ପ୍ରେସମିଟ ବେଳେ ଭାରତୀୟ କିଷାନ ୟୁନିଅନ ନେତା ରାକେଶ ଟିକାୟତଙ୍କ ଉପରେ କାଳିମାଡ଼

1 min read

ବାଙ୍ଗାଲୋର: ଭାରତୀୟ କିଷାନ ୟୁନିଅନ ନେତା ରାକେଶ ଟିକାଏତଙ୍କ ଉପରେ କାଳିମାଡ଼ । ବାଙ୍ଗାଲୋରରେ ପ୍ରେସମିଟ୍ ବେଳେ ରାକେଶ ଓ ସହଯୋଗୀ ଯୁଦ୍ଧବୀର ସିଂଙ୍କ ଉପରେ ହୋଇଛି କାଳିମାଡ଼ । ପ୍ରାୟ ୧୨ ଜଣ ଲୋକ ପ୍ରେସମିଟ ସ୍ଥଳରେ ପହଞ୍ଚି ତାଙ୍କ ଉପରେ କାଳିମାଡ଼ କରିଥିଲେ । ଏନେଇ ସ୍ଥାନୀୟ ପୋଲିସକୁ ଦାୟୀ କରିଛନ୍ତି ରାକେଶ । ରାକେଶଙ୍କ ଉପରେ କାଳିମାଡ ପରେ ସେଠାରେ ଉତ୍ତେଜନା ପ୍ରକାଶ ପାଇଛି । ଏହାକୁ ନେଇ ରାକେଶଙ୍କ ସମର୍ଥକ ଓ ପୋଲିସ ମଧ୍ୟରେ ଠେଲାପେଲା ହୋଇଛି ।

ସେଠାରେ ଉପସ୍ଥିତ ଥିବା କର୍ମୀମାନେ ଉତ୍ତ୍ୟକ୍ତ ହୋଇ ଚେୟାର ଫୋପାଡ଼ିବା ସହ ହଙ୍ଗାମା କରିଛନ୍ତି । ଏହି ଘଟଣା ପରେ ସେଠାରେ ଉତ୍ତେଜନା ଲାଗି ରହିଛି । କର୍ଣ୍ଣାଟକ ସରକାରଙ୍କ ଦ୍ବାରା ଏହା ପ୍ରାୟୋଜିତ ବୋଲି ଅଭିଯୋଗ କରିଛନ୍ତି ରାକେଶଙ୍କ ସମର୍ଥକ । କର୍ଣ୍ଣାଟକର ଜଣେ ପୂର୍ବତନ ନେତା କୋଦିହାଲି ଚନ୍ଦ୍ରଶେଖରଙ୍କ ଏକ ଦୁର୍ନୀତି ସଂକ୍ରାନ୍ତ ଏକ ଷ୍ଟିଙ୍ଗ ଅପରେସନର ଭିଡିଓ ନେଇ ସେମାନେ ମତ ରଖୁଥିବାବେଳେ ଏହି କାଳିମାଡ ହୋଇଥିଲା ।