ଲୁଧିଆନା ଅଦାଲତ ବିସ୍ଫୋରଣ ପଛରେ ଖଲିସ୍ତାନୀ ଆତଙ୍କବାଦୀ,ପାକିସ୍ତାନ ଦେଇଛି ସହଯୋଗ

ଚଣ୍ଡିଗଡ଼: ଲୁଧିଆନା ଜିଲ୍ଲା ଅଦାଲତ ପରିସରରେ ଗୁରୁବାର ଦିନ ହୋଇଥିବା ବିସ୍ଫୋରଣ ପଛରେ ଖଲିସ୍ତାନୀ ଆତଙ୍କବାଦୀ ଓ ପାକିସ୍ତାନର ହାତ ଥିବା ଜଣା ପଡିଛି । ପଂଜାବକୁ ଅସ୍ଥିର କରିବା ପାଇଁ ଏହି ବିସ୍ଫୋରଣ କରାଯାଇଥିଲା । ଏହି ବିସ୍ଫୋରଣ ପଛରେ ଜର୍ମାନୀ ଓ ପାକିସ୍ତାନରେ ଲୁଚିଥିବା ଆତଙ୍କବାଦୀଙ୍କ ହାତ ଥିବା ଜଣା ପଡିଛି । ଜର୍ମାନୀରେ ରହୁଥିବା ଜସବିନ୍ଦିର ସିଂହ ମୁଲତାନୀର ବିସ୍ଫୋରଣରେ ସକ୍ରିୟ ଭୂମିକା ଥିବା ପୋଲିସ ତଦନ୍ତରୁ ଜଣା ପଡିଛି ।


ପଂଜାବର ହୋସିଆରପୁର ଜିଲ୍ଲାର ମଂସୁରପୁର ଗାଁର ମୁଳ ନିବାସୀ ମୁଲତାନୀ ବିସ୍ଫୋରଣ ପାଇଁ ପାକିସ୍ତାନରେ ଥିବା ହରବିନ୍ଦର ସିଂହର ସାହାଯ୍ୟ ନେଇ ବିସ୍ଫୋରଣ କରିଥିବା ଜଣା ପଡିଛି । ହରବିନ୍ଦର ଓରଫ ରିନ୍ଦା ସାନ୍ଧୁ ସାହାଯ୍ୟରେ ଆଇଏସଆଇ ପଂଜାବକୁ ବିସ୍ଫୋରକ ଓ ଅସ୍ତ୍ରଶସ୍ତ୍ର ପଠାଇ ଥାଏ । ସାନ୍ଧୁଙ୍କୁ ପଂଜାବ ନିର୍ବାଚନରେ ବିଶୃଙ୍ଖଳା ସୃଷ୍ଟି ପାଇଁ ଆଇଏସଆଇ କଣ୍ଟ୍ରାକ୍ଟ ଦେଇଥିବା ସୁରକ୍ଷା ଏଜନେସି କହୁଛନ୍ତି ।


ମୁଲତାନୀର ପ୍ରତିବନ୍ଧିତ ସଂଗଠନ ସିଖ୍ ଫର ଜଷ୍ଟିସ୍ ସହ ସମ୍ପର୍କ ରହିଛି । ସେ ଆମେରିକାରେ ରହୁଥିବା ସିଖ୍ ଫର୍ ଜଷ୍ଟିସ୍ ମୁଖ୍ୟ ଅବତାର ସିଂହ ପାନୁର ସମ୍ପର୍କରେ ଅଛି । ସିଖ୍ ଜନମତ ସଂଗ୍ରହ ୨୦୨୦ ଜରିଆରେ ଖଲିସ୍ତାନୀ ଏଜେଣ୍ଡାକୁ ମୁଲତାନୀ ଆଗକୁ ବଢାଉଛି । ନିକଟରେ ମୁଲତାନୀ ପାକିସ୍ତାନରେ ଥିବା ନିଜ ସମ୍ପର୍କ ଜରିଆରେ ପଂଜାବକୁ ଅସ୍ତ୍ରଶସ୍ତ୍ର ପଠାଇଥିବା ରିପୋର୍ଟ ସୁରକ୍ଷା ଏଜେନ୍ସିଙ୍କୁ ମିଳିଛି ।

Leave a Reply