ଆରମ୍ଭ ହେଲା ଖଣି ଓ ଭିତ୍ତିଭୂମି ଅନ୍ତର୍ଜାତୀୟ ଏକ୍ସପୋ-୨୦୨୪

1 min read

ଭୁବନେଶ୍ବର: ପୁଞ୍ଜିନିବେଶର ପ୍ରଥମ ପସନ୍ଦ ଓଡ଼ିଶା । ଡିସେମ୍ବରରେ ମେକ୍-ଇନ୍-ଓଡ଼ିଶା ଚତୁର୍ଥ ସଂସ୍କରଣ । ଆଜି ଭୁବନେଶ୍ବରରେ ଉଦଘାଟିତ ହୋଇଛି ଖଣି ଓ ଭିତ୍ତିଭୂମି ଅନ୍ତର୍ଜାତୀୟ ଏକ୍ସପୋ-୨୦୨୪ । ସମ୍ମିଳନୀରେ ଜାପାନ, ୟୁରୋପ ଓ ସାର୍କ ଦେଶରୁ ପ୍ରତିନିଧି ଯୋଗ ଦେଇଛନ୍ତି । ଖଣିଜ ଉତ୍ତୋଳନରେ ବ୍ୟାଟେରୀ ଚାଳିତ ହେଭି ମେସିନ୍ ଶୋ କେସିଂ ସହ ବିଭିନ୍ନ ଅତ୍ୟାଧୁନିକ ଜ୍ଞାନ କୌଶଳ ପ୍ରଦର୍ଶିତ ହୋଇଛି । ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ପାଇଥିବା ମହିଳା ଉଦ୍ୟୋଗୀ ସମ୍ବର୍ଦ୍ଧିତ ହୋଇଛନ୍ତି ।

ମେକ୍-ଇନ୍-ଓଡ଼ିଶାର ୩ଟି ସଂସ୍କରଣରେ ରାଜ୍ୟକୁ ୨୧ ଲକ୍ଷ ୪୮ ହଜାର କୋଟିର ପ୍ରସ୍ତାବ ଆସିଛି । ସେଥିରୁ ୧୦ ଲକ୍ଷ ୫୦ ହଜାର କୋଟିର ଗ୍ରାଉଣ୍ଡ ବ୍ରେକିଂ ହୋଇସାରିଛି । ଡିସେମ୍ବରରେ ହେବାକୁ ଥିବା ଚତୁର୍ଥ ସଂସ୍କରଣରେ ଆହୁରି ଅଧିକ ପୁଞ୍ଜି ରାଜ୍ୟକୁ ଆସିବ । ଆଜିଠାରୁ ୧୮ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଖଣି ଓ ଭିତ୍ତିଭୂମି ଅନ୍ତର୍ଜାତୀୟ ଏକ୍ସପୋ-୨୦୨୪ ଉଦଘାଟନି ଅବସରରେ ଏହି ସୂଚନା ଦେଇଛନ୍ତି ଶିଳ୍ପ ମନ୍ତ୍ରୀ ପ୍ରତାପ କେଶରୀ ଦେବ । ଖଣି ରାଜସ୍ବ ଦେବାରେ ଓଡ଼ିଶା ଦେଶରେ ଏକ ନମ୍ବର । ଭାରତର ମୋଟ ଖଣିଜ ଉତ୍ପାଦନର ପ୍ରାୟ ଅଧା ଅଂଶ ରାଜ୍ୟ ଦେଉଛି । ଭୁବନେଶ୍ବର ବରମୁଣ୍ଡା ପଡିଆରେ ଅନୁଷ୍ଠିତ ହେଉଥିବା ୪ ଦିନିଆ ଏହି ବାଣିଜ୍ୟ ଶୋରେ ଅକ୍ଷୟ ଶକ୍ତି ଓ ବ୍ୟାଟେରୀ ବ୍ୟବହାର କରି ହେଭି ମେସିନର ଶୋ କେସିଂ କରାଯାଇଛି । ବିନା ଶୁଳ୍କରେ ଦିନ ୧୧ଟାରୁ ରାତି ୮ଟା ପର୍ଯ୍ୟନ୍ତ ସାଧାରଣ ଲୋକେ ଏହି ପ୍ରଦର୍ଶନୀ ଦେଖିପାରିବେ ।

ସବୁ କ୍ଷେତ୍ରରେ ମହିଳା କିପରି ସଶକ୍ତ ହେବେ ସେ ନେଇ ମୁଖ୍ୟମନ୍ତ୍ରୀ ଅଗ୍ରାଧିକାର ଦେଇ ଆସିଛନ୍ତି । ଓଡ଼ିଆ ମହିଳା ଉଦ୍ୟୋଗୀ ଏବେ ଅନ୍ତର୍ଜାତୀୟ ସ୍ତରରେ ସୁଖ୍ୟାତି ଅର୍ଜନ କରିପାରିଛନ୍ତି । ପୂର୍ବରୁ ଖଣି ଶିଳ୍ପରେ ମହିଳାଙ୍କ ଭାଗିଦାରୀ ଦେଖିବାକୁ ମିଳୁ ନଥିଲା । ଓଡ଼ିଶାରେ ଏହାର ବ୍ୟତୀକ୍ରମ ଦେଖିବାକୁ ମିଳିଛି । ମାଇନିଂ କ୍ଷେତ୍ରରେ ଓଡ଼ିଶାର ମହିଳା ହେଭି ମେସିନ୍ ଚଳାଇ ଦେଶରେ ଉଦାହରଣ ସୃଷ୍ଟି କରିପାରିଛନ୍ତି । ସେହିପରି ମୁଖ୍ୟମନ୍ତ୍ରୀଙ୍କ ଦୂରଦୃଷ୍ଟି ଯୋଗୁଁ ଓଡ଼ିଶାର ମହିଳା ଏବେ ବହୁରାଷ୍ଟ୍ରୀୟ କମ୍ପାନୀରେ ଉଚ୍ଚ ପଦ ପଦବୀରେ ଅବସ୍ଥାପିତ ହୋଇପାରିଛନ୍ତି । ମହିଳାଙ୍କ ପ୍ରତିନିଧିତ୍ବ ନେଇ ଓଡ଼ିଶା ସରକାର ଯେତେ ଆନ୍ତରିକତା ଦେଖାଇଛନ୍ତି ତାହା ଅନ୍ୟ କୌଣସି ରାଜ୍ୟରେ ଦେଖିବାକୁ ମିଳେନା ବୋଲି କହିଛନ୍ତି ମହିଳା ଏଣ୍ଟରପ୍ରିନ୍ଯୁୟୋର ।