ମାଆ ଶାରଳାଙ୍କ ମନ୍ଦିରରେ ଅପମିଶ୍ରିତ ଘିଅ ବ୍ୟବହାର ଅଭିଯୋଗ ପରେ ତଦନ୍ତ ଆରମ୍ଭ

ଜଗତସିଂହପୁର: ମାଆ ଶାରଳାଙ୍କ ମନ୍ଦିରରେ ଅପମିଶ୍ରିତ ଘିଅ ବ୍ୟବହାର ହେଉଥିବା ଅଭିଯୋଗା ତଦନ୍ତ ଆରମ୍ଭ ହୋଇଛି । ମନ୍ଦିର ଗୋଦାମରେ ଥିବା ଘିଅ ନମୂନା ସଂଗ୍ରହ କରି ପରୀକ୍ଷା ପାଇଁ ପଠାଇଛି ଖାଦ୍ୟ ନିରୀକ୍ଷଣ ବିଭାଗ । ଜଗତସିଂହପୁର ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ଶାରଳା ଠାକୁରାଣୀଙ୍କ ରୋଷଶାଳରେ ଭୋଗ ଏହି ଅପମିଶ୍ରିତ ଘିଅରୁ ପ୍ରସ୍ତୁତ ହେଉଥିବା ଅଭିଯୋଗ ହୋଇଥିଲା ।

ପ୍ରତି ମାସରେ ତିର୍ତ୍ତୋଲ ନୂଆପଡାର ଗୋଟିଏ କମ୍ପାନୀ ଏହି ଘିଅ ଯୋଗାଇଥାଏ । ଚଳିତ ମାସରେ ମଧ୍ୟ ସାତ ଟିଣ ଘିଅ ଆସିଥିଲା । ସବୁ ଦିନ ପରି ଆଜି ମଧ୍ୟ ମାଆଙ୍କ ନିକଟରେ ଚାଲିଥିବା ଷୋଡଶ ଉପଚାର ପାଇଁ ଖାଦ୍ୟ ପ୍ରସ୍ତୁତ ସମୟରେ ହଠାତ କଡେଇ ଭିତରୁ ଧୂଆଁ ବାହାରିଥିଲା । ଯାହା ଫଳରେ ରୋଷ ଘରେ ପ୍ରବଳ ଧୂଆଁ ସହ ଗନ୍ଧ ହୋଇଥିଲା । ଏହି ଖବର ପାଇ ଜଗତସିଂହପୁର ଖାଦ୍ୟ ନିରୀକ୍ଷଣ ବିଭାଗ ଅଧିକାରୀ ପହଞ୍ଚି ପୂର୍ବ ଘିଅ ଓ ବର୍ତ୍ତମାନର ଘିଅର ସାମ୍ପୁଲ ସଂଗ୍ରହ କରି ତଦନ୍ତ ଆରମ୍ଭ କରିଛନ୍ତି ।

ଗୁରୁତ୍ବପୂର୍ଣ୍ଣ କଥା ହେଲା ଜଗତସିଂହପୁର ତିର୍ତ୍ତୋଲ ନିକଟରୁ ଘିଅ ଆସିଛି । କିନ୍ତୁ ରସିଦ କଟକର ବୋଲି ଉଲ୍ଲେଖ ରହିଛି । ପ୍ରକୃତରେ ଏହି ଘିଅ ଅସଲି କି ନକଲି ନମୂନା ପରୀକ୍ଷା ପରେ ଜଣାପଡିବ ବୋଲି ଖାଦ୍ୟ ନିରୀକ୍ଷଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।