୫୦ ବର୍ଷ ତଳେ ଦେଶରେ ଥିଲେ ୨୬୮ ବାଘ, ଏବେ ବିଶ୍ୱର ସବୁଠୁ ଅଧିକ ବାଘଙ୍କ ଘର ଭାରତ

ନନ୍ଦିଘୋଷ ବ୍ୟୁରୋ: ସାରା ବିଶ୍ୱରେ ଆଜି ଅନ୍ତର୍ଜାତୀୟ ବ୍ୟାଘ୍ର ଦିବସ ପାଳନ କରାଯାଉଛି । ପ୍ରତି ବର୍ଷ ୨୯ ଜୁଲାଇରେ ଏହି ଦିନ ବାଘଙ୍କ ଲଗାତାର ହ୍ରାସ ପାଉଥିବା ସଂଖ୍ୟା ଉପରେ ନିୟନ୍ତ୍ରଣ କରିବା ଏବଂ ଲୋକଙ୍କୁ ସଚେତନ କରାଇବା ପାଇଁ ଏହାକୁ ପାଳନ କରାଯାଇଥାଏ । ଭାରତ ପାଇଁ ଏହି ଦିନ ଏଥିପାଇଁ ଖାସ୍ ରହିଥାଏ କାରଣ ବାଘ ଦେଶର ଜାତୀୟ ପଶୁ ଅଟେ । ଏପରି ଏକ ସମୟ ଥିଲା ଯେବେ ଭାରତରେ ବାଘଙ୍କ ସଂଖ୍ୟା ହ୍ରାସ ପାଇ ୨୬୮ ରହିଯାଇଥିଲା । ହେଲେ ୨୦୨୨ ଗଣନାରେ ଦେଶରେ ବାଘଙ୍କ ସଂଖ୍ୟା ବୃଦ୍ଧି ପାଇ ଏବେ ୩୧୬୭ ହୋଇଯାଇଛି । ଏହା ବିଶ୍ୱର ବାଘ ସଂଖ୍ୟାର ପ୍ରାୟ ୭୫ ପ୍ରତିଶତ ଅଟେ ।

ଅର୍ଥାତ ବିଶ୍ୱର ସବୁଠୁ ଅଧିକ ବାଘ ଥିବା ଦେଶ ହେଉଛି ଭାରତ । ଏହା ପୂର୍ବରୁ ୨୦୧୮ରେ ଏହି ସଂଖ୍ୟା ୨୯୬୭ ଥିଲା । ଅର୍ଥାତ ଗତ ଚାରି ବର୍ଷରେ ୨୦୦ ବାଘ ବୃଦ୍ଧି ପାଇଛି । ସୂଚନାନୁସାରେ ଭାରତରେ ପ୍ରାୟ ୫୦ ବର୍ଷ ପୂର୍ବେ ୧୯୭୩ରେ ପ୍ରୋଜେକ୍ଟ ଟାଇଗରର ଆରମ୍ଭ କରାଯାଇଥିଲା । ସେତେବେଳେ ଭାରତରେ କେବଳ ୨୬୮ ବାଘ ଥିଲେ । ଏହି ପ୍ରୋଜେକ୍ଟର ପରିଣାମ ଅନୁଯାୟୀ ଦେଶରେ ଏହି ଦୁର୍ଲଭ ପଶୁର ସଂଖ୍ୟା ଦ୍ରୁତତାର ସହ ବଢ଼ୁଛି । ଏକ ସରକାରୀ ରିପୋର୍ଟ ଅନୁଯାୟୀ ୧୯୭୩ରେ ୧୮, ୨୭୮ ବର୍ଗ କିମି ଜମିରେ ୯ ଟାଇଗର ରିଜର୍ଭ ସାମିଲ କରାଯାଇଥିଲା ଏବେ ଏହି ସଂଖ୍ୟା ବୃଦ୍ଧି ପାଇ ୫୩ରେ ପହଞ୍ଚିଛି । ଯାହା ୭୫,୭୯୬.୮୩ ବର୍ଗ କିମି କ୍ଷେତ୍ରରେ ବ୍ୟାପିଛି ।

ଏହା ଦେଶର ଭୌଗଳିକ କ୍ଷେତ୍ରର ପ୍ରାୟ ୨.୩ ପ୍ରତିଶତ ଅଟେ । ରିପୋର୍ଟ ଉପରେ ନଜର ପକାଇଲେ ଜଣାଯାଏ ଯେ ଦେଶରେ ୨୦୧୮ରେ ବାଘଙ୍କ ସଂଖ୍ୟା ୨୯୬୭, ୨୦୧୪ରେ ୨୨୨୬, ୨୦୧୦ରେ ୧୭୦୬ ଏବଂ ୨୦୦୬ରେ ୧୪୧୧ ଥିଲା । ବାଘ ସଂଖ୍ୟା ବୃଦ୍ଧି ମାମଲାରେ ମଧ୍ୟପ୍ରଦେଶ ସବୁ ରାଜ୍ୟମାନଙ୍କଠୁ ସବୁଠୁ ଆଗରେ ରହିଛି । ଏହାର ଟାଇଗର ଷ୍ଟେଟର ମାନ୍ୟତା ମଧ୍ୟ ବଳବତ୍ତର ରହିଛି । ୨୦୨୨ ଗଣନାରେ ମଧ୍ୟପ୍ରଦେଶରେ ସର୍ବାଧିକ ୭୮୫ ବାଘ ମିଳିଥିଲେ । ଏହାପରେ ୫୬୩ ବାଘ ସହ ଦ୍ୱିତୀୟ ସ୍ଥାନରେ କର୍ଣ୍ଣାଟକ ରହିଛି । ୫୬୦ ବାଘଙ୍କ ସହ ଉତ୍ତରାଖଣ୍ଡ ତୃତୀୟ ଏବଂ ମହାରାଷ୍ଟ୍ର ୪୪୪ ବାଘଙ୍କ ସହ ଚତୁର୍ଥ ସ୍ଥାନରେ ରହିଛି ।

ପ୍ରୋଜେକ୍ଟ ଟାଇଗରର ୫୦ ବର୍ଷ ଅବସରରେ ଏକ ସରକାରୀ ରିପୋର୍ଟରେ କୁହାଯାଇଥିଲା ଯେ ରାଷ୍ଟ୍ରୀୟ ବାଘ ସଂରକ୍ଷଣ ପ୍ରାଧିକରଣ (ଏନଟିସିଏ) ଏହା ସୁନିଶ୍ଚିତ କରିଛି ଯେ ଟାଇଗର କରିଡରରେ କୌଣସି ପ୍ରକାରର ଲ୍ୟାଣ୍ଡ ୟୁଜ ବଦଳାଇବା ଦ୍ୱାରା ଏଥିରେ କୌଣସି ବି ପ୍ରକାରର ବାଧା ଉତ୍ପନର ସମ୍ଭାବନା ଆସିପାରେ । ଏଥିପାଇଁ ରାଷ୍ଟ୍ରୀୟ ବନ୍ୟଜୀବ ବୋର୍ଡରୁ ଅନୁମୋଦନର ଆବଶ୍ୟକତା ହେବ । କିନ୍ତୁ ଏବେବି ଅନେକ ବାଧା ଜାରି ରହିଛି । ସୂଚନାଥାଉକି, ଇନ୍ଦିରା ଗାନ୍ଧିଙ୍କ ସରକାରରେ ଆରମ୍ଭ ହୋଇଥିବା ପ୍ରଜେକ୍ଟ ଟାଇଗରର ପ୍ରଥମ ନିର୍ଦ୍ଦେଶକ ଦାୟିତ୍ୱ କୈଳାଶ ସାଂଖଲା ସମ୍ଭାଳିଥିଲେ । କୈଳାଶଙ୍କୁ ଦ ଟାଇଗର ମ୍ୟାନ୍ ଅଫ ଇଣ୍ଡିଆ ମଧ୍ୟ କୁହାଯାଇଥାଏ । ବାଘଙ୍କ ପ୍ରତି ତାଙ୍କ ସମର୍ପଣକୁ ଦେଖି ତାଙ୍କୁ ପ୍ରୋଜେକ୍ଟ ଟାଇଗରର ପ୍ରଥମ ନିର୍ଦ୍ଦେଶକ କରାଯାଇଥିଲା ।