ନନ୍ଦିଘୋଷ ଟିଭିର ମହାପ୍ରଭାବ: ବାଲିଘାଟ କେଳେଙ୍କାରୀର ତଦନ୍ତ ଆରମ୍ଭ

1 min read

ଢେଙ୍କାନାଳ: ନନ୍ଦିଘୋଷ ଟିଭିର ମହାପ୍ରଭାବ । ଢେଙ୍କାନାଳ ବାଲିଘାଟ କେଳେଙ୍କାରୀର ଆରମ୍ଭ ହେଲା ତଦନ୍ତ । ୬ ତହସିଲଦାରଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି ଜିଲ୍ଲାପାଳ ଭୂମେଶ ଚନ୍ଦ୍ର ବେହେରା । ଗତକାଲି ଚୋରାବାଲି ଚାଲାଣ ନେଇ ନନ୍ଦିଘୋଷ ଟିଭିରେ ଖବର ପ୍ରସାରଣ ହୋଇଥିଲା । ବାଲି ମାଫିଆଙ୍କ ଚରାଭୂଇଁ ଢେଙ୍କାନାଳରେ, ବ୍ରାହ୍ମଣୀ ଛାତି ଚିରି କିଭଳି ତସ୍କରୀ ହେଇଛି ତାର ପର୍ଦ୍ଦ।ଫାସ କରିଥିଲୁ ଆମେ । ୧୫ ଟଙ୍କିଆ ମ୍ୟାଜିକ୍‌ ପେନରେ କିଭଳି ୧୫ କୋଟିର ଲୁଟ୍‌ ହେଇଛି ତାର ସତ ସାମନାକୁ ଆଣିଥିଲୁ । ଏନେଇ ଖବର ପ୍ରସାରଣ ପରେ ପ୍ରଶାସନ ତତ୍ପର ହେବା ସହ ନୋଟିସ ମାଗିଛି ।

ସୂଚନା ଯୋଗ୍ୟ ଯେ,  ଢେଙ୍କାନଳ ଜିଲ୍ଲାରେ ୮ଟି ବ୍ଲକରେ ରହିଛି ୮ ତହସିଲ୍‌ । ପ୍ରାୟ ଏକମାସ ଧରି ଏଠାରେ ଥିବା ୩୦ରୁ ଊର୍ଦ୍ଧ୍ୱ ଖଣି ବୁଲି ଆମେ କରିଥିଲୁ ଷ୍ଟିଙ୍ଗ୍ ଅପରେସନ୍‌ । କିପରି ପ୍ରଶାସନ ଠାରୁ ଆରମ୍ଭ କରି ସ୍ଥାନୀୟ ଅଫିସ୍‌ ଯାଏଁ ଲମ୍ବିଛି ଦୁର୍ନୀତିର ଚେର, ତାର କରିଥିଲୁ ପର୍ଦ୍ଦ।ଫାଶ୍‌ । ସଦରର ତହସିଲଠାରୁ ମାତ୍ର ଶହେ ମିଟର ଦୂରରେ ରହିଛି ଏହି ବାଲିଘାଟ । ତହସିଲରେ ୬ଟି ବାଲିଘାଟ ମଧ୍ୟରୁ ୩ଟି ନିଲାମ ହୋଇଛି । ହେଲ ଅନ୍ୟ ୩ଟିରେ ବର୍ଷବର୍ଷ ଧରି ଚାଲିଛି ବେଆଇନ ଚାଲାଣ । ଗୋଟିଏ ଟ୍ରାକ୍ଟରରେ ଆମେ ପହଞ୍ଚିଥିଲୁ ଗୋନ୍ଦିଆ ତହସିଲର କିଛି ବାଲି ଘାଟରେ । ଯେଉଁଠି କିଛି ବାହୁବଳି ବ୍ୟକ୍ତି ମାଫିଆ ସାଜି କରୁଛନ୍ତି ବାଲି ଚୋରା ଚାଲାଣ ।

୧୫ ଟଙ୍କିଆ ପେନରେ ହେଉଛି ୧୫ କୋଟିର ଲୁଟ୍‌ । ଏହାକୁ ସାଦା କାଗଜ ଉପରେ ଲେଖି ଦିଆସିଲର ଗରମ ନିଆଁ ଦେଖାଇଲେ ଲିଭି ଯାଉଛି ସବୁକିଛି । ଓ୍ୱାଇ ଫର୍ମରେ ବାଲି ଗାଡି ବିକ୍ରିବେଳେ ଏହି ପେନରେ ହେଉଛି କାରବାର । ପ୍ରଶାସନ ହିସାବ ପାଇବା ବି ମୁସକିଲ୍‌ । ସବୁଠାରୁ ବଡକଥା ହେଲା ଏହି ଦୁର୍ନୀତି ବିଷୟରେ ଜାଣିଥିବା କହିଛନ୍ତି ଢେଙ୍କାନଳ ଉପ ଜିଲ୍ଲାପାଳ । ଖାଲି ସଦର କି ଗୋନ୍ଦିଆ ନୁହେଁ ଭୁବନ, ଓଡପଡା, ପରଜଙ୍ଗ, କାମାକ୍ଷନଗର ତହସିଲରେ ବି ସ୍ଥିତି ସମାନ । ସବୁଠି ରହିଛି ବାଲି କେଳେଙ୍କାରୀର ପ୍ରମାଣ ।

https://www.facebook.com/NandighoshaTV/videos/731380717687783/

ବାର୍ଷିକ ୧୭ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ହେଉଛି ରାଜସ୍ୱ ହାନୀ

ପ୍ରତ୍ୟେକ ଦିନ ସଦର ତହସିଲରୁ ୨୧୦, ଗୋନ୍ଦିଆରୁ ୨୮୦, ଭୁବନରୁ ୪ ଶହ, କାମାକ୍ଷନଗରରୁ ୪ ଶହ, ପରଜଙ୍ଗରୁ ୩ ଶହ, ଓଡପଡାରୁ ୪୫୦ ଟ୍ରିପ ବାଲି ଚାଲାଣ ହେଉଛି । ଗୋଟିଏ ଗାଡ଼ିରେ ପ୍ରାୟ ୧୨ କ୍ୱିବିକ୍‌ ବାଲି ଚାଲାଣ ହୁଏ । ପ୍ରତି କ୍ୱିବିକ୍‌ ବାଲିର ମୂଲ୍ୟ ୩୫ ଟଙ୍କା । ଯଦି ବର୍ଷାଦିନକୁ ଛାଡି ୨ଶହ ଦିନ ବାଲି ଚାଲାଣ ହୁଏ ତେବେ ବାର୍ଷିକ ଆଦାୟ ୧୭ କୋଟି ୧୩ ଲକ୍ଷ ୬୦ ହଜାର ଟଙ୍କା ହେବ । ଆଉ ଏହି ଅର୍ଥ ରାଜ୍ୟ ରାଜକୋଷକୁ ଆସିବା ବଦଳରେ ଯାଉଛି କିଛି ଅସାଧୁ କର୍ମଚାରୀ ଓ ମାଫିଆଙ୍କ ପେଟକୁ ।

 

Leave a Reply