ପିଲାଙ୍କ ପାଇଁ ବିପଦ ଇନଫ୍ଲୁଏଞ୍ଜା ଭାଇରସ, ମନଇଚ୍ଛା ଔଷଧ ନଖାଇବାକୁ ସ୍ବାସ୍ଥ୍ୟ ନିର୍ଦ୍ଦେଶକଙ୍କ ପରାମର୍ଶ

1 min read

ଭୁବନେଶ୍ୱର: ରାଜ୍ୟରେ ଇନଫ୍ଲୁଏଞ୍ଜା ଭାଇରସକୁ ନେଇ ବଢୁଛି ଭୟ । ଅଯଥା ମନଇଚ୍ଛା ଔଷଧ ନଖାଇବାକୁ ପରାମର୍ଶ ଦେଇଛନ୍ତି ସ୍ବାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର । ବିନା ପରାମର୍ଶରେ ଆଣ୍ଟିବାୟୋଟିକ ଓ ଷ୍ଟେରଏଡ୍ ଖାଆନ୍ତୁ ନାହିଁ । ଲକ୍ଷଣ ବଢ଼ୁଥିବାରୁ ଆଇଏଲଏସ ସର୍ଭିଲାନ୍ସ ବଢ଼ାଯିବ । କୋଭିଡ୍ ଓ H3N2 ଭାଇରସର ଲକ୍ଷଣ ପ୍ରାୟତଃ ସମାନ ରହିଛି । ତେଣୁ କୋଭିଡ୍ ନେଗେଟିଭ ଥିଲେ ସାମ୍ପୁଲ କଲେକ୍ଟ କରି ପଠାଯିବକୁ କୁହାଯାଇଛି । ଲକ୍ଷଣ ଥିଲେ ଟେଷ୍ଟ କରିବା ସହ ନିଜକୁ ଆଇସୋଲେଟ କରନ୍ତୁ ବୋଲି କହିଛନ୍ତି ସ୍ବାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ।

ସେହିପରି ଯାହାର ଅକ୍ସିଜେନ ଲେବଲ କମ୍ ସହ ନିଶ୍ବାସ ଜନିତ ସମସ୍ୟା ଓ ହାଇ ଫିଭର ରହୁଛି ସେମାନେ ଡାକ୍ତରଙ୍କ ପରାମର୍ଶରେ ଆଣ୍ଟି ଭାଇରାଲ ମେଡିସିନ ଖାଆନ୍ତୁ ବୋଲି କହିଛନ୍ତି ସ୍ବାସ୍ଥ୍ୟ ବିଶେଷଜ୍ଞ ନିରୋଜ ମିଶ୍ର । H3N2 ଭାଇରସ ୩ ମାସ ହେଲା ଅଛି, ଏହା ଏକ ଋତୁକାଳୀନ ଭାଇରସ । ମାର୍ଚ୍ଚ ଶେଷ କିମ୍ବା ଏପ୍ରିଲ ପ୍ରଥମରୁ ଏହି ଓ୍ବେଭ ସରିଯିବ । ଛୋଟ ପିଲା, ବୟସ୍କ ଲୋକ, ଗର୍ଭବତୀ ମହିଳା ଅଧିକ ସଂକ୍ରମଣ ହେବାର ସମ୍ଭାବନା ରହିଛି । ତେବେ ୫ ବର୍ଷରୁ କମ୍ ଶିଶୁଙ୍କୁ ଅଧିକ ସଂକ୍ରମିତ କରୁଛି । ସେଥିପାଇଁ ଡାକ୍ତରମାନେ ଚିନ୍ତା ପ୍ରକଟ କରିଛନ୍ତି । ସେମାନଙ୍କ ଶରୀରରେ ମେଡିସିନ ବିଶେଷକରି ଆଣ୍ଟିବାୟୋଟିକ୍ସ କାମ କରୁନାହିଁ । ଅଧିକାଂଶ ଶିଶୁଙ୍କୁ ଆଇସିୟୁରେ ଭର୍ତ୍ତି କରିବାକୁ ପଡୁଛି । ତେଣୁ ଲକ୍ଷଣ ଥିଲେ ମାସ୍କ ପିନ୍ଧନ୍ତୁ । ଯଦି କାଶ ଜ୍ବର ରହୁଛି ତେବେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ । ଜନଗହଳି ସ୍ଥାନରୁ ଦୁରେଇ ରହିବା ଉଚିତ ।