୧୧ ଜଣିଆ ଆନ୍ତଃରାଜ୍ୟ ଲୁଟେରା ଗ୍ୟାଙ୍ଗକୁ ଗିରଫ କଲା କମିଶନରେଟ ପୋଲିସ

ଭୁବନେଶ୍ୱର: ଭୁବନେଶ୍ବରରେ ମାତିଛନ୍ତି ଆନ୍ତଃରାଜ୍ୟ ଲୁଟେରା ଗ୍ୟାଙ୍ଗ । ରାଜଧାନୀରେ ଟ୍ରାଫିକ ପୋଷ୍ଟରେ ବଂଜାରାଙ୍କୁ ଦେଖିଲେ ହୋଇଯାଆନ୍ତୁ ସାବଧାନ । ସ୍ତ୍ରୀ ଦିନରେ ଛୁଆ ଧରି ଟ୍ରାଫିକରେ ବୁଲୁଥିବାବେଳେ ଲୁଟ୍ ପାଇଁ ଟାର୍ଗେଟ କରୁଛି ସ୍ବାମୀ । ଆନ୍ତଃରାଜ୍ୟ ଲୁଟେରା ଗ୍ୟାଙ୍ଗକୁ ଗିରଫ କରିଛି କମିଶନରେଟ ପୋଲିସର ସ୍ପେଶାଲ ସ୍କ୍ବାଡ୍ । ୧୧ ଜଣିଆ ଲୁଟେରା ଗ୍ୟାଙ୍ଗକୁ ଗିରଫ କରାଯାଇଛି । ସେମାନଙ୍କ ନାଁରେ ଧଉଳି, ବଡ଼ଗଡ଼, ଲକ୍ଷ୍ମୀସାଗର, ଏୟାରପୋର୍ଟ,ଏୟାରଫିଲଡ଼, ତମାଣ୍ଡୋ ଥାନାରେ ୧୬ଟି ମାମଲା ରହିଛି । ଅଭିଯୁକ୍ତଙ୍କ ନିକଟରୁ ସୁନା, ରୁପା, ଅଳଙ୍କାର, ମୂର୍ତ୍ତି, ହତିଆର ଜବତ କରାଯାଇଛି ।

ଚଡ଼ି, ଗଞ୍ଜି ଡ୍ରେସକୋଡରେ ଦୀର୍ଘଦିନ ଧରି ଘରେ ପଶି ଲୁଟୁଥିଲେ ଅଭିଯୁକ୍ତ । ପୋଲିସକୁ ଚକମା ଦେବାକୁ ଡ୍ରେସ ଖୋଲି କରୁଥିଲେ ଅପରେସନ । ଗୋଟିଏ ରାତିରେ ଦୁଇରୁ ତିନୋଟି ଘରେ ବୁଲାଉଥିଲେ କଳାକନା । ଦିନରେ ରେକି କରି ରାତିରେ ଗ୍ରୀଲ କାଟି ଘରୁ ଲୁଟ୍ କରୁଥିଲେ । ଲୋକ ଶୋଇଥିବା ସମୟରେ ଶୋଇବା ଘର ଆଗରୁ ଲକ୍ କରି ଅନ୍ୟ ରୁମରୁ ଚୋରି କରୁଥିଲେ । ସାରା ଦେଶରେ ଏହି ଗ୍ୟାଙ୍ଗ ସକ୍ରିୟ ଥିବାବେଳେ ଜାମସେଦପୁର ଓ ଦିଲ୍ଲୀରୁ ଆସି ଭୁବନେଶ୍ବରକୁ ଆସି ଲୁଟ ଚଳାଇଛନ୍ତି । ଗ୍ୟାଙ୍ଗର ମୂଳରେ ପହଞ୍ଚିବାକୁ ରାଜସ୍ଥାନ, ଛତିଶଗଡ଼ ଓ ଝାଡ଼ଖଣ୍ଡ ପୋଲିସ ସହ ଆଲୋଚନା କରିବ କମିଶନରେଟ ପୋଲିସ ।