ପୁଣି ଏମାର ମଠ ପଛରୁ ବାହାରିଲା ରୂପା ଇଟା, ୪୫ ଖଣ୍ଡ ଇଟା ଜବତ କଲା ଦେବୋତ୍ତର ବିଭାଗ

ପୁରୀ: ରୂପା ଇଟା ନେଇ ଚର୍ଚ୍ଚାରେ ଥିବା ପୁରୀ ଏମାରମଠରେ ପୁଣି ରୂପା ଇଟା । ଦେବୋତ୍ତର ବିଭାଗ ୪୫ ଖଣ୍ଡ ରୂପାଇଟା ଜବତ କରିଛି । ଏହି ରୂପାଇଟା ଗୁଡିକ ମଠ ପରିସରରେ ଥିବା ଏକ ବନ୍ଦ କୋଠରୀର ମାଟିତଳୁ ଉଦ୍ଧାର କରାଯାଇଛି। ଦେବୋତ୍ତର ନୀରିକ୍ଷକ, ନୂଆ ଟ୍ରଷ୍ଟବୋର୍ଡ ଓ ପୁଲିସ ଉପସ୍ଥିତିରେ ଚଟାଣ ଖୋଳାଯାଇ ଜରି ଅଖା ଭିତରେ ଥିବା ରୂପାଇଟାକୁ ଉଦ୍ଧାର କରାଯାଇଥିବା ଜଣାପଡିଛି ।

2010 ମସିହାରେ ଏମାରମଠକୁ ଦେବୋତ୍ତର ବିଭାଗ ଦ୍ବାରା ଇନଭେଣ୍ଟରି କରାଯାଇ ମଠର ସମସ୍ତ ଆସବାବପତ୍ରର ତାଲିକାଭୁକ୍ତ କରାଯାଇ ମଠରେ ରଖାଯାଇଥିଲା। ଏହି ତାଲିକାରେ 45 ଖଣ୍ଡ ରୂପା ଇଟା ମଧ୍ୟ ରହିଥିଲା। ମଠ ଅସୁରକ୍ଷିତ ଥିବାରୁ ମଠ ମହନ୍ତ ରାଜଗୋପାଲ୍ ରାମାନୁଜ ଦାସ୍ ଏହାକୁ ଏକ ଚଟାଣ ତଳେ ପୋତି ରଖିଥିଲେ। ଦେବୋତ୍ତର ବିଭାଗର ତନାଘନା ପରେ ଏହାକୁ ଖୋଳାଯାଇ ଉଦ୍ଧାର କରାଯାଇଛି।

ସୂଚନା ଆନୁଯାୟୀ ପ୍ରତି ଇଟାର ଓଜନ 30 କିଲୋରୁ ଅଧିକ ବୋଲି ଜଣାପଡିଛି। ଏସମସ୍ତ ଇଟା ଗୁଡିକର ମାପ ଓ ଓଜନ କରାଯାଇ ଏହାକୁ ନୂତନ ଟ୍ରଷ୍ଟବୋର୍ଡକୁ ହସ୍ତାନ୍ତର କରାଯିବ। 2011 ମସିହାରେ ଏହି ତାଲିକା ବାହାରେ 522 ଖଣ୍ଡ ରୂପାଇଟା ମଠ ପରିସରରୁ ଜବତ ହୋଇଥିଲା। ଏହି ଇଟା ଉଦ୍ଧାର ସମ୍ପର୍କରେ ଶନିବାର ରାଧାବଲ୍ଲଭ ମଠ ମହନ୍ତ ରାମକୃଷ୍ଣ ଦାସ୍ ମହାରାଜା ସୂଚନା ଦେଇଛନ୍ତି। ତେବେ ମଠର ଏହି ଦାୟିତ୍ୱ ହସ୍ତାନ୍ତର ପ୍ରକ୍ରିୟା ସମ୍ପୂର୍ଣ୍ଣ ବେଆଇନ୍ ବୋଲି ମତ ଦେଇଛନ୍ତି ଏମାର ମଠର ଓକିଲ।

Leave a Reply