ଇଣ୍ଡୋନେସିଆ ସରକାରଙ୍କ ୫ ହଜାର ଏକର ଜମିକୁ ଫେରାଇ ଦେଇ ବିଜୁବାବୁ କ’ଣ କହିଥିଲେ ଜାଣନ୍ତୁ…
1 min readଭୁବନେଶ୍ୱର: ବିଜୁ ପଟ୍ଟନାୟକ, ନାଁ ହି ଯଥେଷ୍ଟ । ନିଜ ମର୍ଜିର ମାଲିକ ଥିଲେ । ଡର ତାଙ୍କ ଡିକ୍ସନାରୀରେ ନଥିଲା । ବିଜୁ ତାଙ୍କ ଜୀବନ କାଳରେ ହିଁ କିମ୍ବଦନ୍ତୀ ପାଲଟି ଯାଇଥିଲେ । ତେଣିକି ତାହା ଇଣ୍ଡୋନେସିଆ ରେସ୍କ୍ୟୁ ଅପରେସନ୍ ହେଉ କି କାଶ୍ମୀରକୁ ବଞ୍ଚାଇବା । କିମ୍ବା ବ୍ରିଟିଶ୍ ଅଧିକାରୀଙ୍କ ବ୍ଲଡି ଇଣ୍ଡିଆନ୍ ଭର୍ତ୍ସନା ଶୁଣି ବିମାନକୁ ରାଜସ୍ଥାନର ମରୁଭୂମିରେ ଓହ୍ଲାଇ ଦେବା ମଧ୍ୟ ଏହି କିମ୍ବଦନ୍ତୀର ଅଂଶ । ଅବଶ୍ୟ ବିଜୁ ବିମାନକୁ ପୁଣି ଉଡାଇଥିଲେ ତେବେ ବ୍ରିଟିଶ ଅଧିକାରୀଙ୍କ କ୍ଷମା ପ୍ରାର୍ଥନା ପରେ ।
ବିଜୁ ଓଡ଼ିଶାକୁ ଯେତିକି ଭଲ ପାଉଥିଲେ ତା’ଠାରୁ ଅଧିକ ଭଲ ପାଉଥିଲେ କଳିଙ୍ଗକୁ । କଳିଙ୍ଗ ଏହି ନାମ ତାଙ୍କ ପାଇଁ ସବୁକିଛି ଥିଲା । ତେଣୁ କଳିଙ୍ଗ ଏୟାରଲାଇନ୍ସଠାରୁ କଳିଙ୍ଗ ଟ୍ୟୁବ୍, କଳିଙ୍ଗ ଖବର କାଗଜ ଥିଲା ତାଙ୍କ ଉଦ୍ୟମ । ଏହି ସବୁ ଉଦ୍ୟମ ପଛରେ ଥିବା ଗୋଟିଏ ଲକ୍ଷ୍ୟ । ଓଡ଼ିଶା ବାହାରର ଲୋକ କଳିଙ୍ଗକୁ ଜାଣନ୍ତୁ । କଳିଙ୍ଗର ଇତିହାସକୁ ବୁଝନ୍ତୁ ।
ଓଡ଼ିଶା ବାହାରେ ସେ କଳିଙ୍ଗ ସମ୍ରାଟ ଭାବେ ପରିଚିତ ଥିଲେ । ବିଜୁଙ୍କ ଦେହାନ୍ତ ପରେ ଭାରତ ପ୍ରସିଦ୍ଧ ଇଂରାଜୀ ସାପ୍ତାହିକ ପତ୍ରିକା ଇଣ୍ଡିଆ ଟୁଡେ ଶ୍ରଦ୍ଧାଞ୍ଜଳି ଦେଇ ତାଙ୍କୁ କଳିଙ୍ଗ ସମ୍ରାଟ୍ ଭାବେ ଉଲ୍ଲେଖ କରିଥିଲା ।
ବିଜୁବାବୁଙ୍କ ଅନ୍ଦାଜ ମଧ୍ୟ ସମ୍ରାଟ ଭଳି ଥିଲା । ଇଣ୍ଡୋନେସିଆର ପ୍ରଥମ ରାଷ୍ଟ୍ରପତି ସୁକର୍ଣ୍ଣୋଙ୍କୁ ଡଚ୍ ଘେରାବନ୍ଦୀରୁ ନିଜ ବିମାନରେ ଉଡାଇ ଆଣିଥିଲେ । ୧୯୫୦ ମସିହାରେ ଇଣ୍ଡୋନେସିଆ ତାଙ୍କୁ କୃତଜ୍ଞତା ସ୍ୱରୂପ ୫ ହଜାର ଜଙ୍ଗଲ ଜମି ଓ ଗୋଟିଏ ପ୍ରାସାଦ ଉପହାର ଭାବେ ଦେବାକୁ ଚାହିଁଥିଲା । କିନ୍ତୁ ବିଜୁ ଥିଲେ ବିଜୁ । ଉପହାରକୁ ଗ୍ରହଣ ନକରି କୁଆଡେ କହିଥିଲେ କଳିଙ୍ଗ ସମ୍ରାଟ ନିଜ ପ୍ରଜାଙ୍କଠାରୁ ଉପହାର ନିଏ ନାହିଁ । ଏମିତି କହି ସେ କଳିଙ୍ଗ ସହ ଇଣ୍ଡୋନେସିଆର ପୁରୁଣା ସମ୍ପର୍କ କଥା ମନେ ପକାଇଥିଲେ । ଯେଉଁ ସମୟରେ ଓଡ଼ିଶାରୁ ସାଧବ ଇଣ୍ଡୋନେସିଆ ଯାଉଥିଲେ । ସୂଚନାଯୋଗ୍ୟ ଯେ, ଇଣ୍ଡୋନେସିଆରେ ହିନ୍ଦୁ ଧର୍ମର ପ୍ରସାରରେ କଳିଙ୍ଗର ସର୍ବାଧିକ ଭୂମିକା ଥିଲା । ବାଲି ଦ୍ୱୀପରେ ଏବେ ମଧ୍ୟ ଓଡ଼ିଶା ସଂସ୍କୃତିର ଚିହ୍ନ ଦେଖିବାକୁ ମିଳେ ।
ଇଣ୍ଡୋନେସିଆର ସର୍ବୋଚ୍ଚ ସମ୍ମାନ ପାଇଥିବା ବିଜୁ ପଟ୍ଟନାୟକ ସୁକର୍ଣ୍ଣୋଙ୍କ ଝିଅ ତଥା ପରବର୍ତ୍ତୀ କାଳରେ ଇଣ୍ଡୋନେସିଆ ରାଷ୍ଟ୍ରପତି ହୋଇଥିବା ମେଘାବତି ସୁକର୍ଣ୍ଣୋପୁତ୍ରିଙ୍କ ନାମକରଣ କରିଥିଲେ । ସୁକର୍ଣ୍ଣ ତାଙ୍କ ଝିଅର ନାମକରଣ ବିଜୁ ପଟ୍ଟନାୟକଙ୍କ ପରାମର୍ଶରେ କରିଥିଲେ ।
ଏବେ ଜାଣନ୍ତୁ ବିଜୁ କିମ୍ବଦନ୍ତୀର ଆଉ ଗୋଟିଏ କାହାଣୀ । ବିଜୁ ପଟ୍ଟନାୟକ ଇଣ୍ଡୋନେସିଆକୁ ଗୋଟିଏ ଡଗଲସ C-47B-20-ଡାକୋଟା ବିମାନ ଧାର ସୂତ୍ରରେ ଦେଇଥିଲେ । କିନ୍ତୁ ୧୯୪୭ ମସିହାରେ ଡଚ୍ ସେନା ଏହି ବିମାନକୁ ଗୁଳି କରି ଖସାଇ ଦେଇଥିଲା । ଦେଖନ୍ତୁ ସେହି ବିମାନର ଧ୍ୱଂସାବଶେଷର ଫଟୋ । ଇଣ୍ଡୋନେସିଆ ରେଡ୍ କ୍ରସକୁ ବିଜୁ ଏହି ବିମାନ ମାନବୀୟ ଆଧାରରେ ଧାର ଦେଇଥିଲେ । ତେବେ ପରେ ଡଚ୍ ସରକାର ବଦଳେ ବିଜୁ ବାବୁଙ୍କୁ ଆଉ ଗୋଟିଏ ନୂଆ ବିମାନ ଦେଇଥିଲେ । ତେବେ ବିମାନକୁ ବିଜୁ ନିଜେ ରଖିନଥିଲେ । ଏହାକୁ ସେ ଇଣ୍ଡୋନେସିଆକୁ ଦାନ କରି ଦେଇଥିଲେ ।