IPL2023: ଦିଲ୍ଲୀକୁ ହରାଇ ପ୍ଲେଅଫରେ ପ୍ରବେଶ କଲା ଚେନ୍ନାଇ ସୁପରକିଙ୍ଗସ

ନୂଆଦିଲ୍ଲୀ: ଆଇପିଏଲ ୨୦୨୩ର ୬୭ତମ ଲିଗ୍ ମ୍ୟାଚରେ ଚେନ୍ନାଇ ସୁପରକିଙ୍ଗସ ଦିଲ୍ଲୀ କ୍ୟାପିଟାଲ୍ସକୁ ହରାଇଛି । ଏହି ବିଜୟ ସହ ଚେନ୍ନାଇ ସୁପରକିଙ୍ଗସ ଚଳିତ ସିଜିନର ପ୍ଲେଅଫ୍ ପାଇଁ କ୍ୱାଲିଫାଏ କରିଛି । ଚେନ୍ନାଇ ଦିଲ୍ଲୀ କ୍ୟାପିଟାଲ୍ସକୁ ୭୭ ରନରେ ପରାଜିତ କରିଛି । ଏହି ବିଜୟ ପରେ ଚେନ୍ନାଇ ସୁପରକିଙ୍ଗସର ୧୭ ପଏଣ୍ଟ ହୋଇଯାଇଛି ଏବଂ ଦଳ ଅଙ୍କ ତାଲିକାର ଦ୍ୱିତୀୟ ସ୍ଥାନରେ ରହିଛି । ଯଦି ଲିଗ୍ ସିଜିନ ସରିବା ପର୍ଯ୍ୟନ୍ତ ଦଳ ଏହି ସ୍ଥାନରେ ରହେ ତେବେ ଫାଇନାଲରେ ପହଞ୍ଚିବା ପାଇଁ ତାକୁ ଦୁଇଟି ଚାନ୍ସ ମିଳିବ ।

ଲକ୍ଷ୍ନୌକୁ ମଧ୍ୟ ୧୭ ପଏଣ୍ଟ ମିଳିପାରେ । ହେଲେ ଲକ୍ଷ୍ନୌକୁ ନେଟ୍ ରନ ରେଟ ହିସାବରେ ଚେନ୍ନାଇଠୁ ଆଗକୁ ଯିବାକୁ ହେଲେ ବଡ଼ ବ୍ୟବଧାନରେ କେକେଆରକୁ ହରାଇବାକୁ ହେବ । ଆଇପିଏଲ ୨୦୨୩ର ୬୮ତମ ମ୍ୟାଚ୍ କେକେଆର୍ ଏବଂ ଲକ୍ଷ୍ନୌ ମଧ୍ୟରେ ଖେଳାଯାଉଛି । ଲକ୍ଷ୍ନୌକୁ ଦ୍ୱିତୀୟ ସ୍ଥାନରେ ପହଞ୍ଚିବାକୁ ହେଲେ ୯୭ ରନରେ କେକେଆରକୁ ହରାଇବାକୁ ହେବ । ତେବେ ଆଜିର ମ୍ୟାଚର୍ ଲକ୍ଷ୍ନୌ ପ୍ରଥମେ ବ୍ୟାଟିଂ କରୁଛି । ଦିଲ୍ଲୀ ବନାମ ସିଏସକେ ମ୍ୟାଚ୍ କଥା କହିବାକୁ ଗଲେ ଅଧିନାୟକ ଧୋନି ଆଜି ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ ।

ଦଳ ପ୍ରଥମେ ବ୍ୟାଟିଂ କରି ୩ ୱିକେଟ୍ ହରାଇ ୨୨୩ ରନ୍ ସଂଗ୍ରହ କରିଥିଲା । ଡେଭୋନ କନୱେ ୮୭ ରନ୍ ଏବଂ ଋତୁରାଜ ଗାୟତକ୍ୱାଡ ୭୯ ରନ୍ କରିଥିଲେ । ୨୨୪ ରନର ପିଛା କରି ଦିଲ୍ଲୀ କ୍ୟାପିଟାଲ୍ସର ବ୍ୟାଟ୍ସମ୍ୟାନମାନେ ଭଲ ଆରମ୍ଭ କରିନଥିଲେ । ୯ଟି ୱିକେଟ୍ ହରାଇ ଦଳ ନିର୍ଦ୍ଧାରିତ ୨୦ ଓଭରରେ ୧୪୬ ରନ୍ ହିଁ କରିପାରିଥିଲା । ମ୍ୟାଚଟିକୁ ଚେନ୍ନାଇ ୭୭ ରନରେ ଜିତିନେଇଛି । ଆଜି ଅଧିନାୟକ ଡେଭିଡ ୱାର୍ଣ୍ଣର ୮୬ରନର ବିସ୍ଫୋରକ ଇନିଂସ ଖେଳିଥିଲେ ହେଲେ ତାଙ୍କର ଏହି ଇନିଂସ ବ୍ୟର୍ଥ ଯାଇଥିଲା ।