ହକି ବିଶ୍ୱକପ ପାଇଁ ତାମିଲନାଡ଼ୁ ଓ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ

1 min read

ନୂଆଦିଲ୍ଲୀ: ଜାନୁଆରୀ ୧୩ରୁ ୨୯ ଯାଏ ଓଡ଼ିଶାରେ ହେବ ପୁରୁଷ ହକି ବିଶ୍ବକପ୍ । ଦ୍ବିତୀୟ ଥର ପାଇଁ ଓଡ଼ିଶା ଏହି ବିଶ୍ବକପ୍‌ର ଆୟୋଜନ କରୁଥିବାରୁ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ କରୁଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି କ୍ରମରେ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନଙ୍କୁ ନିମନ୍ତ୍ରଣ କରାଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ତରଫରୁ ଖାଦ୍ୟ ଯୋଗାଣ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ଷ୍ଟାଲିନଙ୍କୁ ଦେଇଛନ୍ତି ନିମନ୍ତ୍ରଣ ପତ୍ର । ନିମନ୍ତ୍ରଣ ପତ୍ର ସହ ହକି ଜର୍ସି ଓ ରୁପାର ଅଶୋକ ଚକ୍ର ପ୍ରଦାନ କରିଛନ୍ତି । ଏହି ଅବସରରେ ତାମିଲନାଡୁ ମୁଖ୍ୟମନ୍ତ୍ରୀଙ୍କ ପୁଅ ତଥା ତାମିଲନାଡୁର କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରୀ ଉଧୟନିଧି ଷ୍ଟାଲିନ ଉପସ୍ଥିତ ଥିଲେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିମନ୍ତ୍ରଣ ସାଦରେ ଗ୍ରହଣ କରିବା ସହ ନିମନ୍ତ୍ରଣ ପାଇଁ ଧନ୍ୟବାଦ ଜଣାଇଛନ୍ତି ଷ୍ଟାଲିନ୍ । ଯଥାସମ୍ଭବ ଓଡ଼ିଶା ଆସି ହକି ମହାକୁମ୍ଭରେ ସାମିଲ ହେବେ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି ।

ସେହିପରି ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ୱାଇ.ଏସ ଜଗନମୋହନ ରେଡ୍ଡୀଙ୍କୁ ମଧ୍ୟ ନିମନ୍ତ୍ରଣ କରାଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ତରଫରୁ ଭିନ୍ନକ୍ଷମ ଓ ସଶକ୍ତିକରଣ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଦିଲ୍ଲୀ ଯାଇ ଜଗନମୋହନଙ୍କୁ ସ୍ୱତନ୍ତ୍ର ଭାବେ ନିମନ୍ତ୍ରଣ କରିଛନ୍ତି । ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ ସହ ଅଧଘଣ୍ଟାର ସାକ୍ଷାତ ବେଳେ ନିମନ୍ତ୍ରଣ ପତ୍ର ସହ ହକି ଟି-ସାର୍ଟ ଓ ରୁପା ଅଶୋକ ଚକ୍ର ପ୍ରଦାନ କରିଛନ୍ତି  । ଏହି ଅବସରରେ ୱାଇଏସଆରସିପିର ରାଜ୍ୟସଭା ସାଂସଦ ବିଜୟ ସାଇ ରେଡୀ ଉପସ୍ଥିତ ଥିଲେ ।  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିମନ୍ତ୍ରଣ ସାଦରେ ଗ୍ରହଣ କରିଛନ୍ତି ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ୱାଇ.ଏସ ଜଗନମୋହନ ।