ଆକ୍ସନ ମୋଡ଼ରେ ସିଏମସି: ପାର୍କିଂ ବ୍ୟବସ୍ଥା ନଥିବା ଘରୋଇ ହସ୍ପିଟାଲଙ୍କୁ ୭ ଦିନ ମହଲତ

କଟକ: କଟକରେ ବିଭିନ୍ନ ଘରୋଇ ହସ୍ପିଟାଲରେ ପାର୍କିଂ ବ୍ୟବସ୍ଥା ଯାଞ୍ଚ ଆରମ୍ଭ । ସିଏମସି କମିଶନରଙ୍କ ଦ୍ଵାରା ଗଠିତ ଜଏଣ୍ଟ କମିଟି ସଦସ୍ୟ ଆଜି ମହାନଦୀ ବିହାର ଅଞ୍ଚଳରେ ଥିବା ବିଭିନ୍ନ ଘରୋଇ ହସ୍ପିଟାଲର ଲାଇସେନ୍ସ ସହିତ ପାର୍କିଂ ଯାଞ୍ଚ କରିଛି । ଦୁଇଟି ହସ୍ପିଟାଲର ପାର୍କିଂ ନଥିବା ଜଣାପଡିଛି । ଉକ୍ତ ହସ୍ପିଟାଲ କର୍ତ୍ତୃପକ୍ଷରୁ ୭ଦିନ ମହଲତ ଦେଇଛି ସିଏମସି । ଏହି ଅବଧି ମଧ୍ୟରେ ପାର୍କିଂ ବ୍ୟବସ୍ଥା ନକଲେ ହସ୍ପିଟାଲକୁ ସିଲ୍ କରାଯିବ ବୋଲି ଚେତାବନୀ ଦିଆଯାଇଛି । ସେପଟେ ପାର୍କିଂ ନଥିବାରୁ ସିଡିଏରୁ ସର୍ବକ୍ଷମା ପାଇଥିବା ହସ୍ପିଟାଲ କର୍ତ୍ତୃପକ୍ଷ ଦର୍ଶାଇଥିବାବେଳେ ଖୁବଶୀଘ୍ର ଏନେଇ ବ୍ୟବସ୍ଥା କରାଯିବ ବୋଲି କହିଛନ୍ତି ।
କମିଶନରଙ୍କ ନିର୍ଦ୍ଦେଶ ଜାରି ହେବା ପରେ ଆକ୍ସନ ମୋଡରେ ସିଏମସି । ଘରୋଇ ହସ୍ପିଟାଲ ଯାଞ୍ଚ ପାଇଁ ସ୍ୱାସ୍ଥ୍ୟ ଅଧିକାରୀଙ୍କ ଅଧ୍ୟକ୍ଷତାରେ ଗଠନ ହେଲା ଜଏଣ୍ଟ କମିଟି । ଏହି କମିଟି କଟକ ମହାନଦୀ ବିହାର ଅଞ୍ଚଳରେ ବିଭିନ୍ନ ଘରୋଇ ହସ୍ପିଟାଲ ଯାଞ୍ଚ କରିଛି । ପାର୍କିଂ ସହ ଫାୟାର, ଟ୍ରେଡ଼, ୟୁଜର୍ସ, ପଲ୍ୟୁସନ, ସିଡିଏ ପ୍ଲାନ ଆଦି ଯାଞ୍ଚ କରିଛି ଟିମ୍ । ଯାଞ୍ଚ ସମୟରେ ଦୁଇଟି ହସ୍ପିଟାଲରେ ପାର୍କିଂ ବ୍ୟବସ୍ଥା ନଥିବାରୁ କର୍ତ୍ତୃପକ୍ଷଙ୍କୁ ନୋଟିସ କରିବା ସହ ୭ ଦିନ ମହଲତ ଦିଆଯାଇଛି । ଯଦି ଏହି ସମୟ ମଧ୍ୟରେ ପାର୍କିଂ ବ୍ୟବସ୍ଥା ନକରନ୍ତି ତେବେ, ହସ୍ପିଟାଲ ସିଲ୍ କରାଯିବାକୁ ଚେତାବନୀ ଦିଆଯାଇଛି ।
ଯାଞ୍ଚକୁ ହସ୍ପିଟାଲ କର୍ତ୍ତୃପକ୍ଷ ଓ ଘରୋଇ ହସ୍ପିଟାଲ ସଂଘର ବରିଷ୍ଠ ସଦସ୍ୟ ସ୍ବାଗତ କରିଛନ୍ତି । ତେବେ ସପୃକ୍ତ ହସ୍ପିଟାଲରେ ପାର୍କିଂ ବ୍ୟବସ୍ଥା ନଥିବାରୁ ସିଡିଏରେ ସର୍ବକ୍ଷମା ଆବେଦନ ହୋଇଥିଲା । ୧୫ ଲକ୍ଷ ଟଙ୍କା ଫାଇନ ପରେ ବିଲଡିଂକୁ ଅନୁମତି ମିଳିଥିବା କହିଛନ୍ତି କର୍ତ୍ତୃପକ୍ଷ । ତେବେ ଖୁବଶୀଘ୍ର ପାର୍କିଂ ନେଇ ସୁବିଧା କରାଯିବ ବୋଲି ମାଲିକ କହିଛନ୍ତି ।
ରାଣୀହାଟ, ମଙ୍ଗଳାବାଗ କାଠଗୋଲା, ଯୋବ୍ରା ବଜ୍ରକବାଟି ମହାନଦୀ ବିହାର, ସିଡିଏ ତୁଳସୀପୁର ଆଦି ଅଞ୍ଚଳରେ ମାଳ ମାଳ ହସ୍ପିଟାଲ ଚାଲିଛି । ତେବେ ଅନେକ ହସ୍ପିଟାଲ ବ୍ୟବସାୟ ଆଳରେ ମୌଳିକ ସୁବିଧାକୁ ଭୁଲି ଯାଇଥିବା ଅଭିଯୋଗ ହୋଇଛି ।