spot_img

Latest Posts

ଢାକାରେ ଇନକିଲାବ ମଞ୍ଚ ନେତା ଶରିଫ ଓସମାନ ହାଦିଙ୍କ ଶେଷକୃତ୍ୟ, ସେପଟେ ଦେଶରେ କମୁନି ହିଂସା

ଢାକାରେ ଇନକିଲାବ ମଞ୍ଚ ନେତା ଶରିଫ ଓସମାନ ହାଦିଙ୍କ ଶେଷକୃତ୍ୟ, ସେପଟେ ଦେଶରେ କମୁନି ହିଂସା

ନନ୍ଦିଘୋଷ ବ୍ୟୁରୋ: ବାଂଲାଦେଶ ରାଜଧାନୀ ଢାକାରେ ସମ୍ପନ୍ନ ହେଲା ଇନକିଲାବ ମଞ୍ଚ ନେତା ଶରିଫ ଓସମାନ ହାଦିଙ୍କ ଶେଷକୃତ୍ୟ । ଢାକା ୟୁନିଭର୍ସିଟି ସେଣ୍ଟ୍ରାଲ ମସଜିଦରେ ତାଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି । ଜାତୀୟ କବି କାଜି ନଜରୁଲ ଇସଲାମଙ୍କ କବର ନିକଟରେ ତାଙ୍କୁ କବର ଦିଆଯାଇଛି । ଏଥିରେ ହଜାର ହଜାର ଲୋକଙ୍କ ସମାଗମ ଦେଖିବାକୁ ମିଳିଛି । ହାଦିଙ୍କୁ ସମ୍ମାନ ଜଣାଇ ବିଭିନ୍ନ ସରକାରୀ ଓ ବେସରକାରୀ କୋଠାରେ ଜାତୀୟ ପତାକାକୁ କରାଯାଇଥିଲା ଅର୍ଦ୍ଧନମିତ । ସୁରକ୍ଷା ଦୃଷ୍ଟିରୁ ଅନେକ ସ୍ଥାନରେ ଅର୍ଦ୍ଧସାମରିକ ବାହିନୀ ଓ ପୋଲିସ ମୁତୟନ କରାଯାଇଥିଲା । ବାଂଲାଦେଶର ଅନ୍ତରୀଣ ଶାସକ ମହମ୍ମଦ ୟୁନୁସ କହିଛନ୍ତି ହାଦିଙ୍କ ଅବଦାନ ଚିରଦିନ ଲାଗି ଅବିସ୍ମରଣୀୟ ରହିବ ।

ସେପଟେ ଦୀପୁ ଦାସ ହତ୍ୟା ଘଟଣାରେ ରାପିଡ ଆକ୍ସନ ବାଟାଲିୟନ ୭ ଜଣଙ୍କୁ ଗିରଫ କରିଛି ବୋଲି କହିଛନ୍ତି ସରକାରଙ୍କ ମୁଖ୍ୟ ପରାମର୍ଶଦାତା । ଗିରଫ ବ୍ୟକ୍ତିଙ୍କ ବୟସ ୧୯ରୁ ୪୬ ବର୍ଷ ମଧ୍ୟରେ । ତେଣେ ଚଟ୍ଟୋଗ୍ରାମ ସ୍ଥିତ ନ୍ୟାସନାଲ ଡେମୋକ୍ରାଟିକ ଫ୍ରଣ୍ଟ ପାର୍ଟି ସଭାପତି ଅନିସୁଲ ଇସଲାମ ମହମ୍ମଦଙ୍କ ଘରେ ଭଙ୍ଗାରୁଜା କରିଛନ୍ତି ଆନ୍ଦୋଳନକାରୀ । ଉତ୍ତେଜନା ଦୃଷ୍ଟିରୁ ଢାକାର କଲଚରାଲ ସେଣ୍ଟରକୁ ବନ୍ଦ କରିଦିଆଯାଇଛି ।

୨୦୨୪ ଛାତ୍ର ଆନ୍ଦୋଳନର ନେତା ହାଦିଙ୍କ ମୃତ୍ୟୁ ଘଟଣାକୁ ନେଇ ସାରା ଦେଶରେ ସୃଷ୍ଟି ହୋଇଥିଲା ହିଂସା । ଦୁଇଟି ଖବରକାଗଜ କାର୍ଯ୍ୟାଳୟକୁ ଆନ୍ଦୋଳନକାରୀ ପୋଡ଼ି ଦେଇଥିବାବେଳେ ବଙ୍ଗବନ୍ଧୁ ଶେଖ ମୁଜିବୁର ରେହମାନଙ୍କ ଘରକୁ ବି ଭାଙ୍ଗିଦେଇଥିଲେ । ହାଦିଙ୍କ ହତ୍ୟାଙ୍କୁ କେନ୍ଦ୍ର କରି ଢାକାରେ ଥିବା ଦୁଇ ପ୍ରମୁଖ ସମ୍ବାଦପତ୍ର କାର୍ଯ୍ୟାଳୟକୁ ଜାଳି ଦେଇଥିଲେ ଆନ୍ଦୋଳନକାରୀ । ପ୍ରଥୋମ ଆଲୋ ଖବରକାଗଜ ଏବଂ ଡେଲି ଷ୍ଟାର ନାମକ ଦୁଇ ପ୍ରମୁଖ ସମ୍ବାଦପତ୍ର କାର୍ଯ୍ୟାଳୟର କୋଠାରେ ହମଲା କରିଥିଲେ ଆନ୍ଦୋଳନକାରୀ । ଭଂଗାରୁଜା ସହ ନିଆଁ ଲଗାଇ ଦେଇଥିଲେ ।

Latest Posts

Don't Miss