କ୍ରାନ୍ତି ଦିବସରେ ବିଜୁ ବାବୁଙ୍କୁ ଅପମାନ: ସ୍ବାଧୀନତା ସଂଗ୍ରାମୀଙ୍କ ଫଟୋରେ ମିଳିଲାନି ସ୍ଥାନ

ଭୁବନେଶ୍ବର: କ୍ରାନ୍ତି ଦିବସରେ ବିଜୁ ବାବୁଙ୍କୁ ଅପମାନ । ଭୁବନେଶର ସ୍ଵାଧୀନତା ସଂଗ୍ରାମୀ ପଡିଆରେ ଧୁମଧାମରେ କ୍ରାନ୍ତି ଦିବସ ପାଳନ ହେବା ଅବସରରେ ଫଟୋରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କୁ ମିଳିଲାନି ସ୍ଥାନ । ମଞ୍ଚରେ ଓଡ଼ିଶାର ବରପୁତ୍ରମାନଙ୍କ ଫଟୋକୁ ସ୍ଥାନ ଦିଆଯାଇଥିବା ବେଳେ ବିଜୁ ବାବୁଙ୍କ ଫଟୋ ରଖା ଯାଇ ନଥିଲା । ପ୍ରତିବର୍ଷ ବିଜୁ ବାବୁଙ୍କ ଫଟୋ ରଖା ଯାଉଥିଲାବେଳେ ଆୟୋଜକଙ୍କ ପକ୍ଷରୁ ଚଳିତବର୍ଷ କେମିତି ଭୁଲ ହେଲା ତାକୁ ନେଇ ପ୍ରଶ୍ନ ଉଠିଛି ।

ସେପଟେ ବିଜେଡି ନେତା ଅମର ଶତପଥି ଏହି ପ୍ରସଙ୍ଗରେ ତୀବ୍ର ପ୍ରତିକ୍ରିୟା ରଖିଛନ୍ତି । କାହିଁକି ବିଜୁ ପଟ୍ଟନାୟକଙ୍କ ଫଟୋଚିତ୍ର ନାହିଁ ବୋଲି ସେ ପ୍ରଶ୍ନ କରିଛନ୍ତି । ସେ କହିଛନ୍ତି, ବିଜୁ ବାବୁ କେବଳ ଓଡ଼ିଶାରେ ନୁହେଁ, ଭାରତ ବର୍ଷରେ ଜଣେ ଅଗ୍ରଣୀ ସ୍ବାଧୀନତା ସଂଗ୍ରାମୀ । ବିଜୁ ପଟ୍ଟନାୟକଙ୍କ ବଳିଦାନ ଓଡ଼ିଶାବାସୀ ଜାଣିଛନ୍ତି । ଫଟୋ ନ ରହିବା ଯଦି ଉଦ୍ଦେଶ୍ୟମୂଳକ ନୁହେଁ, କେଉଁଠି ତ୍ରୁଟି ହୋଇଛି ତାକୁ ସୁଧାରିବା ଦରକାର ବୋଲି କହିଛନ୍ତି ଅମର ।

ଅନ୍ଯପଟେ ଏହାକୁ ନେଇ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ରାଜନୈତିକ ସଚିବ ସଂତୃପ୍ତ ମିଶ୍ର ରଖିଛନ୍ତି ବିସ୍ଫୋରକ ବୟାନ । ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ନାମକୁ ଲିଭାଇ ଦେବାର ଏହା ଏକ ଅପଚେଷ୍ଟା ବୋଲି ସେ କହିଛନ୍ତି ।