାଙ୍ଗରେ ତୃତୀୟ ୱିକେଟ୍ ପାଇଁ ୩୭ ରନ୍ ଯୋଡ଼ିଥିଲେ । ଅଧିନାୟକ ନୀତିଶ ରାଣା (୪ରନ୍) ଭଲ ପ୍ରଦର୍ଶନ କରିପାରିନଥିଲେ ।

ଗୁରବାଜ ରିଙ୍କୁ ସିଂଙ୍କ (2୦ ବଲ୍ ୧୯ ରନ୍) ସାଙ୍ଗରେ ପଞ୍ଚମ ୱିକେଟ୍ ପାଇଁ ୪୭ ରନର ପାର୍ଟନରସିପ୍ କରିଥିଲେ । ଗୁରବାଜ ୧୬ତମ ୱିକେଟ୍ ଏବଂ ରିଙ୍କୁ ୧୮ତମ ଓଭରରେ ପାଭେଲିଅନ୍ ଫେରିଯାଇଥିଲେ । ଆନ୍ଦ୍ରେ ରସେଲ ୧୯ଟି ବଲରେ ୩୪ ରନ୍ କରିଥିଲେ । ଇନିଂସର ଶେଷ ବଲରେ ଆଉଟ୍ ହୋଇଯାଇଥିଲେ ରସେଲ୍ । ଗୁଜରାଟ ପକ୍ଷରୁ ମହମ୍ମଦ ସାମି ତିନୋଟି ୱିକେଟ୍ ଅକ୍ତିଆର କରିଥିଲେ । ଜୋସୁୟା ଲିଟି ଏବଂ ନୁର ଅହମଦ ଦୁଇଟି ଲେଖାଏଁ ୱିକେଟ୍ ଅକ୍ତିଆର କରିଥିଲେ ।