ସମଲେଇ ପ୍ରକଳ୍ପ ଲୋକାର୍ପଣ ସମୟରେ ପଶ୍ଚିମ ଓଡିଶାର ପ୍ରମୁଖ ମନ୍ଦିରକୁ କରାଯିବ ନିମନ୍ତ୍ରଣ

ସମ୍ବଲପୁର : ଆଜି ସମ୍ବଲପୁରରେ ଅନୁଷ୍ଠିତ ହୋଇଛି ବିଜେଡି ସାଂଗଠନିକ ବୈଠକ । ଆଗାମୀ ଦିନରେ ଦଳକୁ ପଶ୍ଚିମ ଓଡିଶାରେ କିଭଳି ଅଧିକ ସୁଦୃଢ ଓ ସକ୍ରିୟ କରାଯାଇପାରିବ ସେନେଇ ବୈଠକରେ ବିଷଦ ଭାବେ ଆଲୋଚନା ହୋଇଛି । ପୂର୍ବତନ ସାଂସଦ ତଥା ଦଳର ବରିଷ୍ଠ ଉପସଭାପତି ପ୍ରସନ୍ନ ଆଚାର୍ଯ୍ୟଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା । ବୈଠକରେ ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ସମ୍ବଲପୁର ଲୋକସଭା କ୍ଷେତ୍ରର ପର୍ଯ୍ୟବେକ୍ଷକ ମାନସ ମଙ୍ଗରାଜ, ଜିଲ୍ଲା ବିଜେଡି ସଭାପତି ରୋହିତ ପୂଜାରୀଙ୍କ ସମେତ ଦଳର ବହୁ ବିଧାୟକ, ନେତା ଓ କର୍ମୀ ଯୋଗ ଦେଇଥିଲେ । ବୈଠକରେ ଦଳର ସାଂଗଠନିକ କାର୍ଯ୍ୟକ୍ରମ ସହ ବହୁ ପ୍ରତୀକ୍ଷିତ ସମଲେଇ ପ୍ରକଳ୍ପ ଲୋକାର୍ପଣ ଉତ୍ସବ ନେଇ ମଧ୍ୟ ଆଲୋଚନା ହୋଇଛି ।

ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା ସମଲେଶ୍ବରୀ ପ୍ରକଳ୍ପ ଶେଷ ପର୍ଯ୍ୟାୟରେ ପହଂଚିଛି । ଖୁବଶୀଘ୍ର ଏହାର ଲୋକାର୍ପଣ କରାଯିବ ବୋଲି ସୂଚନା ଦେଇଛନ୍ତି ବରିଷ୍ଠ ବିଜେଡି ନେତା ପ୍ରସନ୍ନ ଆଚାର୍ଯ୍ୟ ଓ ମନ୍ଦିର ଟ୍ରଷ୍ଟବୋର୍ଡ ସଭାପତି ସଂଜୟ ବାବୁ । ସମଲେଇ ପ୍ରକଳ୍ପ ଲୋକାର୍ପଣ ସମୟରେ ପଶ୍ଚିମ ଓଡିଶାର ସବୁ ଜିଲ୍ଲାର ପ୍ରମୁଖ ମନ୍ଦିରଗୁଡ଼ିକୁ ନିମନ୍ତ୍ରଣ କରାଯିବ । ସମ୍ବଲପୁର ସଂସଦୀୟ କ୍ଷେତ୍ର ପର୍ଯ୍ୟବେକ୍ଷକ ଦାୟିତ୍ବ ନେବା ପରେ ଏହା ଥିଲା ସାଂସଦ ମାନସ ମଙ୍ଗରାଜଙ୍କ ପ୍ରଥମ ବୈଠକ ।