ରାମ ମନ୍ଦିର ଭୁମିପୂଜା କାର୍ଡ,ନିମନ୍ତ୍ରଣପତ୍ରରେ ଏହି ମାନଙ୍କ ନାମ ଅଛି..

ଅଯୋଧ୍ୟା: ରାମ ଜନ୍ମଭୂମି ମନ୍ଦିର ନିର୍ମାଣ ପାଇଁ ସବୁ ପ୍ରକାରର ପ୍ରସ୍ତୁତି ହୋଇ ସାରିଛି । ପୂଜା ଓ ଅନ୍ୟ ଅନୁଷ୍ଠାନ ଏବେଠାରୁ ଆରମ୍ଭ ହୋଇଗଲାଣି । ଏହାରି ଭିତରେ ସାମ୍ନାକୁ ଆସିଛି ଭୁମିପୂଜା ନିମନ୍ତ୍ରଣ ପତ୍ରର ପ୍ରଥମ ଝଲକ ।ବାବ୍ରି ମସଜିଦ ପୁନଃନିର୍ମାଣ ପାଇଁ ମାମଲା ଲଢୁଥିବା ଇକବାଲ ଅନସାରୀଙ୍କୁ ମଧ୍ୟ ନିମନ୍ତ୍ରଣ ପତ୍ର ମିଳିଛି । ନିମନ୍ତ୍ରଣ ପତ୍ରର ବିଶେଷତା ହେଲା ଯେ, ଭୁମିପୂଜାରେ ପ୍ରଧାନମନ୍ତ୍ରୀଙ୍କ ସହ ରାଷ୍ଟ୍ରୀୟ ସ୍ୱଂୟସେବକ ସଂଘ ମୁଖ୍ୟ ମୋହନ ଭାଗବତ ଯୋଗ ଦେଉଥିବା ଉଲ୍ଲେଖ ଅଛି ।

ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟ ଅଧ୍ୟକ୍ଷ ମହନ୍ତ ନୃତ୍ୟ ଗୋପାଳ ଦାସଙ୍କ ତରଫରୁ ପଠାଯାଇଥିବା ଏହି ଆମନ୍ତ୍ରଣ ପତ୍ରରେ ଲେଖା ଯାଇଛି ଯେ, ଶ୍ରୀରାମ ଜନ୍ମଭୂମି ମନ୍ଦିରର ଭୁମିପୂଜା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ହେବ । ବିଶିଷ୍ଟ ଅତିଥି ଭାବେ ରାଷ୍ଟ୍ରୀୟ ସ୍ୱଂୟସେବକ ସଂଘ ମୁଖ୍ୟ ମୋହନ ଭାଗବତ ଯୋଗ ଦେବେ ।

ram invitation card

ଭୁମିପୂଜା କାର୍ଯ୍ୟକ୍ରମରେ ଉତ୍ତର ପ୍ରଦେଶ ରାଜ୍ୟପାଳ ଆନନ୍ଦି ବେନ୍ ପଟେଲ ଓ ମୁଖ୍ୟମନ୍ତ୍ରୀ ଆଦିତ୍ୟନାଥ ମଧ୍ୟ ଯୋଗ ଦେବେ । ଅଗଷ୍ଟ ୫ ତାରିଖ ୧୨.୩୦ ମିନିଟରେ ଭୁମିପୂଜା ହେବ । ଏହି କାର୍ଯ୍ୟକ୍ରମକୁ ବଛାବଛା ଲୋକଙ୍କୁ ନିମନ୍ତ୍ରଣ କରାଯାଇଛି ।

ଅନସାରୀ ନିମନ୍ତ୍ରଣପତ୍ର ପାଇବା ପରେ କାର୍ଯ୍ୟକ୍ରମରେ ଯୋଗ ଦେବେ ବୋଲି କହିଛନ୍ତି । ସେ କହିଛନ୍ତି ଯେ, ଯାହା ହୋଇଛି ସବୁ ଭଗବାନ ରାମଙ୍କ ଇଛାରେ ହୋଇଛି । ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସେ ରାମଚରିତ ମାନସ ଓ ରାମପତ୍ର ଉପହାର ଦେବେ ବୋଲି କହିଛନ୍ତି ।

ଅନ୍ୟପକ୍ଷରେ କରୋନା କାରଣରୁ ଉମା ଭାରତୀ ଏହି କାର୍ଯ୍ୟକ୍ରମକୁ ସରଜୁ ନଦୀକୁଳରୁ ଦେଖିବେ ବୋଲି କହିଛନ୍ତି । କରୋନା ସଂକ୍ରମଣ ଭିତରେ ସେ ପ୍ରଧାନମନ୍ତ୍ରୀଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତିତ ବୋଲି କହିଛନ୍ତି । କାର୍ଯ୍ୟକ୍ରମ ସରିବା ପରେ ଓ ଭିଡ କମିବା ପରେ ରାମଲାଲାଙ୍କୁ ଦର୍ଶନ କରିବେ ବୋଲି କହିଛନ୍ତି ଉମା ଭାରତୀ ।

 

Leave a Reply