ନୂଆଦିଲ୍ଲୀ: ଆଜି ଆଇପିଏଲ୍-୧୪ ପାଇଁ ଆରମ୍ଭ ହେବ ଖେଳାଳି ନିଲମ ପ୍ରକ୍ରିୟା । ବିକ୍ରି ହେବେ ଖେଳାଳି । ଫ୍ରାଞ୍ଚାଇଜମାନେ ନିଜ ମନମୁତାବକ ଖେଳାଳି ଦଳ ପାଇଁ କିଣିବେ। ଚେନ୍ନାଇର ଏକ ହୋଟେଲରେ ଅପରାହ୍ନ ୩ଟାରୁ ଆରମ୍ଭ ହେବ ମିନି ଅକ୍ସନ । ଏହି ନିଲାମିରେ ୨୯୨ ଜଣ ଖେଳାଳି ଭାଗ ନେବେ । ଅକ୍ସନ ପାଇଁ ୧୧ଶହ ଖେଳାଳି ନାଁ ରେଜିଷ୍ଟ୍ରେଶନ କରିଥିଲେ ବି ୨୯୨ ଜଣଙ୍କୁ ସାମିଲ କରାଯାଇଛି । ଯେଉଁଥିରେ ୧୬୪ ଜଣ ଭାରତୀୟ ଓ ୧୨୫ ଜଣ ବିଦେଶୀ ଖେଳାଳି ସାମିଲ ଅଛନ୍ତି।
ନିଲାମ ପାଇଁ ବିସିସିଆଇ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ବୋର୍ଡ ପକ୍ଷରୁ କିଛି ଅନ୍ତର୍ଜାତୀୟ ଖେଳାଳିଙ୍କର ବେସ ପ୍ରାଇସକୁ ୫ଟି ବର୍ଗରେ ନିର୍ଦ୍ଧାରଣ କରାଯାଇଛି । ଯଥା- ୨ କୋଟି, ୧.୫ କୋଟି, ୧ କୋଟି, ୭୫ ଲକ୍ଷ ଓ ୫୦ ଲକ୍ଷ । ସ୍ମିଥ୍ଙ୍କ ସମେତ ୯ଜଣ ଖେଳାଳିଙ୍କ ବେସ୍ ପ୍ରାଇସ୍ ୨ କୋଟି ରହିଛି । ସେହିଭଳି ଦେଢ଼ କୋଟିରୁ ଅଧିକ ବେସ୍ ପ୍ରାଇସ୍ ରହିଥିବା ୧୨ ଖେଳାଳିଙ୍କୁ ଏବଂ ୧ କୋଟି ବେସ୍ ପ୍ରାଇସ୍ ଥିବା ୧୧ ଖେଳାଳିଙ୍କୁ ଅକ୍ସନରେ ସାମିଲ କରାଯାଇଛି। ଏହି ନିଲାମି ପାଇଁ କିଙ୍ଗ୍ସ ଏକାଦଶ ପଞ୍ଜାବ ପାଖରେ ହିଁ ସର୍ବାଧିକ ୫୩.୨୦ କୋଟି ଟଙ୍କା ରହିଛି। ନିଲାମୀରେ ଏଥର ଓଡ଼ିଶାରୁ ଗୋବିନ୍ଦ ପୋଦ୍ଦାର ଓ ଶୁଭ୍ରାଂଶୁ ସେନାପତି ସାମିଲ ହୋଇଛନ୍ତି । ଉଭୟଙ୍କ ବେସ୍ ପ୍ରାଇସ୍ ୨୦ ଲକ୍ଷ ଟଙ୍କା ରହିଛି।
୮ଟି ଯାକ ଟିମ୍ ପାଇଁ ସର୍ବାଧିକ ୬୧ ଜଣଙ୍କୁ କିଣିପାରିବେ ଫ୍ରାଞ୍ଚାଇଜ୍ ମାଲିକ। ଏହି ଅକ୍ସନରେ ଷ୍ଟିଭ ସ୍ମିଥ, ଗ୍ଲେନ ମ୍ୟାକ୍ସୱେଲ, ଆରୋନ ଫିଞ୍ଚ, ଡାଭିଡ ମଲନା, ସଚିନ ତେନ୍ଦୁଲକରଙ୍କ ପୁଅ ଅର୍ଜୁନ ତେନ୍ଦୁଲକର ଓ କେଦାର ଯାଦବଙ୍କ ଭଳି ଖେଳାଳିଙ୍କ ଉପରେ ସମସ୍ତଙ୍କ ନଜର ରହିଛି। ଇଣ୍ଡିଆନ କ୍ରିକେଟ ଟିମ୍ର ପୂର୍ବତନ ଅଧିନାୟକ ଏମ୍ ଏସ୍ ଧୋନି ଓ ନ୍ୟୁଜିଲାଣ୍ଡର ପୂର୍ବତନ ଅଧିନାୟକ ଷ୍ଟିଫେନ୍ ଫ୍ଲେମିଙ୍ଗ ଭର୍ଚୁଆଲି ଏହି ଅକ୍ସନରେ ସାମିଲ ହେବେ।

