ଧନତେରସରେ ସୁନା ରୂପା ବଦଳରେ କିଣନ୍ତୁ ଏହି ଜିନିଷ : ମହାଲକ୍ଷ୍ମୀଙ୍କ ବର୍ଷିବ କୃପା

ନନ୍ଦିଘୋଷ ବ୍ୟୁରୋ : ଆଜି ଧନତେରସ । ସନାତନ ଧର୍ମରେ ଏହି ପର୍ବର ବିଶେଷ ମହତ୍ତ୍ବ ରହିଛି । ଏହି ଦିନ ହିନ୍ଦୁ ଧର୍ମର ଲୋକ ମା’ ଲକ୍ଷ୍ମୀ, ଧନର ଦେବତା କୁବେର ଏବଂ ଧନ୍ବନ୍ତରୀଙ୍କୁ ପୂଜା କରନ୍ତି । ଧନତେରସରେ ପ୍ରଭୁ ଧନ୍ବନ୍ତରୀଙ୍କ ଜନ୍ମ ହୋଇଥିବାରୁ ଉକ୍ତ ଦିନକୁ ଧନ୍ବନ୍ତରୀ ତ୍ରୟୋଦଶୀ ବୋଲି ମଧ୍ୟ କୁହାଯାଏ । ଏହି ଦିନ ସୁନା, ରୁପା , ଅଳଙ୍କାର , ବାସନ ଏବଂ ଝାଡୁ କିଣିବା ଅତ୍ୟନ୍ତ ଶୁଭ ବୋଲି ମାନ୍ୟତା ରହିଛି । ଆଲୋକର ପର୍ବ ଦୀପାବଳିରେ ସମସ୍ତେ ଚାହାନ୍ତି ଯେ ତାଙ୍କ ଜୀବନରେ ମା’ ଲକ୍ଷ୍ମୀଙ୍କ ଅପାର କରୁଣା ଏବଂ ଆଶୀର୍ବାଦ ରହୁ । ସେଥିପାଇଁ ଏହିଦିନ ମା’ ଧନଲକ୍ଷ୍ମୀଙ୍କ ସ୍ବତନ୍ତ୍ର ପୂଜା ହୋଇଥାଏ । ଯାହାର ଆରମ୍ଭ ଧନତେରସରୁ ହିଁ ହୋଇଯାଏ । କେବଳ ମା’ ଲକ୍ଷ୍ମୀ ନୁହେଁ ଧନର ଦେବତା ପ୍ରଭୁ କୁବେରଙ୍କୁ ପ୍ରସନ୍ନ କରିବା ପାଇଁ ମଧ୍ୟ ଅନେକ ଲୋକ ଅନେକ ଉପାୟ ଆପଣାଇଥା’ନ୍ତି । ଏହି ଦିନ ଝାଡ଼ୁ କିଣିବା ଅତ୍ୟନ୍ତ ଶୁଭ ବୋଲି ମନେ କରାଯାଏ । ଖାଲି ଝାଡୁ କାହିଁକି ଲୁଣ ଏବଂ ଧନିଆ କିଣିବା ମଧ୍ୟ ଧନତେରସରେ ଶୁଭ ବୋଲି କୁହାଯାଇଛି । ଏହା ଘରେ ସୁଖ , ସମୃଦ୍ଧି ଆଣିବା ସହ ଧନର ପଥ ପ୍ରଶସ୍ତ କରିଥାଏ ବୋଲି ବିଶ୍ବାସ ରହିଛି । ସୁନା ଏବଂ ରୂପା ବ୍ୟତୀତ, ଏହି ଦିନ ଘରକୁ କିଛି ପବିତ୍ର ଜିନିଷ ଆଣିବା ଦ୍ୱାରା ଦେବୀ ଲକ୍ଷ୍ମୀ ପ୍ରସନ୍ନ ହୁଅନ୍ତି ଏବଂ ଦୁର୍ଭାଗ୍ୟ ଦୂର ହୁଏ ।
ଧନିଆକୁ ଧନ ଏବଂ ବୃଦ୍ଧିର ପ୍ରତୀକ ଭାବରେ ବିବେଚନା କରାଯାଏ। ଧନତେରସରେ ଧନିଆ ବିହନ କିଣିବା ବହୁତ ଶୁଭ ବୋଲି ବିବେଚନା କରାଯାଏ। ପୂଜା ସମୟରେ ଦେବୀ ଲକ୍ଷ୍ମୀଙ୍କୁ କିଛି ଧନିଆ ଅର୍ପଣ କରନ୍ତୁ ଏବଂ ତା’ପରେ ଏକ ପାତ୍ରରେ କିଛି ବିହନ ବୁଣନ୍ତୁ। ଯଦି ଗଛଟି ଭଲ ଭାବରେ ବଢ଼େ, ତେବେ ଏହା ଘରେ ସ୍ଥାୟୀ ସମୃଦ୍ଧି ଏବଂ ସୁଖ ଆଣିଥାଏ ବୋଲି କୁହାଯାଏ। ଧନତେରସରେ ଘରକୁ ହଳଦୀ ଆଣିବା ମଧ୍ୟ ଲାଭଦାୟକ। ଧନତେରସରେ କେସର କିଣିବା ଧାର୍ମିକ ଦୃଷ୍ଟିରୁ ମଧ୍ୟ ଲାଭଦାୟକ ବୋଲି ବିବେଚନା କରାଯାଏ
ଯଦି ପବିତ୍ର ଧନତେରସ ଅବସରରେ କେଉଁ ଜିନିଷ କିଣିବା ଉଚିତ୍ ନୁହେଁ ପ୍ରଶ୍ନ ଆସେ ତା’ହେଲେ ଏହି ଦିନ ଲୁହା କିମ୍ବା କୌଣସି ଧାରୁଆ ଜିନିଷ କିଣିବା ଉଚିତ୍ ନୁହେଁ । ଏଭଳି କରିବା ଦ୍ବାରା ଘରେ ଦାରିଦ୍ର୍ୟ ବୃଦ୍ଧି ପାଇବା ସହ ସ୍ବାସ୍ଥ୍ୟ ଉପରେ ମଧ୍ୟ ନକାରାତ୍ମକ ପ୍ରଭାବ ପଡ଼ିଥାଏ । ଏତଦବ୍ୟତିତ , ଏହି ଦିନରେ ଘରକୁ କଳା ଜିନିଷ ଏବଂ କାଚ ଜିନିଷ ଆଣିବା ଉଚିତ ନୁହେଁ । ଏହା ଜୀବନ ଉପରେ ଖରାପ ପ୍ରଭାବ ପକାଇଥାଏ ।