ଚାଷୀ ଆନ୍ଦୋଳନକୁ ବିଦେଶୀ ଷ୍ଟାର ସମର୍ଥନ ପରେ ବଲିଉଡ୍‌ରେ ରିଆକ୍ସନ

ନୂଆଦିଲ୍ଲୀ: କେବଳ ଭାରତରେ ନୁହେଁ ବିଦେଶରେ ମଧ୍ୟ ଚାଷୀଙ୍କ ପ୍ରତିବାଦକୁ ମିଳିଛି ସମର୍ଥନ । ଆମେରିକାର ପପ୍‌ ସିଙ୍ଗର ରିହାନା ଟୁଇଟ୍‌ କରି ଚାଷୀଙ୍କୁ ସମର୍ଥନ ଜଣାଇଛନ୍ତି । ତାଙ୍କର ଏହି ଗୋଟିଏ ଟୁଇଟ୍‌ ପରେ ଏବେ ବଲିଉଡ୍‌ ସହ କେନ୍ଦ୍ର ସରକାର ପ୍ରବଳ ବିରୋଧ କରିଛନ୍ତି ।

ସିଂଘୁ ସୀମାରେ ଚାଲିଥିବା ଚାଷୀଙ୍କ ପ୍ରତିବାଦକୁ ଏବେ ଚାରିଆଡୁ ସମର୍ଥନ ମିଳୁଥିବା ଦେଖିବାକୁ ମିଳୁଛି । ଆମେରିକାର ପପ୍ ସିଙ୍ଗର ରିହାନା ଏକ ଟୁଇଟ କରି ଚାଷୀଙ୍କ ସମସ୍ୟା ବିଷୟରେ ଆଲୋଚନା କରିବା ଦରକାର ବୋଲି କହିବା ପରେ ପୁରା ଭାରତରେ ହଲିଉଡ୍‌କୁ ନେଇ ଚର୍ଚ୍ଚା । ସବୁକଥାରେ ମୁଣ୍ଡପୁରାଉ ଥିବା ବଲିଉଡ଼ର ବିବାଦୀୟ ଅଭିନେତ୍ରୀ କଙ୍ଗନା ରାଣାଓ୍ୱତ, ରିହାନାଙ୍କୁ ଟାର୍ଗେଟ କରି ବାମପନ୍ଥୀ ସେଲିବ୍ରିଟି ଓ ଡାହାଣ ପନ୍ଥୀ ସେଲିବ୍ରିଟି ଲେଖି ଟୁଇଟ୍‌ କରିଛନ୍ତି । ତାଙ୍କ ପଛେ ପଛେ ଅକ୍ଷୟ କୁମାର, ଅଜୟ ଦେବଗନ ମଧ୍ୟ ରିହାନାଙ୍କୁ ଟୁଇଟ୍‌ କରି ବଦନାମ କରିବାକୁ ଚେଷ୍ଟା କରିଛନ୍ତି । ପୂର୍ବରୁ କ୍ଲାଇମେଟ୍‌ ଚେଞ୍ଜ ଆକ୍ଟିଭିଷ୍ଟ ଗ୍ରେଟା ଥନବର୍ଗ ମଧ୍ୟ ଚାଷୀଙ୍କ ସମର୍ଥନରେ ଟୁଇଟ୍‌ କରିଥିଲେ ।

ଏଠି ପ୍ରଶ୍ନ ଉଠୁଛି ଆମେରିକାରେ ଘଟୁଥିବା ଘଟଣାକୁ ବିରୋଧ କରୁଥିବା କଙ୍ଗନାଙ୍କର ରିହାନାଙ୍କ କ୍ଷେତ୍ରରେ କାହିଁକି ଅସୁବିଧା ? ଚାଷୀଙ୍କୁ ଆତଙ୍କବାଦୀ କହୁଥିବା କଙ୍ଗନା ନିଜକୁ କଣ ପରିଚୟ ଦେବାକୁ ଚାହୁଁଛନ୍ତି ? ଚାଷୀଙ୍କ ସମର୍ଥନରେ ଜଣେ ପପ୍ ସିଙ୍ଗର ଆଲୋଚନା କରିବା କଣ ଭୁଲ୍ ?

ସେପଟେ ବିଦେଶୀଙ୍କ ଏଭଳି ଚାଷୀ ସମର୍ଥନ ଦେଖି ଚିନ୍ତାରେ ବୈଦେଶିକ ମନ୍ତ୍ରାଳୟ । ଶେଷରେ ସ୍ଥିତି ଏମିତି ହେଲା ଯେ ବିଦେଶୀ ସେଲିବ୍ରିଟିଙ୍କୁ ଚେତାବନୀ ଦେବାକୁ ପଡିଛି । କୃଷି ଆଇନକୁ ନେଇ ମାତ୍ର କିଛି ଚାଷୀ ଆନ୍ଦୋଳନ କରୁଛନ୍ତି । ସେମାନଙ୍କୁ ବୁଝାଇବା ପାଇଁ ସରକାର ବାରମ୍ବାର ଆଲୋଚନା କରୁଛନ୍ତି । ତେଣୁ ଏ ପ୍ରସଙ୍ଗରେ ବାହାର ଲୋକଙ୍କ ବୟାନକୁ ବରଦାସ୍ତ କରାଯିବନି ବୋଲି ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ।

ଏପଟେ ଚାଷୀ ପ୍ରସଙ୍ଗରେ ସଂସଦରେ ହେବ ସାଢେ ୧୪ ଘଣ୍ଟାର ଆଲୋଚନା । ଏନେଇ ସରକାର ଓ ବିରୋଧୀଙ୍କ ମଧ୍ୟରେ ସହମତି ହୋଇଛି । ଏଥିପାଇଁ ରାଜ୍ୟସଭାରେ ଦୁଇ ଦିନ ପାଇଁ ପ୍ରଶ୍ନକାଳ ହେବନାହିଁ । କିନ୍ତୁ ଆଲୋଚନା ପୂର୍ବରୁ ନାରାବାଜି ଯୋଗୁ ଗୃହକୁ ମୁଲତବି ଘୋଷଣା କରାଯାଇଛି । ବିରୋଧ ପ୍ରଦର୍ଶନ ପାଇଁ ୩ ଆପ୍ ସାଂସଦଙ୍କୁ ଗୃହରୁ ବାହାର କରିବା ପାଇଁ ନୋଟିସ୍ କରାଯାଇଛି । ବିପକ୍ଷ ଦଳର ନେତା ଗୁଲାମନବୀ ଆଜାଦ୍‌ ମଧ୍ୟ ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି । ଅନ୍ନଦାତାଙ୍କ ବିରୋଧରେ ସରକାର ନ ଲଢି ପାକିସ୍ତାନ ଓ ଚୀନ ବିରୋଧରେ ଲଢନ୍ତୁ ବୋଲି ଆଜାଦ କଟାକ୍ଷ କରିଛନ୍ତି ।

Leave a Reply