ସୁନାରେ ଖଟାନ୍ତୁ ପଇସା, ପାଇବେ ଲାଭ!

1 min read

ଭୁବନେଶ୍ବର: ଇକ୍ୟୁଟି ଓ ବଣ୍ଡ୍ଠାରୁ ସୁନା ଦେବ ଭଲ ରିଟର୍ଣ୍ଣ। ଏ ବର୍ଷ ସୁନାଦର ୧୦ ଗ୍ରାମ ପିଛା ୭୨ ହଜାର ଟଙ୍କା ପାର୍ କରିପାରେ ବୋଲି ଆକଳନ କରିଛନ୍ତି ମାର୍କେଟ୍ ବିଶେଷଜ୍ଞ। ଋଷ-ୟୁକ୍ରେନ୍, ପାଲେଷ୍ଟାଇନ୍-ଗାଜା ଲଢ଼େଇ, ବିଶ୍ବର ଅଧିକାଂଶ ଦେଶରେ ମାନ୍ଦାବସ୍ଥା ଯୋଗୁ ସେୟାର ମାର୍କେଟ୍ରେ ଅସ୍ଥିରତା ରହିବ। ଏହାସହିତ ଚଳିତବର୍ଷ ଦେଶରେ ସାଧାରଣ ନିର୍ବାଚନ ଥିବାରୁ ମ୍ୟୁଚୁଆଲ୍ ଫଣ୍ଡ୍, ଇକ୍ୟୁଟି ଓ ବଣ୍ଡରେ ପୁଞ୍ଜି ଲଗାଣ ରିସ୍କ୍ ଆଣିପାରେ ବୋଲି ଚର୍ଚ୍ଚା ହେଉଛି।

ଏ ବର୍ଷ ମହଙ୍ଗା ହୋଇପାରେ ସୁନା । ଏବେ ୧୦ଗ୍ରାମ ସୁନା ଦର ୫୮ ହଜାର ୨୦୦ ଟଙ୍କା ରହିଛି । ୨୦୨୪ରେ ୧୦ ଗ୍ରାମ ସୁନା ଦର ୭୨ହଜାର ପାର୍ କରିପାରେ। ବଜାର ବିଶେଷଜ୍ଞ ଏପରି ଆକଳନ କରିବା ପରେ ଲୋକେ କୋଉଠି ନିଜର କଷ୍ଟ ଅର୍ଜିତ ଧନ ଲଗାଇଲେ ଅଧିକ ରିଟର୍ଣ୍ଣ ପାଇବେ ତାକୁ ନେଇ ଆରମ୍ଭ ହୋଇଛି କଳ୍ପନାଜଳ୍ପନା । ଇକ୍ୟୁଟି,ବଣ୍ଡ୍ ଓ ସୁନା । କିଏ ଦେବ ସୁରକ୍ଷିତ ଅଧିକ ଲାଭ? ବଜାର ବିଶେଷଜ୍ଞଙ୍କ ମତରେ ସୁନା କିଣିଲେ ଏବର୍ଷ ଅଧିକ ଲାଭ ମିଳିବ। କାରଣ ବିଶ୍ବରେ ଲାଗି ରହିଛି ମାନ୍ଦାବସ୍ଥା । ଆମେରିକା ଫେଡେରାଲ ରିଜର୍ଭର ଆକଳନ, ଆସନ୍ତା ମାର୍ଚ୍ଚ ଓ ଏପ୍ରିଲ୍ ବେଳକୁ ସେୟାର ବଜାର ଖସିଯାଇପାରେ। ଏହାସହିତ ଇକ୍ୟୁଟି ମାର୍କେଟ୍ ସାଚ୍ୟୁରେସନ୍ ସ୍ତରକୁ ଆସିଥିବାରୁ ରିଟର୍ଣ୍ଣ କମ ମିଳିବ। ଭାରତରେ ସୁନା ପ୍ରତି ଲୋକଙ୍କ ଅଧିକ ଆଦର ଥିବାରୁ ସୁନା ନିମ୍ନ ମଧ୍ୟବିତ୍ତ, ମଧ୍ୟବିତ୍ତ ଓ ଧନୀଙ୍କୁ ଅଧିକ ରିଟର୍ଣ୍ଣ ଦେବ ।

ଭାରତ ବଜାରକୁ ଦେଖିଲେ ସେୟାର ବଜାରରେ ଇକ୍ୟୁଟି ଭଲ ରିଟର୍ଣ୍ଣ ଦେଉଛି। ରାଜସ୍ଥାନ, ମଧ୍ୟପ୍ରଦେଶ, ଛତିଶଗଡ଼ ନିର୍ବାଚନ ଫଳ ପ୍ରକାଶ ପାଇବା ପରେ ସେୟାର ବଜାର ଅଧିକ ଉଛୁଳିଥିଲା। ବିଶ୍ବ ମାନ୍ଦାବସ୍ଥାର ପ୍ରଭାବ ଭାରତ ଅର୍ଥନୀତିକୁ ସେତେଟା ପ୍ରଭାବିତ କରିବନି। ଯଦି ଆସନ୍ତା ସାଧାରଣ ନିର୍ବାଚନ ପରେ କେନ୍ଦ୍ରରେ ଏବେର ସରକାର ପୁଣି ଥରେ ନିର୍ବାଚିତ ହୋଇ କ୍ଷମତାକୁ ଫେରନ୍ତି, ତାହେଲେ ପୁଣି ଥରେ ସେୟାର ବଜାର ସୂଚକାଙ୍କ ବଢିବ। ବଣ୍ଡରେ ରିଟର୍ଣ୍ଣ ସେତେଟା ଆସିବ ନାହିଁ। ଏଭଳି ସ୍ଥିତିରେ ସୁନା ସୁରକ୍ଷିତ ରିଟର୍ଣ୍ଣ ଦେଇପାରିବ । ମାକ୍ରୋ ଇକୋନୋମି ସ୍ଥିତି ଦେଖିଲେ ସୁନାରେ ପୁଞ୍ଜି ଲଗାଣ ଅଧିକ ସୁରକ୍ଷିତ। ସୁନା କିଣାରେ ଅଧିକ ଟିକସ୍ ଦେବାକୁ ପଡ଼ୁନଥିବାରୁ ଲୋକେ ଅଧିକ ଟଙ୍କା ଲଗାଇବାକୁ ଆଗ୍ରହ ଥିବା ଜଣାପଡ଼ିଛି।