IPL 2023: ଦିଲ୍ଲୀ ଆଗରେ ୨୨୪ ରନର ଟାର୍ଗେଟ ରଖିଲା ଚେନ୍ନାଇ ସୁପର କିଙ୍ଗସ୍

ନୂଆଦିଲ୍ଲୀ: ଆଇପିଏଲ ୨୦୨୩ରେ ଶନିବାର ଦିଲ୍ଲୀ କ୍ୟାପିଟାଲ୍ସ (ଡିସି) ଏବଂ ଚେନ୍ନାଇ ସୁପର କିଙ୍ଗସ (ସିଏସକେ) ମଧ୍ୟରେ ମ୍ୟାଚ୍ ଚାଲିଛି । ପ୍ରଥମେ ବ୍ୟାଟିଂ କରି ସିଏସକେ ଦଲ୍ଲୀ ସମ୍ମୁଖରେ ୨୨୪ ରନର ଲକ୍ଷ୍ୟ ରଖିଛି । ଋତୁରାଜ ଗାୟକ୍ୱାଡ ଏବଂ ଦେଭୋନ କନୱେଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ଦଳ ମାତ୍ର ୩ୱିକେଟ୍ ବିନିମୟରେ ୨୨୩ ରନର ବିରାଟ ସ୍କୋର କରିଛି । ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଏହି ମ୍ୟାଚ୍ ଖେଳାଯାଉଛି । ଉଭୟ ଦଳ ନିଜର ଶେଷ ଲିଗ୍ ମ୍ୟାଚ୍ ଖେଳୁଛନ୍ତି ।

ଦିଲ୍ଲୀ ପ୍ଲେ ଅଫ ଦୌଡ଼ରୁ ଏଲିମିନେଟ୍ ହୋଇସାରିଛି । ଆଜି ସମ୍ମାନ ପାଇଁ ଖେଳୁଛି । ସେହିପରି ଚେନ୍ନାଇ ପ୍ଲେ ଅଫ୍ ଖେଳିବା ପାଇଁ ସ୍ଥିତି ଦୃଢ଼ କରିବାକୁ ଚାହୁଁଛି । ଚେନ୍ନାଇ ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା । ଚେନ୍ନାଇ ଦଳରେ କୌଣସି ପ୍ରକାର ପରିବର୍ତ୍ତନ କରାଯାଇନାହିଁ । ସେହିପରି ଦିଲ୍ଲୀ ଦୁଇଟି ପରବର୍ତ୍ତନ କରିଛି । ଲଲିତ ଯାଦବ ଏବଂ ଚେତନ ସକାରିୟାଙ୍କୁ ଆଜିର ମ୍ୟାଚରେ ଅବସର ଦିଆଯାଇଛି । ସିଏସକେ ପକ୍ଷରୁ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍ ଋତୁରାଜ ଗାୟକ୍ୱାଡ ଏବଂ ଦେଭୋନ କନୱେ କ୍ରୀଜକୁ ଓହ୍ଲାଇଥିଲେ ।

ଉଭୟ ପ୍ରଥମ ୱିକେଟ୍ ପାଇଁ ୧୪୧ ରନର ପାର୍ଟନରସିପ୍ କରିଥିଲେ । ଋତୁରାଜ ଗାୟକ୍ୱାଡ ୫୦ ଟି ବଲରେ ୭୯ ରନ୍ ସଂଗ୍ରହ କରିଥିଲେ । ସେହିପରି ଦେଭୋନ କନୱେ ୫୨ ଟି ବଲ୍ ଖେଳି ୮୭ ରନ୍ ସଂଗ୍ରହ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଶିଭମ ଦୁବେ ୯ ଟି ବଲରେ ୨୨ ରନ୍ କରିଥିଲେ । ଇନିଂସ ଶେଷ ବେଳକୁ ଅଧିନାୟକ ଧୋନୀ ୪ ଟି ବଲରେ ୫ ରନ୍ ଏବଂ ରବୀନ୍ଦ୍ର ଜାଡେଜା ୭ଟି ବଲରେ ୨୦ ରନ୍ କରି ଅପରାଜିତ ରହିଥିଲେ । ଦିଲ୍ଲୀ ପକ୍ଷରୁ ଖଲୀଲ ଅହମ୍ମଦ, ନର୍ଟଜେ ଏବଂ ଚେତନ ସକାରିୟା ଗୋଟିଏ ଲେଖାଏଁ ୱିକେଟ୍ ହାସଲ କରିଥିଲେ ।

ଡିସି ଏବଂ ସିଏସକେ ଦ୍ୱିତୀୟଥର ପାଇଁ ସାମ୍ନା ସାମ୍ନି ହୋଇଛନ୍ତି । ଏହା ପୂର୍ବରୁ ୧୦ ମଇରେ ଡିସିକୁ ୨୭ ରନରେ ପରାଜିତ କରିଥିଲା ସିଏସକେ । ଆଜି ଚେନ୍ନାଇ ଯଦି ବିଜୟୀ ହୁଏ ତେବେ ପ୍ଲେଅଫରେ ପହଞ୍ଚିଯିବ । ଯଦି ପରାଜିତ ହୁଏ ତେବେ ପଏଣ୍ଟ ଟେବୁଲରେ ସିଏସକେ ତଳକୁ ଥିବା ଟିମ ଗୁଡ଼ିକର ପରାଜୟ ପାଇଁ ଠାକୁରଙ୍କୁ ଡାକିବାକୁ ପଡ଼ିବ । ସିଏସକି ୧୩ ଟି ମ୍ୟାଚରୁ ୭ ବିଜୟ ସହ ୧୫ ଅଙ୍କ ସହ ଅଙ୍କ ତାଲିକାର ଦ୍ୱିତୀୟ ସ୍ଥାନରେ ରହିଛି । ସେହିପରି ଦିଲ୍ଲୀ ୧୩ ଟି ମ୍ୟାଚରୁ ୫ ବିଜୟ ସହ ୧୦ ଅଙ୍କ ସହ ଅଙ୍କ ତାଲିକାର ନବମ ସ୍ଥାନରେ ରହିଛି ।