ଅମୃତପାଲ ସିଂ ବିରୋଧରେ ପୋଲିସର ଆକ୍ସନ ଜାରି; ରାଜ୍ୟରେ ଆସନ୍ତାକାଲି ପର୍ଯ୍ୟନ୍ତ ଇଣ୍ଟରନେଟ୍ ସେବା ବନ୍ଦ

1 min read

ଅମୃତସର: ଅମୃତପାଲ ସିଂ ଓ ଓ୍ବାରିସ ପଞ୍ଜାବ ଦେ ସଂଗଠନ ବିରୋଧରେ ପୋଲିସର ଆକ୍ସନ ଜାରି । ପଳାତକ ଅମୃତପାଲକୁ ଧରିବାକୁ ପୋଲିସର ସର୍ଚ୍ଚ ଅପରେସନ ଜାରି ରହିଛି । ଏବେସୁଦ୍ଧା ଅମୃତପାଲର ୧୧୨ଜଣ ଘନିଷ୍ଠଙ୍କୁ ପୋଲିସ ଗିରଫ କରିଛି । ସୋସିଆଲ ମିଡିଆ ଉପରେ ଲଗାତାର ନଜର ରଖାଯାଇଛି । ହିଂସା ସୃଷ୍ଟିକାରୀ ଭାଷଣ ଦେବା ବା ପୋଷ୍ଟ କରୁଥିବା ବ୍ୟକ୍ତିଙ୍କ ବିରୋଧରେ ଦୃଢ଼ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୋଲିସ କହିଛି । କୌଣସି ସ୍ଥାନରେ ସାମ୍ପ୍ରଦାୟିକ ଦଙ୍ଗା ଯେପରି ଉପୁଯେ ତା’ ଉପରେ କଡ଼ା ନଜର ରଖାଯାଇଛି ।

ସେପଟେ ପୋଲିସ ଆକ୍ସନ ପୂର୍ବରୁ ଅମୃତପାଲର ଦାଦା ହରଜିତ ଓ ଡ୍ରାଇଭର ହରପ୍ରୀତ ସରେଣ୍ଡର କରିଥିବା ଜଣାପଡ଼ିଛି । ସାରାରାଜ୍ୟରେ ସୁରକ୍ଷାକର୍ମୀ ହାଇଆଲର୍ଟରେ ରହିଥିବା ବେଳେ ବର୍ଡର ଆଖପାଖ ଜିଲ୍ଲାରେ ସୁରକ୍ଷା ବ୍ୟବସ୍ଥା ବ୍ୟାପକ କଡ଼ାକଡ଼ି କରାଯାଇଛି । ବିଭିନ୍ନ ସହରରେ ପୋଲିସ ଫ୍ଲାଗମାର୍ଚ୍ଚ କରିଛି । ଅମୃତପାଳ ଫେରାର ପଛରେ ପାକିସ୍ତାନ ଲିଙ୍କ୍ ଥିବା ସନ୍ଦେହ କରାଯାଉଛି । ପାକିସ୍ତାନୀ ଗୁଇନ୍ଦା ସଂସ୍ଥା ISI କନେକ୍ସନକୁ ନେଇ ଛାନବିନ କରୁଛି ପୋଲିସ ।

ଗତକାଲି ପୋଲିସ ଗିରଫ କରିଥିବା ଅମୃତପାଲର ୪ସହଯୋଗୀଙ୍କ ବିରୋଧରେ NSA ଆକ୍ଟରେ ମାମଲା ରୁଜୁ ହୋଇଛି । ସେପଟେ ବ୍ରିଟେନ ହାଇ କମିସନରଙ୍କ ଅଫିସ ଆଗରେ ଖଲିସ୍ତାନୀ ସମର୍ଥକ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଖଲିସ୍ତାନ ଜିନ୍ଦାବାଦ ନାରା ଦେଇଛନ୍ତି । ବିକ୍ଷୋଭ ବେଳେ ତ୍ରିରଙ୍ଗା ତଳକୁ ଖସାଯାଇଥିବା ସୋସିଆଲ ମିଡିଆରେ ଭିଡିଓ ଭାଇରାଲ ହେଉଥିବା ବେଳେ ବ୍ରିଟିସ ଡେପୁଟଇ ହାଇକମିସନରଙ୍କୁ ଏ ନେଇ ଉତ୍ତର ମାଗିଛି ଭାରତୀୟ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ । ସେହିପରି ରାଜ୍ୟରେ ଏସଏମଏସ ଓ ଇଣ୍ଟରନେଟ୍ ସେବା ଆସନ୍ତାକାଲି ପର୍ଯ୍ୟନ୍ତ ବନ୍ଦ କରାଯାଇଛି । ଆଶା କରାଯାଉଛି ଯେ ଆଜି ସନ୍ଧ୍ୟା ସୁଦ୍ଧା ତାଙ୍କୁ ଗିରଫ କରିବ ପଞ୍ଜାବ ପୋଲିସ ।