ସତକୁ ଢୋକି ଦେଉଛି କି ଅଭିଯୁକ୍ତ ଗୋପାଳକୃଷ୍ଣ ଦାସ, ରିମାଣ୍ଡରେ ଅଭିଯୁକ୍ତକୁ ଘନଘନ ଜେରା

ଝାରସୁଗୁଡ଼ା: କିଛି ସତକୁ ଢୋକି ଦେଉଛି କି ନବ କିଶୋର ଦାସଙ୍କ ହତ୍ୟା ଅଭିଯୁକ୍ତ ଗୋପାଳକୃଷ୍ଣ ଦାସ । ସତ ବାହାର କରିବାକୁ ରିମାଣ୍ଡରେ ଗୋପାଳକୁ ଘନଘନ ଜେରା କରୁଛି କ୍ରାଇମବ୍ରାଞ୍ଚ । ଦ୍ୱିତୀୟ ପର୍ଯ୍ୟାୟ ରିମାଣ୍ଡର ଆଜି ଦ୍ୱିତୀୟ ଦିନ । ପୁଣି ଝାରସୁଗୁଡ଼ା ଯାଇ ତଦନ୍ତ କରୁଛନ୍ତି କ୍ରାଇମବ୍ରାଞ୍ଚ ଏଡିଜି ଅରୁଣ ବୋଥ୍ରା । ଖୁବଶୀଘ୍ର ଅଭିଯୁକ୍ତକୁ ନେଇ କ୍ରାଇମସିନ ରିକ୍ରିଏଟ କରିପାରେ କ୍ରାଇମବ୍ରାଞ୍ଚ । ଅଭିଯୁକ୍ତ ମୁହଁରୁ ଗୋଟି ଗୋଟି କରି ସତ ଆଦାୟ କରିବାକୁ ବୈଷୟିକ ଜ୍ଞାନକୌଶଳର ସହାୟତା ନେଇଛି ତଦନ୍ତକାରୀ ଟିମ୍ । ସିଏଫଏସଏଲର ଅଧିକାରୀଙ୍କ ସହାୟତାରେ ଗୋପାଳର ମନରେ ଚାଲିଥିବା ଭାବନାକୁ ଜାଣିବାକୁ ଚାହିଁଛି କ୍ରାଇମବ୍ରାଞ୍ଚ । ଫୋକସରେ ରହିଛି ଅଭିଯୁକ୍ତର ଆଚରଣ, ବ୍ୟକ୍ତିତ୍ୱ ଓ ସାମଗ୍ରିକ ମାନସିକତା ।

ହତ୍ୟାର ପ୍ରକୃତ କାରଣ ସହିତ ପ୍ରମାଣ ଖୋଜିବାରେ ଲାଗିପଡ଼ିଛି କ୍ରାଇମବ୍ରାଞ୍ଚ । ଏଭଳି ସ୍ଥିତିରେ ତଦନ୍ତକାରୀ ଟିମ୍ ଆଗରେ ଗୋପାଳ ରଖୁଥିବା ବୟାନ କେତେ ସତ ? ଏହାର ଗୁମର ଖୋଜିବାକୁ ଏଲଭିଏ ବା ଲେୟର୍ଡ ଭଏସ୍ ଆନାଲିସିସ୍ ଟେଷ୍ଟ ଓ ସାଇକୋଲୋଜିକାଲ୍ ଆସେସମେଣ୍ଟ ପରୀକ୍ଷା କରାଯାଇଛି । ଅନ୍ୟପଟେ ଗୋପାଳର ମାନସିକ ସ୍ଥିତି ଯାଞ୍ଚ କରୁଛି ସ୍ୱତନ୍ତ୍ର ମେଡିକାଲ ବୋର୍ଡ। ଏସସିବିର ୪ ଜଣିଆ ମନସ୍ତତ୍ତ୍ୱବିତ୍ ଟିମ୍ ଗୋପାଳ ଉପରେ ନଜର ରଖିଛନ୍ତି ।