ଆଜି ଆନ୍ତର୍ଜାତିକ ମହିଳା ଦିବସ; ମହିଳାଙ୍କୁ ସଶକ୍ତ ଓ ସମୃଦ୍ଧ କରିବାକୁ ସାରା ବିଶ୍ଵ ପାଳୁଛି ଏହି ଦିନ

ନନ୍ଦିଘୋଷ ବ୍ୟୁରୋ : ଆଜି ଆନ୍ତର୍ଜାତିକ ମହିଳା ଦିବସ। ମହିଳାଙ୍କ ସଂଘର୍ଷ, ସ୍ଵାଧୀନତା ଆନ୍ଦୋଳନ, ଅଧିକାର ଏବଂ ସଫଳତା ଉପରେ ଆଲୋକପାତ କରିବାର ଦିନ। ଆଜିର ଏ ଦିନ ବିଶ୍ଵରେ ମହିଳାଙ୍କୁ ସାମାଜିକ, ଆର୍ଥିକ ଏବଂ ରାଜନୈତିକ କ୍ଷେତ୍ରରେ ସମାନ ଭାଗିଦାରୀର ପଥ ପ୍ରଦର୍ଶିତ କରୁଛି।୧୯୭୫ରେ ଅନ୍ତରାଷ୍ଟ୍ରୀୟ ମହିଳା ବର୍ଷ ଅବସରରେ ଜାତିସଂଘ ପ୍ରଥମେ ମହିଳା ଦିବସ ପାଳନ ଆରମ୍ଭ ହୋଇଥିଲା।
୧୯୭୭ ପରଠାରୁ ବିଧିବଦ୍ଧ ଭାବେ ଏହି ଦିବସ ପାଳନ ହୋଇଆସୁଛି। ଜାତିସଂଘରେ ଏହାକୁ ମାନ୍ୟତା ଦେବା ପରେ ପ୍ରତିବର୍ଷ ଏହି ଦିବସ ପାଳନ କରାଯାଉଛି। ଚଳିତ ବର୍ଷର ପ୍ରସଙ୍ଗ ରହିଛି ମହିଳାଙ୍କଠାରେ ବିନିଯୋଗ, ପ୍ରଗତି ଓ ତ୍ଵରାନ୍ବିତ। ଏହା ଲିଙ୍ଗଭେଦ, ମହିଳା ଏବଂ ବାଳିକାଙ୍କ ସଶକ୍ତୀକରଣ ଏବଂ ସୁସ୍ଥ ଜୀବନଯାପନ ଲାଗି ଅଧିକାର ଉପରେ ଗୁରୁତ୍ଵାରୋପ କରାଯାଇଛି। ଏହାର ମୂଳ ଲକ୍ଷ୍ଯ ମହିଳାଙ୍କୁ ଆର୍ଥିକ ଭାବେ ସକ୍ଷମ କରିବା।..ଭାରତରେ ଆନ୍ତର୍ଜାତିକ ମହିଳା ଦିବସର ମହତ୍ଵ ଲଗାତାର ବଢିବାରେ ଲାଗିଛି।
ମହିଳାଙ୍କୁ ସଶକ୍ତ କରିବା ସହ ଶିକ୍ଷା, ରୋଜଗାର ଏବଂ ରାଜନୀତିରେ ସେମାନଙ୍କ ସମାନ ଅଂଶୀଦାର ବୃଦ୍ଧି କରିବା ଏହାର ମୂଳ ଲକ୍ଷ୍ୟ। ମହିଳାଙ୍କ ଜୀବନକୁ ପ୍ରଭାବିତ କଲାଭଳି ପ୍ରସଙ୍ଗ ବିଷୟରେ ସଚେତନତା ବୃଦ୍ଧି ଉପରେ ଗୁରୁତ୍ଵ ଦିଆଯାଉଛି। ଅନ୍ତରାଷ୍ଟୀୟ ମହିଳା ଦିବସ ଭାରତରେ ମହିଳାଙ୍କ ଅଧିକାର ନେଇ ଜାରି ରହିଥିବା ଆନ୍ଦୋଳନକୁ ମନେ ପକାଉଛି।
ଦେଶରେ ଅଭୂତପୂର୍ବ ବିକାଶ ସତ୍ତ୍ବେ ଏବେବି ମହିଳାଙ୍କୁ ନେଇ ଆମ ସମାଜରେ ଭେଦଭାବ, ହିଂସା ଏବଂ ସମାଜିକ ବ୍ଯାଧିର ସାମନା କରିବାକୁ ପଡୁଛି। ଯାହାକି ମହିଳାଙ୍କ ସମ୍ପୂର୍ଣ୍ଣ ଉନ୍ନତି ଏବଂ ବିକାଶରେ ବାଧା ସାଜିଛି। ଆଜିକାର ଦିନ ମହିଳା ଏବଂ ଅନ୍ଯ ସହଯୋଗୀମାନଙ୍କ ମଧ୍ୟରେ ଏକତାକୁ ପ୍ରୋତ୍ସାହିତ କରୁଛି। ସମାନତା ଏବଂ ଆଇନଗତ ଲଢେଇରେ ଏକତା ଭାବକୁ ବୃଦ୍ଧି କରୁଛି। ମିଳିମିଶି ଏକ ଉଚିତ ସମାଜ ଗଠନ ଦିଗରେ କାମ କରିବାକୁ ପ୍ରେରଣା ପ୍ରଦାନ କରୁଛି। ଏହା କେବଳ ଗୋଟିଏ ଦିବସ ନୁହେଁ ବରଂ ମହିଳାଙ୍କ ବିକାଶ ନେଇ ପଦକ୍ଷେପ ଗ୍ରହଣ କରିବାର ଦିନ। ଯେଉଁଠାରେ ସମସ୍ତ ମହିଳା ଆଗକୁ ବଢିପାରିବେ ଏବଂ ନିଜର କ୍ଷମତାକୁ ପୂରଣ କରିପାରିବେ।