ପତ୍ନୀ ଖୋଜୁଛନ୍ତି ବିଜେପି ନେତା! ଭାଇରାଲ୍ ହେଲା ପୋଷ୍ଟ

1 min read

କୋହିମା: ପତ୍ନୀ ଖୋଜୁଛି, ପ୍ରୟାସ ବି ଜାରି ରହିଛି । ଏଭଳି ଏକ ପୋଷ୍ଟ ସୋସିଆଲ୍ ମିଡିଆରେ ଝଡ଼ ସୃଷ୍ଟି କରିଛି । ଏହି ପୋଷ୍ଟ କରିଛନ୍ତି ବିଜେପି ମନ୍ତ୍ରୀ । ମାଟ୍ରିମୋନି ଆପ୍ ‘ସାଦି ଡଟ୍ କମ୍’ର ଫାଉଣ୍ଡର ମଧ୍ୟ ଏହି ପୋଷ୍‌ଟରେ କମେଣ୍ଟ କରିଛନ୍ତି । ଯାହାର ଜବାବ ବି କୁ୍ୟଟ୍ ଅନ୍ଦାଜରେ ଦେଇଛନ୍ତି ମନ୍ତ୍ରୀ ।

ନାଗାଲାଣ୍ଡର ଉଚ୍ଚ ଶିକ୍ଷା ଓ ଆଦିବାସୀ ବ୍ୟାପାର ମନ୍ତ୍ରୀ ତଥା ନାଗାଲାଣ୍ଡ ବିଜେପି ରାଷ୍ଟ୍ରୀୟ ସଭାପତି ତେମଜେନ୍ ଇମନା ଅଲାଂ ଗୁଗୁଲ ସର୍ଚ୍ଚ ରିକମେଣ୍‌ଡେସନ୍ ର ଏକ ସ୍କ୍ରିନସଟ୍ ଶେୟାର କରିଛନ୍ତି । ସେ ଗୁଗୁଲ୍ ସର୍ଚ୍ଚ ବକ୍ସରେ ନିଜ ନାମର ୫ଟି ଲେଟର୍ ଟାଇପ୍ କରିଥିଲେ । ଯାହା ପରେ ଗୁଗୁଲ୍ ତରଫରୁ ତତ୍ ସମ୍ପର୍କିତ କିଛି କଣ୍ଟେଣ୍ଟ ଲିଷ୍ଟ ଦେଖାଯାଇଥିଲା ।

ଯେଉଁ ଲିଷ୍ଟର ପ୍ରଥମରେ ରହିଥିଲା- Temjen Imna Alongଙ୍କ ନାମ । ଦ୍ୱିତୀୟରେ- Temjen Imna Alongtwitter, ତୃତୀୟରେ Temjen Imna Along Age, ଚତୁର୍ଥରେ  Temjen Imna Along Wife ଶୋ କରିଥିଲା । ଏହା ପରେ ସେ ପୋଷ୍ଟରେ ଲେଖିଥିଲେ- ଗୁଗୁଲ୍ ସର୍ଚ୍ଚ ଇଞ୍ଜିନ ମୋତେ ଏକ୍ସାଇଟ୍ କରୁଛି, ମୁଁ ଏବେବି ପତ୍ନୀ ଖୋଜୁଛି ।

ଏହି ପୋଷ୍ଟ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଥିବା ବେଳେ ମାଟ୍ରିମୋନି ଆପ୍ ‘ସାଦି ଡଟ୍ କମ୍’ର ଫାଉଣ୍ଡର ଅନୁପମ୍ ମିତ୍ତଲ ଏହି ପୋଷ୍‌ଟରେ କମେଣ୍ଟ କରିଛନ୍ତି । ସେ କମେଣ୍ଟ କରିଛନ୍ତି- କିଛି କରିବାକୁ ପଡିବ ‘ସାଦି ଡଟ୍ କମ୍’ । ଯାହାର ଜବାବ ଭିନ୍ନ ଅନ୍ଦାଜରେ ଦେଇଛନ୍ତି ମନ୍ତ୍ରୀ । ଆଉ କହିଛନ୍ତି- ‘‘ଭାଇ ମୁଁ ବିନ୍ଦାସ ଅଛି, ସଲମାନ୍ ଭାଇର ବାହାଘର ଅପେକ୍ଷାରେ ରହିଛି’’ ।