ଅନ୍ତର୍ଜାତୀୟ ଚା’ ଦିବସ, ଜାଣନ୍ତୁ କେଉଁ ଜିନିଷ ଖାଇବା ପରେ ଚା’ ପିଇବା ଉଚିତ ନୁହେଁ

ଭୁବନେଶ୍ବର: ସାରା ବିଶ୍ୱର ସବୁଠାରୁ ଲୋକପ୍ରିୟ ପାନୀୟ ହୋଉଛି ଚା’ । ଅଧିକାଂଶ ଲୋକଙ୍କର ସକାଳେ କପେ ଚା’ ହୋଇଗଲେ ମନ ଖୁସ୍ । ପ୍ରାୟ ସମସ୍ତଙ୍କର ଚା’ରୁ ହିଁ ଦିନ ଆରମ୍ଭ ହୁଏ । ଚା’ର ଲୋକପ୍ରିୟତା ଦିନକୁ ଦିନ ବଢ଼ିବାରେ ଲାଗିଛି । ଏହି ଲୋକପ୍ରିୟତାକୁ ଦେଖି ମିଳିତ ଜାତିସଂଘର ଖାଦ୍ୟ ଓ କୃଷି ସଙ୍ଗଠନ ହିଁ ପ୍ରଥମେ ‘ଅନ୍ତର୍ଜାତୀୟ ଚା’ ଦିବସ ପାଳନର ନିଷ୍ପତ୍ତି ନେଇଥିଲା । ଚଳିତ ବର୍ଷ ଅନ୍ତର୍ଜାତୀୟ ଚା’ ଦିବସର ଥିମ୍ ରହିଛି ‘ଟି ଆଣ୍ଡ ଫେୟାର ଟ୍ରେଡ୍’  । ୨୦୦୫ ଡିସେମ୍ବର ୧୫ ତାରିଖରେ ପ୍ରଥମ ଥର ପାଇଁ ଅନ୍ତର୍ଜାତୀୟ ଚା’ ଦିବସ ପାଳନ କରାଯାଇଥିଲା । କିନ୍ତୁ ମେ’ ୨୧କୁ ଅନ୍ତର୍ଜାତୀୟ ଚା’ ଦିବସ ଭାବେ ପାଳନ କରାଯାଉ ବୋଲି ଭାରତ ଜାତିସଂଘରେ ପ୍ରସ୍ତାବ ରଖିଥିଲା ।

୨୦୧୯ ମସିହାରୁ ଏହାକୁ ମେ’ ୨୧ ତାରିଖରେ ପାଳନ କରିବା ପାଇଁ ମିଳିତ ଜାତିସଂଘର ଖାଦ୍ୟ ଓ କୃଷି ସଙ୍ଗଠନର ସମ୍ମିଳନୀରେ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା । କାରଣ ମେ’ ମାସରେ ବିଶ୍ୱର ଅଧିକାଂଶ ଦେଶରେ ଚା’ ଅମଳ କରାଯାଏ । ଭାରତ ସମେତ ଶ୍ରୀଲଙ୍କା, ଚୀନ୍, ଜାପାନ୍, ଇଣ୍ଡୋନେସିଆ , ନେପାଳ ,ବାଂଲାଦେଶ ପ୍ରମୁଖ ଦେଶ କୋଟି କୋଟି ଟଙ୍କାର ଚା’ ବ୍ୟବସାୟ କରିଥାନ୍ତି ।

ଭାରତ ଏବେ ବିଶ୍ୱରେ ଦ୍ୱିତୀୟ ସର୍ବବୃହତ ଚା’ ଉତ୍ପାଦନକାରୀ ଦେଶ । ଚୀନ ସବୁଠାରୁ ଅଧିକ ଚା’ ଉତ୍ପାଦନ କରିଥାଏ । ଚା’ ଶ୍ରମିକଙ୍କ ଲାଗି ନିରାପଦ ପରିବେଶ ସୃଷ୍ଟି କରିବା ସହ ଚା’ ଉତ୍ପାଦନରେ ସୁଧାର ଆଣିବା ପାଇଁ ସଚେତନତା ସୃଷ୍ଟି କରିବା ହେଉଛି ଏହି ଦିବସର ମୂଳ ଲକ୍ଷ୍ୟ ।

ବର୍ତ୍ତମାନ ସମୟରେ ଲୋକମାନେ ସ୍ୱାସ୍ଥ୍ୟ ସଚେତନତା ଦୃଷ୍ଟିରୁ ବିଭିନ୍ନ ପ୍ରକାରର ଚା’ ପିଉଛନ୍ତି । ତେବେ ଏହା କିଛି ସମୟରେ ଶରୀର ପାଇଁ କ୍ଷତିକାରକ ମଧ୍ୟ ହୋଇଥାଏ । କେତେବେଳେ ଚା’ ପିଇଲେ ଏବଂ କେଉଁ ଜିନିଷ ଖାଇବା ପରେ ଚା’ ପିଇବା ଶରୀରପାଇଁ କ୍ଷତିକାରକ ହୋଇଥାଏ ଜାଣନ୍ତୁ ।

ଯେତେବେଳେ ଆପଣ ଥଣ୍ଡା ଜିନିଷ ଖାଉଛନ୍ତି ବି ପିଉଛନ୍ତି, ତତକ୍ଷଣାତ୍ ଚା’ ପିଇବା ଉଚିତ୍ ନୁହେଁ । ଏହା କରିବା ଦ୍ବାରା ଶରୀରର ହଜମ ପ୍ରକ୍ରିୟା ଉପରେ ନକାରାତ୍ମକ ପ୍ରଭାବ ପଡିପାରେ |

ଲେମ୍ବୁ ପାଣି ପିଇବା ପରେ ଚା’ ପିଇବା ଉଚିତ୍ ନୁହେଁ  । ଏହି କାରଣରୁ, ଅମ୍ଳ ସମସ୍ୟା ଦେଖାଦେଇପାରେ ।

ବେସନ ଏବଂ ମଇଦାରୁ ତିଆରି ଜିନିଷ ଖାଇବା ପରେ ମଧ୍ୟ ଚା’ ପିଇବା ଉଚିତ୍ ନୁହେଁ ।ଏହା ହଜମ ପ୍ରକ୍ରିୟା ସହିତ ଜଡିତ ସମସ୍ୟା ସୃଷ୍ଟି କରିପାରେ ।

ଖାଇବା ପରେ ତୁରନ୍ତ ଚା’ ଠାରୁ ଦୂରେଇ ରହିବା ଉଚିତ୍ । ଏହା ରକ୍ତଚାପ ସହ ଜଡିତ ସମସ୍ୟା ସୃଷ୍ଟି କରିପାରେ, ଯାହା ହୃଦୟ ପାଇଁ ବିପଜ୍ଜନକ ।