ଶକ୍ତିଶାଳୀ ହେବ ଭାରତୀୟ ନୌସେନା: ସାମିଲ ହେବ ଡେଷ୍ଟ୍ରୟର ମୋର୍ମୁଗାଓ

1 min read

ନୂଆଦିଲ୍ଲୀ: ଆହୁରୀ ଶକ୍ତିଶାଳୀ ହେବ ଭାରତୀୟ ନୌସେନା । ସେନାରେ ସାମିଲ ହେବ ବାହୁବଳୀ ମୋର୍ମୁଗାଓ । ପି-୧୫୮ ଷ୍ଟେଲଥ ଗାଇଡେଡ ମିସାଇଲ ଡେଷ୍ଟ୍ରୟର ଭାବେ ପରିଚିତ ମୋର୍ମୁଗାଓକୁ ନୌସେନାକୁ ସମର୍ପଣ କରିବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ।

ମୋର୍ମୁଗାଓଙ୍କ ଶକ୍ତିକୁ ଦେଖି ପଡ଼ୋଶୀ ଚୀନ ଓ ପାକିସ୍ତାନ ମନରେ କୋକୁଆ ଭୟ ସୃଷ୍ଟି ହୋଇଛି । ସମସ୍ତ ପ୍ରକାର ଆଣବିକ, ଜୈବିକ ଓ ରାସାୟନିକ ଯୁଦ୍ଧ କ୍ଷେତ୍ରରେ ବ୍ୟବହୃତ ହୋଇପାରିବ ମୋର୍ମୁଗାଓ । ଭାରତ ମହାସାଗରରେ ରହି ଭାରତର ଶତ୍ରୁଙ୍କ ଉପରେ ନଜର ରଖିବ ଏହି ଡେଷ୍ଟ୍ରୟର । ମୁମ୍ବାଇସ୍ଥିତ ନାଭାଲ ଡକୟାର୍ଡରେ ଏହାକୁ ଦେଶକୁ ଉତ୍ସର୍ଗ କରାଯିବ ।

ଭାରତୀୟ ନୌସେନାର ନିଜସ୍ବ ନିର୍ମାଣକାରୀ ସଂସ୍ଥା ଓ୍ବାରସିପ ଡିଜାଇନ ବ୍ୟୁରୋ ପକ୍ଷରୁ ଏହାର ଡିଜାଇନ କରାଯାଇଥିବାବେଳେ ମାଜାଗାଓଁ ଡକ ସିପ୍ ବିଲଡର୍ସ ଲିମିଟେଡ ପକ୍ଷରୁ ଏହାକୁ ନିର୍ମାଣ କରାଯାଇଛି । ଗତବର୍ଷ ୧୯ ଡିସେମ୍ବରରେ ମୋର୍ମୁଗାଓ ନିଜର ପ୍ରଥମ ପରୀକ୍ଷାମୂଳକ ପ୍ରୟୋଗ କରିଥିଲା । ଏହାର ଲମ୍ବ ୧୬୩ ମିଟର ହୋଇଥିବାବେଳେ ଓସାର ୧୭ ମିଟର ।

ଆଜି ଯାଏଁ ଭାରତ ନିର୍ମାଣ କରିଥିବା ନୌଜାହାଜ ମଧ୍ୟରେ ଏହା ସବୁଠାରୁ ଶକ୍ତିଶାଳୀ । ଏହାର ଓଜନ ୭ ହଜାର ଟନ ହୋଇଥିବାବେଳେ ଏଥିରେ ଶକ୍ତିଶାଳୀ ଗ୍ୟାସ ଟର୍ବାଇନ ଲାଗିଛି । ଏଥିରେ ଭୂପୃଷ୍ଠରୁ ଭୂପୃଷ୍ଠକୁ ନିକ୍ଷେପ ହୋଇପାରୁଥିବା କ୍ଷେପଣାସ୍ତ୍ର, ସେନସର, ଏୟାର ମିସାଇଲ, ମଡର୍ଣ୍ଣ ସର୍ଭେଲାନ୍ସ ରାଡାର ଆଦି ଖଞ୍ଜାଯାଇଛି । ଏହାସହ ରକେଟ୍ ଲଞ୍ଚର, ଟର୍ପେଡୋ ଲଞ୍ଚର, ଏଏସଡବ୍ଲୁ ହେଲିକପ୍ଟର, ସୁପରରାଉଣ୍ଡ ଗନ ମାଉଣ୍ଟ ବ୍ୟବସ୍ଥା ରହିଛି ।