ଜେଲରେ ଗର୍ଭବତୀ ହେଉଛନ୍ତି ମହିଳା କଏଦୀ

କୋଲକାତା: ପଶ୍ଚିମବଙ୍ଗର ଜେଲ୍ ରେ ମହିଳା କଏଦୀ ମାନେ ହେଉଛନ୍ତି ଗର୍ଭବତୀ । ଏଭଳି ସାଂଘାତିକ ଅଭିଯୋଗ ଆସିଛି ପଶ୍ଚିମବଙ୍ଗରୁ । ତେବେ ମହିଳା ଜେଲରେ ଅନ୍ତେବାସୀଙ୍କୁ କରାଯାଉଛି କି ଯୌନ ଶୋଷଣ । ପଶ୍ଚିମବଙ୍ଗର ବିଭିନ୍ନ ମହିଳା ଜେଲରେ ୧୯୬ଟି ଶିଶୁ ଜନ୍ମ ନେବା ପରେ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।  କୋଲକାତା ହାଇକୋର୍ଟରେ ଆମିକସକ୍ୟୁରୀ ଦେଇଥିବା ରିପୋର୍ଟରେ ରହିଛି ଏମିତି ଲୋମଟାଙ୍କୁରା ତଥ୍ୟ।

ରାଜ୍ୟରେ ଜେଲ୍ ସଂସ୍କାର କାର୍ଯ୍ୟକ୍ରମ ସଂପର୍କରେ ହାଇକୋର୍ଟରେ ଶୁଣାଣୀ ବେଳେ ଏମିତି ତଥ୍ୟ ରଖିଛନ୍ତି ଆମିକସ୍ କ୍ୟୁରି। କୋଲକାତା ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ଟିଏସ ସିଭାଙ୍ଗନମ୍ ଓ ଜଷ୍ଟିସ ସୁପ୍ରତିମ୍ ଭଟ୍ଟାଚାଯ୍ୟ ଗଠିତ ଖଣ୍ଡପୀଠ ମାମଲାକୁ ଗମ୍ଭୀରତାର ସହ ନେଇଥିଲେ । ଏହି ମାମଲା ସ୍ବତନ୍ତ୍ର କ୍ରିମିନାଲ୍ ଡିଭିଜନ ବେଞ୍ଚରେ ଶୁଣାଣି କରାଯିବାକୁ ନିର୍ଦ୍ଦେଶ ଦେଇଥିଲେ । ଏଭଳି ଜଘନ୍ୟ ଅପରାଧ ହ୍ରାସ କରିବାକୁ ଆମକସ କ୍ୟୁରି କେତେକ ପ୍ରସ୍ତାବ ଦେଇଛନ୍ତି ।

ତେବେ ମହିଳା ଜେଲ୍ ରେ ପୁରୁଷଙ୍କ ନିଯୁକ୍ତି ସଂପୂର୍ଣ୍ଣ ବନ୍ଦ କରିବାକୁ କୁହାଯାଇଛି । ସେହିପରି ମହିଳା ଜେଲ୍ ରେ ଅନ୍ତେବାସୀ ମାନଙ୍କ ବ୍ୟବହାରରେ ସୁଧାର ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନେବାକୁ ପ୍ରସ୍ତାବ ଦିଆଯାଇଛି । ପଶ୍ଚିମବଙ୍ଗର ସମସ୍ତ ଜିଲ୍ଲା ଜଜ ଙ୍କୁ ସେମାନଙ୍କ ଅଧିନରେ ଥିବା ମହିଳା ଜେଲ୍ ଗୁଡିକରେ କେତେ ସଂଖ୍ୟାରେ ଅନ୍ତେବାସୀ ଗର୍ଭବତୀ ହୋଇଛନ୍ତି ତାକୁ ଯାଞ୍ଚ କରିବାକୁ ପ୍ରସ୍ତାବ ଦେଇଛନ୍ତି ଆମକସ କ୍ୟୁରି । ଅନ୍ୟ ଏକ ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବ ହେଲା କୌଣସି ମହିଳାଙ୍କୁ ଜେଲ୍ କୁ ନେବା ପୂର୍ବରୁ ତାଙ୍କର ଗର୍ଭ ପରୀକ୍ଷା କରାଯିବା ଆବଶ୍ୟକ । ତେବେ ଏହି ସମସ୍ତ ପ୍ରସ୍ତାବ କୋଲକାତା ହାଇକୋର୍ଟର ବିଚାରାଧିନ ରହିଛି ।