୩୩ ବର୍ଷ ପୂର୍ବରୁ ରାମ ମନ୍ଦିର ନିର୍ମାଣ ନେଇ ଭବିଷ୍ୟବାଣୀ କରିଥିଲେ ଏହି ବାବା

1 min read

ନନ୍ଦିଘୋଷ ବ୍ୟୁରୋ: ଚଳିତ ମାସ ୨୨ ତାରିଖରେ ଅଯୋଧ୍ୟାରେ ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ଉତ୍ସବ ହେବ । ଏହି ଉତ୍ସବ ପାଇଁ ସାରା ଦେଶରେ ଉତ୍ସାହର ମାହୋଲ ଦେଖା ଦେଇଥିବାବେଳେ ଚାଲିଛି ନିମନ୍ତ୍ରଣ  ପତ୍ର ବଣ୍ଟା । ତେବେ ୩୩ ବର୍ଷ ପୂର୍ବରୁ ରାମ ମନ୍ଦିଣ ନିର୍ମାଣ ନେଇ ବାବା ଦେବରହା ଭବିଷ୍ୟବାଣୀ କରିଥିଲେ । ୟୁପିର ଦେବରିୟା ଜିଲ୍ଲାର ବ୍ରହ୍ମଋଷି ଦେବରହାଙ୍କ ଆଶ୍ରମରେ ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ନିମନ୍ତ୍ରଣ ପତ୍ର ପହଞ୍ଚିଥିବାବେଳେ ମହନ୍ତ ଶ୍ୟାମ ସୁନ୍ଦର ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି କି, ବାବା ଦେବରହା ୩୩ ବର୍ଷ ପୂର୍ବରୁ ରାମ ମନ୍ଦିର ପ୍ରତିଷ୍ଠା ନେଇ ଭବିଷ୍ୟବାଣୀ କରିଥିଲେ ।

ମହନ୍ତ ଶ୍ୟାମ ସୁନ୍ଦର ଦାସ ସୂଚନା ଦେଇ କହିଛନ୍ତି ଯେ, ୩୩ ବର୍ଷ ପୂର୍ବରୁ ଆରଏସଏସ ଏବଂ ବିଶ୍ୱ ହିନ୍ଦୁ ପରିଷଦର ନେତାଙ୍କ ସମ୍ମୁଖରେ ଏହି ଭବିଷ୍ୟବାଣୀ କରିଥିଲେ ଦେବରହା ବାବା । ସେତବେଳେ ଆଲ୍ଲାବାଦରେ ରାମ ଜନ୍ମଭୂମିକୁ ନେଇ ସଭା ଅନୁଷ୍ଠିତ ହେଇଥିଲା, ଏହି ସଭାରେ ଶଙ୍କରାଚାଯ୍ୟ ମଧ୍ୟ ଉପସ୍ଥିତ ଥିଲେ । ଆଉ ସମସ୍ତଙ୍କର ଉପସ୍ଥିତିରେ ବାବା ଦେବରହା ମନ୍ଦିର ନିର୍ମାଣର ମନୋକାମନା ଅବଶ୍ୟ ପୂର୍ଣ୍ଣ ହେବ ବୋଲି କହିବା ସହିତ ହିନ୍ଦୁ-ମୁସଲିମ୍ ସବୁ ଲୋକ ମିଶି ଏହି କାମ ପୂର୍ଣ୍ଣ କରିବେ ବୋଲି ଭବିଷ୍ୟବାଣୀ କରିଥିଲେ ।

ଦେବରହା ଆଶ୍ରମର ବର୍ତ୍ତମାନର ମହନ୍ତଙ୍କ କହିବା କଥା, ସରକାର ଏ ଦିଗରେ ଭଲ କାମ କରୁଛନ୍ତି । ଭାରତୀୟ ସଂସ୍କୃତି ଏବେ ଶିଖର ଛୁଉଁଛି । ତେବେ ରାମ ମନ୍ଦିର ଆନ୍ଦୋଳନ ସମୟରେ ବାବା ଦେବରହା ଦେହତ୍ୟାଗ କରିଥିଲେ । ହେଲେ ସେ କରିଥିବା ଭବିଷ୍ୟବାଣୀ ଆଜି ସତ ହେବାକୁ ଯାଉଛି ବୋଲି କହିଛନ୍ତି ମଠର ମହନ୍ତ ଶ୍ୟାମ ସୁନ୍ଦର ଦାସ ।