୬ ମାସ ତଳେ ମୃତ୍ୟୁକୁ ନେଇ ଏମିତି କହିଥିଲେ ରାକେଶ ଝୁନଝୁନୱାଲା

ମୁମ୍ବାଇ: ମୃତ୍ୟୁ, ମୌସମ୍ ଓ ମାର୍କେଟର କିଛି ଭରସା ନାହିଁ । ମୃତ୍ୟୁ କେତେବେଳେ ଆସିପାରେ । ମାର୍କେଟ୍ କେତେବେଳେ କଡ଼ ଲେଉଟାଇପାରେ  । ମୌସମ୍ ତା ମନମର୍ଜିର ମାଲିକ । ସିଆଆଇର ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ  ଜଣେ ଦାର୍ଶନିକ ଭଳି କହିଥିଲେ ଭାରତର ୱାରେନ୍ ବଫେଟ୍ ଝୁନଝୁନୱାଲା  । ୬ ମାସ ତଳେ ମୃତ୍ୟୁର କିଛି ଭରସା ନାହିଁ କହି ଚର୍ଚ୍ଚାରେ ଥିଲେ ଝୁନଝୁୱାଲା  ।

 

ହେଲେ ଆଉ ନାହାନ୍ତି ଝୁନଝୁନୱାଲା । ମାତ୍ର ୫ ହଜାର ଟଙ୍କାକୁ ୪୫ ହଜାର କୋଟିରେ ବଦଲାଇଥିବା ଦଲାଲ ଷ୍ଟ୍ରିଟର ଯାଦୁଗର ଦୁନିଆକୁ ଅଚାନକ କହିଛନ୍ତି ଅଲବିଦା । ୬ ମାସ ତଳେ ସେୟାର ବଜାରର ଏହି ବାଦଶାହ ଏମିତି କଥା କହିଥିଲେ ଯାହା ଆଜି ତାଙ୍କ ମୃତ୍ୟୁ ପରେ ମନେ ପଡେ ।

ରବିବାର ସକାଳୁ ମାତ୍ର ୬୨ ବର୍ଷ ବୟସରେ ଅଚାନକ ସେ ଦୁନିଆରୁ ନେଇଛନ୍ତି ମେଲାଣି । ସେତେବଳେ ସେ କହିଥିଲେ ମୃତ୍ୟୁକୁ ନେଇ ଯେମିତି କେହି ଭବିଷ୍ୟତବାଣୀ କରିପାରିବ ନାହିଁ ସେମିତି ମାର୍କେଟକୁ ନେଇ ମଧ୍ୟ କିଛି କୁହାଯାଇନପାରେ । କେତେବଳେ ମୃତ୍ୟୁ ଆସିବ,କେତେବେଳେ ପାଗ ବଦଳିଯିବ କିମ୍ବା କେତେବେଳେ ମାର୍କେଟ୍ ଚାଲ୍‌ ବଦଳିଯିବ କିଛି ନିଶ୍ଚିତ ନଥାଏ ।

ସେହି କାର୍ଯ୍ୟକ୍ରମରେ ସେ ଆଉ ଗୋଟିଏ ମ’କୁ ନେଇ ମଧ୍ୟ ନିଜ ମତ ରଖିଥିଲେ । ମୃତ୍ୟୁ,ମୌସମ୍,ମାର୍କେଟ ଭଳି ମହିଳାଙ୍କ କିଛି ମଧ୍ୟ ଭରସା ନଥାଏ ବୋଲି ସେ କହିଥିଲେ । ସେ କହିଥିଲେ ଯେ, ମାର୍କେଟ୍ ହେଉଛି ଜଣେ ମହିଳାଙ୍କ ଭଳି । ସବୁବେଳେ ପ୍ରଭାବଶାଳୀ, ରହସ୍ୟମୟ, ଅନିଶ୍ଚିତ । ଆପଣ ଯେମିତି କେବେ ମଧ୍ୟ କୌଣସି ମହିଳା ଉପରେ ନିଜର ଏକାଧିପତ୍ୟ ସାବ୍ୟସ୍ତ କରିପାରିବେ ନାହିଁ ସେମିତି ମାର୍କେଟ ଉପରେ ପ୍ରଭାବ ବିସ୍ତାର କରିପାରିବେ ନାହିଁ ।

୧୯୮୭ ମସିହାରେ ୫ ହଜାର ଟଙ୍କାରରୁ ନିବେଶ ଆରମ୍ଭ କରିଥିବା ରାକେଶ ଝୁନଝୁନୱାଲାଙ୍କ ମୋଟ ନେଟୱର୍ଥ ଥିଲା ୪୫ ହଜାର କୋଟି ଟଙ୍କା । ଟାଟା ଟି’ର ୪୩ ଟଙ୍କିଆ ସେୟାରରୁ ଆରମ୍ଭ ହୋଇଥିବା ତାଙ୍କ ଯାତ୍ରା ୪୫ ହଜାର କୋଟିର ବିଶାଳ ନିବେଶରେ ଶେଷ ହୋଇଥିଲା ।  ନିକଟରେ ସେ ଅଲଟ୍ରା ଲୋ’ କଷ୍ଟ୍‌ ଆକଶା ଏୟାର ଲାଇନ୍ସର ଆରମ୍ଭ କରିବାକୁ ଯାଉଥିଲେ । ସେୟାର ମାର୍କେଟ ଉପରେ ଗତ ୩ ଦଶନ୍ଧି ଧରି ପ୍ରଭାବ ବିସ୍ତାର କରିଥିବା ଏହି ବିଗ୍  ବୁଲ କିନ୍ତୁ କହୁଥିଲେ ମାର୍କେଟର କିଙ୍ଗ୍ କେହି ନାହିଁ । ଯିଏ ବି ଯେତେବେଳେ ବି ନିଜକୁ ମାର୍କେଟର ରାଜା ବୋଲି ଭାବିଛି ତା’ର ପରବର୍ତ୍ତୀ ଠିକଣା ହୋଇଛି ମୁମ୍ବାଇର ଆର୍ଥର ଜେଲ । ଏକଥା ସେ ଦଲାଲଷ୍ଟ୍ରିଟର ଓରିଜିନାଲ ବିଗ୍ ବୁଲ୍ ହର୍ଷଦ ମେହେଟା ଓ ତାର ଉତ୍ତରାଧିକାରୀ ପାରେଖକୁ ଲକ୍ଷ୍ୟ କରି କହିଥିଲେ ।