ପାକିସ୍ତାନୀ ଏଜେଣ୍ଟ ଜ୍ୟୋତିଙ୍କ ପୁରୀ ଗସ୍ତ, ଜଗନ୍ନାଥ ବଲ୍ଲଭ ଭକ୍ତ ନିବାସରୁ ଗୁରୁତ୍ବପୂର୍ଣ୍ଣ ତଥ୍ୟ ହାତେଇଲା ପୋଲିସ
1 min read
ନନ୍ଦିଘୋଷ ବ୍ୟୁରୋ: ଧୀରେ ଧୀରେ ଫିଟୁଛି ସ୍ପାଏ ସୁନ୍ଦରୀ ଜ୍ୟୋତି ମଲହୋତ୍ରାଙ୍କ ଗୁମର । ପୁରୀ ଆସି ଜଗନ୍ନାଥ ବଲ୍ଲଭ ଭକ୍ତ ନିବାସରେ ରହିଥିଲେ । ପୋଲିସ ଏବେ କରୁଛି ତନାଘନା । ଭକ୍ତ ନିବାସରୁ କେତେକ ଗୁରୁତ୍ଵପୂର୍ଣ୍ଣ ତଥ୍ୟ ପାଇଛି ପୋଲିସ । ସେହି ଖିଅରୁ ଅଧିକ ତଥ୍ୟ ସଂଗ୍ରହ କରାଯାଉଛି । ସେପଟୋ ଜ୍ୟୋତି ମଲହୋତ୍ରା ଲିଙ୍କରେ ପୁରୀର ୟୁଟ୍ୟୁବର ପ୍ରିୟଙ୍କା ସେନାପତିଙ୍କୁ ମଧ୍ୟ ଘନ ଘନ ଜେରା କରୁଛି ପୋଲିସ । ପାକିସ୍ତାନ ପାଇଁ ଗୁପ୍ତଚର ଭାବେ କାମ କରୁଥିବା ୯ ଜଣଙ୍କୁ ସାରା ଦେଶରୁ ଗିରଫ କରାଗଲାଣି ।
ପୁରୀର ଜଗନ୍ନାଥ ବଲ୍ଲଭ ଭକ୍ତ ନିବାସ । ରୁମ୍ ନମ୍ଵର ୨୦୩ । ଏହି ରୁମରେ ରହିଥିଲେ ସ୍ପାଏ ସୁନ୍ଦରୀ ଜ୍ୟୋତି ମଲହୋତ୍ରା । ପାକିସ୍ତାନ ପାଇଁ ଗୁପ୍ତଚର କାମ କରି ଗିରଫ ହେବା ପରେ ସେ ଚର୍ଚ୍ଚାକୁ ଆସିଛନ୍ତି । ଜଗନ୍ନାଥ ବଲ୍ଲଭ ଭକ୍ତ ନିବାସକୁ ଆସି ତନାଘନା କରିଛି ପୋଲିସ । ମ୍ୟାନେଜରଙ୍କୁ କରିଛି ପଚରା ଉଚରା । କେବେ ଆସିଥିଲେ ଜ୍ୟୋତି, କେତେ ଦିନ ରହିଥିଲେ, କେବେ ଚେକ୍ ଆଉଟ୍ କରିଥିଲେ, ତାଙ୍କ ସହିତ ଆଉ କିଏ ଥିଲେ କି, ଏଠାରୁ ଗାଡ଼ି ନେଇ କୁଆଡ଼େ ଯାଇଥିଲେ କି ? ଏସବୁ ତଥ୍ୟ ସଂଗ୍ରହ କରିଛି ପୋଲିସ ।
ମ୍ୟାନେଜର କହିଛନ୍ତି, ଗତବର୍ଷ ସେପଟେମ୍ଵର ୨୧ ତାରିଖରେ ଜଗନ୍ନାଥ ବଲ୍ଲଭ ଭକ୍ତ ନିବାସରେ ଚେକ୍ ଇନ୍ କରିଥିଲେ ଜ୍ୟୋତି । ତା’ ପରଦିନ ୨୨ ତାରିଖ ସନ୍ଧ୍ୟାରେ ଚେକ୍ ଆଉଟ କରିଥିଲେ । ଅନଲାଇନରେ ବୁକିଂ, ଅନଲାଇନରେ ପେମେଣ୍ଟ । ମ୍ୟାନେଜର କହିଛନ୍ତି, ଜ୍ୟୋତିଙ୍କ ହାବଭାବରେ କୌଣସି ପ୍ରକାର ସନ୍ଦେହଜନକ କଥା ନଥିଲା । ଗିରଫ ହେବା ପରେ ହିଁ ତାଙ୍କ ବିଷୟରେ ଆମେ ଜାଣୁଛୁ । ପୋଲିସ ଆସି କିଛି ଡକ୍ୟୁମେଣ୍ଟ ନେଇଛି ଓ ତଦନ୍ତରେ ଆମେ ସହଯୋଗ କରୁଛୁ ବୋଲି କହିଛନ୍ତି ଜଗନ୍ନାଥ ବଲ୍ଲଭ ଭକ୍ତ ନିବାସର ମ୍ୟାନେଜର ।
ଜ୍ୟୋତି ମଲହୋତ୍ରାଙ୍କ ସହିତ ଲିଙ୍କ୍ ଯୋଗୁଁ ତଦନ୍ତ ଘେରକୁ ଆସିଛନ୍ତି ପୁରୀର ପ୍ରିୟଙ୍କା ସେନାପତି । କେବଳ ୟୁଟ୍ୟୁବର-ୟୁଟ୍ୟୁବର ସଂପର୍କ ବୋଲି ପ୍ରିୟଙ୍କା କହୁଥିଲେ ମଧ୍ୟ ସବୁ ଦିଗକୁ ନେଇ ଚାଲିଛି ଛାନବିନ୍ । ତଦନ୍ତରେ ପ୍ରିୟଙ୍କା ଓ ତାଙ୍କ ପରିବାର ସହଯୋଗ କରୁଛନ୍ତି । ଏନଆଇଏ, ରାଜ୍ୟ ଗୁଇନ୍ଦା ବିଭାଗ ଓ ହରିୟାଣାର ହିସାର ପୋଲିସକୁ ସହଯୋଗ କରୁଛି ପୁରୀ ଜିଲ୍ଲା ପୋଲିସ । ପ୍ରିୟଙ୍କାଙ୍କ ସୋସିଆଲ ମିଡିଆ ଆକାଉଣ୍ଟ, ସେ କ’ଣ କ’ଣ ପୋଷ୍ଟ କରିଥିଲେ ? କ’ଣ କ’ଣ ଡିଲିଟ୍ କରିଛନ୍ତି, କଲ୍ ଡିଟେଲ ରେକର୍ଡ, ବ୍ୟାଙ୍କ୍ ଆକାଉଣ୍ଟ ସବୁ ତନ୍ନ ତନ୍ନ କରି ଯାଞ୍ଚ କରାଯାଉଛି । ପ୍ରିୟଙ୍କା ଏବେ ପୁରୀରେ ଅଛନ୍ତି । ଜ୍ୟୋତିଙ୍କ ସହିତ ପୁରୀର କେଉଁ କେଉଁ ସ୍ଥାନକୁ ସେମାନେ ବୁଲିବାକୁ ଯାଇଥିଲେ, ଜ୍ୟୋତି କିଛି ତଥ୍ୟ ସଂଗ୍ରହ କରିଥିଲେ କି, ତାଙ୍କର ହାବଭାବ ସନ୍ଦେହ କରିବା ଭଳି ଥିଲା କି, ଏସବୁ ପ୍ରଶ୍ନର ଉତ୍ତର ଖୋଜୁଛି ପୁରୀ ପୋଲିସ ।
ପହଲଗାଓଁ ଆକ୍ରମଣ, ଜବାବରେ ଭାରତର ଅପରେସନ ସିନ୍ଦୂର ପରେ ସାରା ଦେଶରେ ଧରପଗଡ଼ । ପାକିସ୍ତାନ ପାଇଁ କାମ କରୁଥିବା ଅନେକ ଗୁପ୍ତଚର ଧରା ପଡ଼ିଛନ୍ତି । ହରିୟାଣା ହିସାରରୁ ଧରାପଡ଼ିଥିବା ଜ୍ୟୋତି ମଲହୋତ୍ରା ପୁରୀ ଆସିଥିବା ଜଣାପଡ଼ିବା ପରେ ରାଜ୍ୟରେ ସୃଷ୍ଟି ହୋଇଛି ହଇଚଇ । ତାଙ୍କର ପ୍ରକୃତ ଉଦ୍ଦେଶ୍ୟ କ’ଣ ଥିଲା ? ସେ କେବଳ ବୁଲିବାକୁ ଆସିଥିଲେ ନା ଅନ୍ୟ କିଛି ଭିତିରି ଉଦ୍ଦେଶ୍ୟ ଥିଲା । କୌଣସି ମିଶନରେ ନ ଥିଲେ ତ ? ପୁରୀରୁ କିଛି ଗୁରୁତ୍ଵପୂର୍ଣ୍ଣ ସୂଚନା ନେଇ ନାହାନ୍ତି ତ ସ୍ପାଏ ସୁନ୍ଦରୀ ? ଏମିତି ଅନେକ ପ୍ରଶ୍ନର ଚାଲିଛି ଉତ୍ତର ଖୋଜା ।