୪୮ ଘଣ୍ଟା ପାଇଁ ସମ୍ବଲପୁରରେ ଚାଲିବନି ସୋସିଆଲ ମିଡିଆ

ସମ୍ବଲପୁର: ଜିଲ୍ଲାରେ ଇଣ୍ଟରନେଟ ସେବା ବନ୍ଦ । ୪୮ ଘଣ୍ଟା ପାଇଁ ଇଣ୍ଟରନେଟ ସେବା ବନ୍ଦ କଲେ ସରକାର । ଏନେଇ ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଗତକାଲି ହନୁମାନ ଜୟନ୍ତୀ ବାଇକ ରାଲି ସମୟରେ ପୋଲିସ ଉପରକୁ ପଥରମାଡ ଘଟଣା ପରେ ଶାନ୍ତି ଶୃଙ୍ଖଳା ଭଙ୍ଗ ପାଇଁ କିଛି ଗୋଷ୍ଠୀ ପ୍ରୟାସ କରୁଛନ୍ତି । ସୋସିଆଲ ମିଡିଆ ଦ୍ବାରା ଲୋକଙ୍କୁ ଉସକେଇବା ପାଇଁ ମେସେଜ ପଠାଯାଉଛି । ତେଣୁ ଶାନ୍ତି ଶୃଙ୍ଖଳା ବଜାୟ ରଖିବା ପାଇଁ ସରକାରଙ୍କ ପକ୍ଷରୁ ଇଣ୍ଟରନେଟ ବନ୍ଦ କରାଯାଇଛି ।

ହ୍ବାଟ୍ସଆପ୍‌, ଫେସବୁକ, ଟୁଇଟର, ଇନଷ୍ଟାଗ୍ରାମ, ସ୍ନାପଚାଟ ଭଳି ସୋସିଆଲ ମିଡିଆ ସାଇଟ ବ୍ୟାନ୍‌ କରାଯାଇଛି । ଆଜି ସକାଳ ୧୦ଟାରୁ ୪୮ ଘଣ୍ଟା ପାଇଁ ଇଣ୍ଟରନେଟ ବନ୍ଦ କରାଯାଇଛି । ଆଜି ସକାଳୁ ପଥରମାଡ଼କୁ ନେଇ ୨୫ ଜଣଙ୍କୁ ଉଠାଇ ନେଲା ପୋଲିସ । ପଥରମାଡରେ ୧୦ରୁ ଅଧିକ ପୋଲିସ ଆହତ ହୋଇଛନ୍ତି । ବର୍ତମାନ ସମ୍ବଲପୁରର ୬ ଥାନା ଅଂଚଳରେ ୧୪୪ ଧାରା ଜାରି ରହିଛି । ବର୍ତମାନ ପରିସ୍ଥିତି ନିୟନ୍ତ୍ରଣାଧିନ ଅଛି ।

ବିଶେଷକରି ରାମ ମନ୍ଦିର ହନୁମାନ ମନ୍ଦିର ଓ ବିଭିନ୍ନ ମସଜିଦରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି ।