ଆହୁରି ଶକ୍ତିଶାଳୀ ହେବ ଭାରତୀୟ ନୌସେନା, INS ଇମ୍ଫାଲର ଆଜି ହେବ ଉନ୍ମୋଚନ

ନୂଆଦିଲ୍ଲୀ: ଆହୁରି ଶକ୍ତିଶାଳୀ ହେବ ଭାରତୀୟ ନୌସେନା । ମାଜାଗାଓଁ ଡକ୍ ସିପ୍ ବିଲଡର୍ସ ଲିମିଟେଡ ପକ୍ଷରୁ ନିର୍ମିତ ପ୍ରୋଜେକ୍ଟ –ବି ଗାଇଡେଡ ମିସାଇଲ ଷ୍ଟେଲଥ ଡେଷ୍ଟ୍ରୟର ଆଇଏନଏସ ଇମ୍ଫାଲର ଆଜି ହେବ ଉନ୍ମୋଚନ । ନୂଆଦିଲ୍ଲୀରେ ଆୟୋଜିତ ସ୍ବତନ୍ତ୍ର ଉତ୍ସବରେ ଏହାକୁ ଦେଶ ଲାଗି ଉତ୍ସର୍ଗ କରାଯିବ । ଗତ ଅକ୍ଟୋବର ୨୦ ତାରିଖରେ ଏହାକୁ ଭାରତୀୟ ନୌସେନା ହାତରେ ଅର୍ପଣ କରିଥିଲା ମାଜାଗାଓଁ ଡକ୍ ସିପ୍ ବିଲଡର୍ସ ଲିମିଟେଡ ।

ଜାହାଜରୁ ପରିବର୍ଦ୍ଧିତ ରେଞ୍ଜର ବ୍ରହ୍ମୋସ ମିସାଇଲର ସଫଳ ପରୀକ୍ଷା ପରେ ଏହାକୁ ନୌସେନାରେ ସାମିଲ କରାଯିବ । ଉନ୍ମୋଚନ ଉତ୍ସବରେ ସାମିଲ ହେବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଓ ମଣିପୁର ମୁଖ୍ୟମନ୍ତ୍ରୀ ଏନ. ବୀରେନ ସିଂ । ସାମୁଦ୍ରିକ ପରମ୍ପରା ଅନୁସାରେ ବିଭିନ୍ନ ଭାରତୀୟ ନୌସେନା ଜାହାଜକୁ ପାର୍ବତ୍ୟାଞ୍ଚଳ, ନଦୀ, ବନ୍ଦର, ଦ୍ବୀପ ନାମରେ ନାମିତ କରାଯାଇଥାଏ ।

ଉତ୍ତର ପୂର୍ବାଞ୍ଚଳ ରାଜ୍ୟର ଏକ ସହରର ନାମାନୁସାରେ ପ୍ରଥମ ଥର ଲାଗି ଏହି ଜାହାଜକୁ ନାମିତ କରାଯାଇଛି । ଭାରତୀୟ ନୌସେନାର ଯୁଦ୍ଧଜାହାଜ ଡିଜାଇନ ବ୍ୟୁରୋ ପକ୍ଷରୁ ଏହି ଜାହାଜକୁ ସ୍ବଦେଶୀ କାରିଗରିରେ ନିର୍ମିତ କରାଯାଇଛି । ଏହି ଜାହାଜରୁ ବ୍ରହ୍ମୋସ, ଟର୍ପେଡୋ ଟ୍ୟୁବ ଲଞ୍ଚର, ବୁଡାଜାହାଜ ବିଧ୍ବଂସୀ ରକେଟ ଲଞ୍ଚର, ୭୬ ମିମି ଏସଆରଜିଏମ ମୁଚୟନ ବ୍ୟବସ୍ଥା ରହିଛି ।