IPL ନିଲାମୀ: ସାମଙ୍କ ଦାମ ସର୍ବାଧିକ, ଜାଣନ୍ତୁ କାହାର ଦାମ୍ କେତେ ?

1 min read

ନନ୍ଦିଘୋଷ ବ୍ୟୁରୋ: IPL ପାଇଁ ଆରମ୍ଭ ହୋଇଛି ନିଲାମ ପକ୍ରିୟା  ।  ଆଇପିଏଲରେ ନୂଆ ରେକର୍ଡ କରିଛନ୍ତି ଇଂଲଣ୍ଡର କ୍ରିକେଟର ସାମ କୁରାନ । ଚଳିତ ନିଲାମ ପକ୍ରିୟାରେ ସର୍ବାଧିକ ଦାମରେ ନିଲାମ ହୋଇଛନ୍ତି ସାମ କୁରାନ୍  ।   ୧୮.୫୦ କୋଟି ଟଙ୍କାରେ ସାମ୍ କୁରାନଙ୍କୁ ଦଳରେ ସାମିଲ କରିଛି ପଞ୍ଜାବ କିଙ୍ଗସ । ସେହିପରି  ଇଂଲଣ୍ଡର ଖେଳାଳୀ ହ୍ୟାରୀ ବ୍ରୁକଙ୍କୁ ୧୩.୨୫ କୋଟି ଟଙ୍କାରେ କିଣିଛି ସନରାଇଜର୍ସ ହାଇଦ୍ରାବାଦ । ହ୍ୟାରୀଙ୍କର ବେସ୍ ପ୍ରାଇସ ୧.୫ କୋଟି ଥିବା ବେଳେ ପ୍ରଥମେ ରାଜସ୍ଥାନ ଓ ବାଙ୍ଗାଲୋର ମଧ୍ୟରେ ଲଢେଇ ଦେଖିବାକୁ ମିଳିଥିଲା । କିନ୍ତୁ ଶେଷରେ ହାଇଦ୍ରାବାଦ ଏହି ରେସରେ ସାମିଲ ହେବା ସହ ହ୍ୟାରୀଙ୍କୁ ଦଳରେ ସାମିଲ କରିଥିଲା ।

ସେହିଭଳି ଭାରତୀୟ କ୍ରିକେଟର ମୟଙ୍କ ଅଗ୍ରୱାଲଙ୍କୁ ମଧ୍ୟ ୮.୨୫ କୋଟି ଟଙ୍କାରେ କିଣିଛି ହାଇଦ୍ରାବାଦ ।  ମିନି ନିଲାମୀରେ ଇଂଲଣ୍ଡ କ୍ରିକେଟରଙ୍କ ଉପରେ ଟଙ୍କା ବର୍ଷା ହୋଇଛି । ହ୍ୟାରୀ ବ୍ରୁକ୍, ସାମ କୁରାନଙ୍କ ପରେ ବେନ ଷ୍ଟୋକ୍ସଙ୍କ ଚାହିଦା ଆକାଶଛୁଆଁ ହୋଇଛି ।  ବେନ ଷ୍ଟୋକ୍ସଙ୍କୁ ୧୬.୨୫ କୋଟି ଟଙ୍କାରେ କିଣିଛି ଚେନ୍ନାଇ ସୁପର କିଙ୍ଗସ । ଅନ୍ୟପଟେ ଅଷ୍ଟ୍ରେଲୀୟ ବ୍ୟାଟର କ୍ୟାମେରନ ଗ୍ରୀନଙ୍କୁ ୧୭.୫୦ କୋଟି ଟଙ୍କାରେ ମୁମ୍ବାଇ ଇଣ୍ଡିଆନ୍ସ ନିଜ ଟିମରେ ସାମିଲ କରିଛି ।

କାରବିଆନ ଅଲରାଉଣ୍ଡର ଜେସନ ହୋଲଡରଙ୍କୁ ୫.୭୫ କୋଟି ଟଙ୍କାରେ ରାଜସ୍ଥାନ ରୟାଲ୍ସ କିଣିଥିବା ବେଳେ ସିକନ୍ଦର ରାଜାଙ୍କୁ ୫୦ ଲକ୍ଷରେ ପଞ୍ଜାବ ନିଜ ପଲଟନରେ ସାମିଲ କରିଛି । ଏହାବାଦ୍ ଓଡେନ ସ୍ମିଥଙ୍କୁ ୫୦ ଲକ୍ଷ ଟଙ୍କାରେ ଗୁଜରାଟ କିଣିଥିବା ବେଳେ ସାକିବ ଅଲ ହାସନଙ୍କୁ କୌଣସି ଫ୍ରାଞ୍ଚାଇଜ କିଣିନାହାନ୍ତି ।  କେନ୍ ୱିଲିୟମସନଙ୍କୁ ବେସ୍ ପ୍ରାଇସ୍ ୨ କୋଟି ଟଙ୍କାରେ କିଣିଛି ଗୁଜୁରାଟ ଟାଇଟନ୍ସ ।  ରାହାଣେଙ୍କୁ ୫୦ ଲକ୍ଷ ଟଙ୍କାରେ କିଣିଛି ଚେନ୍ନାଇ ସୁପର କିଙ୍ଗସ । ଯଦି ବା ନିଲାମୀ ଆରମ୍ଭରୁ ପଞ୍ଜାବ କିଙ୍ଗସ ଆଗ୍ରହ ପ୍ରକାଶ କରିଥିଲା, ଶେଷ ପର୍ଯ୍ୟନ୍ତ ସାମ କୁରାନଙ୍କୁ କିଣିବାକୁ ବିଭିନ୍ନ ଫ୍ରାଞ୍ଚାଇଜ ମଧ୍ୟରେ ପ୍ରତିଯୋଗିତା ଚାଲିଥିଲେ ମଧ୍ୟ ପଞ୍ଜାବ ସାମ କୁରାନଙ୍କୁ କିଣିବାରେ ସଫଳ ହୋଇଛି  ।