ଇଣ୍ଡୋନେସିଆ ସରକାରଙ୍କ ୫ ହଜାର ଏକର ଜମିକୁ ଫେରାଇ ଦେଇ ବିଜୁବାବୁ କ’ଣ କହିଥିଲେ ଜାଣନ୍ତୁ…

1 min read

ଭୁବନେଶ୍ୱର: ବିଜୁ ପଟ୍ଟନାୟକ, ନାଁ ହି ଯଥେଷ୍ଟ । ନିଜ ମର୍ଜିର ମାଲିକ ଥିଲେ । ଡର ତାଙ୍କ ଡିକ୍ସନାରୀରେ ନଥିଲା । ବିଜୁ ତାଙ୍କ ଜୀବନ କାଳରେ ହିଁ କିମ୍ବଦନ୍ତୀ ପାଲଟି ଯାଇଥିଲେ । ତେଣିକି ତାହା ଇଣ୍ଡୋନେସିଆ ରେସ୍କ୍ୟୁ ଅପରେସନ୍ ହେଉ କି କାଶ୍ମୀରକୁ ବଞ୍ଚାଇବା । କିମ୍ବା ବ୍ରିଟିଶ୍ ଅଧିକାରୀଙ୍କ ବ୍ଲଡି ଇଣ୍ଡିଆନ୍ ଭର୍ତ୍ସନା ଶୁଣି ବିମାନକୁ ରାଜସ୍ଥାନର ମରୁଭୂମିରେ ଓହ୍ଲାଇ ଦେବା ମଧ୍ୟ ଏହି କିମ୍ବଦନ୍ତୀର ଅଂଶ । ଅବଶ୍ୟ ବିଜୁ ବିମାନକୁ ପୁଣି ଉଡାଇଥିଲେ ତେବେ ବ୍ରିଟିଶ ଅଧିକାରୀଙ୍କ କ୍ଷମା ପ୍ରାର୍ଥନା ପରେ ।

ଡଗଲସ C-47B-20-ଡାକୋଟା ବିମାନ ଭିତରର ଚିତ୍ର,ବିମାନରେ ଇଣ୍ଡୋନେସିଆ ନେତା

ବିଜୁ ଓଡ଼ିଶାକୁ ଯେତିକି ଭଲ ପାଉଥିଲେ ତା’ଠାରୁ ଅଧିକ ଭଲ ପାଉଥିଲେ କଳିଙ୍ଗକୁ । କଳିଙ୍ଗ ଏହି ନାମ ତାଙ୍କ ପାଇଁ ସବୁକିଛି ଥିଲା । ତେଣୁ କଳିଙ୍ଗ ଏୟାରଲାଇନ୍ସଠାରୁ କଳିଙ୍ଗ ଟ୍ୟୁବ୍, କଳିଙ୍ଗ ଖବର କାଗଜ ଥିଲା ତାଙ୍କ ଉଦ୍ୟମ । ଏହି ସବୁ ଉଦ୍ୟମ ପଛରେ ଥିବା ଗୋଟିଏ ଲକ୍ଷ୍ୟ । ଓଡ଼ିଶା ବାହାରର ଲୋକ କଳିଙ୍ଗକୁ ଜାଣନ୍ତୁ । କଳିଙ୍ଗର ଇତିହାସକୁ ବୁଝନ୍ତୁ ।

ସୁକର୍ଣ୍ଣୋଙ୍କୁ ଉଦ୍ଧାର କରିବାକୁ ଇଣ୍ଡୋନେସିଆରେ ପହଞ୍ଚିବା ବେଳର ଫଟୋ

ଓଡ଼ିଶା ବାହାରେ ସେ କଳିଙ୍ଗ ସମ୍ରାଟ ଭାବେ ପରିଚିତ ଥିଲେ । ବିଜୁଙ୍କ ଦେହାନ୍ତ ପରେ ଭାରତ ପ୍ରସିଦ୍ଧ ଇଂରାଜୀ ସାପ୍ତାହିକ ପତ୍ରିକା ଇଣ୍ଡିଆ ଟୁଡେ ଶ୍ରଦ୍ଧାଞ୍ଜଳି ଦେଇ ତାଙ୍କୁ କଳିଙ୍ଗ ସମ୍ରାଟ୍ ଭାବେ ଉଲ୍ଲେଖ କରିଥିଲା ।

ବିଜୁବାବୁଙ୍କ ଅନ୍ଦାଜ ମଧ୍ୟ ସମ୍ରାଟ ଭଳି ଥିଲା । ଇଣ୍ଡୋନେସିଆର ପ୍ରଥମ ରାଷ୍ଟ୍ରପତି ସୁକର୍ଣ୍ଣୋଙ୍କୁ ଡଚ୍ ଘେରାବନ୍ଦୀରୁ ନିଜ ବିମାନରେ ଉଡାଇ ଆଣିଥିଲେ । ୧୯୫୦ ମସିହାରେ ଇଣ୍ଡୋନେସିଆ ତାଙ୍କୁ କୃତଜ୍ଞତା ସ୍ୱରୂପ ୫ ହଜାର ଜଙ୍ଗଲ ଜମି ଓ ଗୋଟିଏ ପ୍ରାସାଦ ଉପହାର ଭାବେ ଦେବାକୁ ଚାହିଁଥିଲା । କିନ୍ତୁ ବିଜୁ ଥିଲେ ବିଜୁ । ଉପହାରକୁ ଗ୍ରହଣ ନକରି କୁଆଡେ କହିଥିଲେ କଳିଙ୍ଗ ସମ୍ରାଟ ନିଜ ପ୍ରଜାଙ୍କଠାରୁ ଉପହାର ନିଏ ନାହିଁ । ଏମିତି କହି ସେ କଳିଙ୍ଗ ସହ ଇଣ୍ଡୋନେସିଆର ପୁରୁଣା ସମ୍ପର୍କ କଥା ମନେ ପକାଇଥିଲେ । ଯେଉଁ ସମୟରେ ଓଡ଼ିଶାରୁ ସାଧବ ଇଣ୍ଡୋନେସିଆ ଯାଉଥିଲେ । ସୂଚନାଯୋଗ୍ୟ ଯେ, ଇଣ୍ଡୋନେସିଆରେ ହିନ୍ଦୁ ଧର୍ମର ପ୍ରସାରରେ କଳିଙ୍ଗର ସର୍ବାଧିକ ଭୂମିକା ଥିଲା । ବାଲି ଦ୍ୱୀପରେ ଏବେ ମଧ୍ୟ ଓଡ଼ିଶା ସଂସ୍କୃତିର ଚିହ୍ନ ଦେଖିବାକୁ ମିଳେ ।

ଏହି ଡଗଲସ C-47B-20-ଡାକୋଟା ବିମାନକୁ ଡଚ୍ ସେନା ଗୁଳି କରି ଖସାଇ ଦେଇଥିଲା
ଜ୍ଞାନ ପଟ୍ଟନାୟକଙ୍କ କୋଳରେ ମେଘାବତି ସୁକର୍ଣ୍ଣପୁତ୍ରୀ

ଇଣ୍ଡୋନେସିଆର ସର୍ବୋଚ୍ଚ ସମ୍ମାନ ପାଇଥିବା ବିଜୁ ପଟ୍ଟନାୟକ ସୁକର୍ଣ୍ଣୋଙ୍କ ଝିଅ ତଥା ପରବର୍ତ୍ତୀ କାଳରେ ଇଣ୍ଡୋନେସିଆ ରାଷ୍ଟ୍ରପତି ହୋଇଥିବା ମେଘାବତି ସୁକର୍ଣ୍ଣୋପୁତ୍ରିଙ୍କ ନାମକରଣ କରିଥିଲେ । ସୁକର୍ଣ୍ଣ ତାଙ୍କ ଝିଅର ନାମକରଣ ବିଜୁ ପଟ୍ଟନାୟକଙ୍କ ପରାମର୍ଶରେ କରିଥିଲେ ।
ଏବେ ଜାଣନ୍ତୁ ବିଜୁ କିମ୍ବଦନ୍ତୀର ଆଉ ଗୋଟିଏ କାହାଣୀ । ବିଜୁ ପଟ୍ଟନାୟକ ଇଣ୍ଡୋନେସିଆକୁ ଗୋଟିଏ ଡଗଲସ C-47B-20-ଡାକୋଟା ବିମାନ ଧାର ସୂତ୍ରରେ ଦେଇଥିଲେ । କିନ୍ତୁ ୧୯୪୭ ମସିହାରେ ଡଚ୍ ସେନା ଏହି ବିମାନକୁ ଗୁଳି କରି ଖସାଇ ଦେଇଥିଲା । ଦେଖନ୍ତୁ ସେହି ବିମାନର ଧ୍ୱଂସାବଶେଷର ଫଟୋ । ଇଣ୍ଡୋନେସିଆ ରେଡ୍ କ୍ରସକୁ ବିଜୁ ଏହି ବିମାନ ମାନବୀୟ ଆଧାରରେ ଧାର ଦେଇଥିଲେ । ତେବେ ପରେ ଡଚ୍ ସରକାର ବଦଳେ ବିଜୁ ବାବୁଙ୍କୁ ଆଉ ଗୋଟିଏ ନୂଆ ବିମାନ ଦେଇଥିଲେ । ତେବେ ବିମାନକୁ ବିଜୁ ନିଜେ ରଖିନଥିଲେ । ଏହାକୁ ସେ ଇଣ୍ଡୋନେସିଆକୁ ଦାନ କରି ଦେଇଥିଲେ ।

Leave a Reply