ଖୁସି ଖବର, କମିବ ଦରଦାମ

1 min read

ନୂଆଦିଲ୍ଲୀ: ଦରଦାମ ବୃଦ୍ଧିକୁ ନେଇ ପୂରା ଦେଶରେ ଚିନ୍ତା । ବଢ଼ି ଚାଲିଥିବା ଦର ବୃଦ୍ଧି ଖାଉଟିଙ୍କ ସାଧାରଣ ଜୀବନକୁ ଅସ୍ତବ୍ୟସ୍ତ କରି ପକାଉଛି । ଶାଗଠାରୁ ମୁଗ, ଯାନବାହାନଠାରୁ ବୈଦ୍ୟୁତିକ ଦ୍ରବ୍ୟ ହେଉ କି ନିତିଦିନିଆ ଜିନିଷ ସବୁର ଦର ଆକାଶ ଛୁଆଁ । ପକେଟ ଖାଲି ହୋଇ ଯାଉଛି ହେଲେ ଜଣାପଡୁନାହିଁ । ଦରଦାମ ବୃଦ୍ଧିକୁ ନେଇ ଦେଶରେ ହାହାକାର ଲାଗି ରହିଥିବା ବେଳେ ଆରବିଆଇ ଗଭର୍ଣ୍ଣର ଦେଇଛନ୍ତି ଖୁସି ଖବର । ୨୦୨୨-୨୩ର ଦ୍ବିତୀୟ ୬ ମାସ (ଅକ୍ଟୋବରରୁ ମାର୍ଚ୍ଚ) ମଧ୍ୟରେ ଦର ବୃଦ୍ଧି କମିବା ନେଇ ସଙ୍କେତ ଦେଇଛନ୍ତି ଗଭର୍ଣ୍ଣର ସୀତାକାନ୍ତ ଦାସ । ସେ କହିଛନ୍ତି, ‘କେନ୍ଦ୍ରୀୟ ବ୍ୟାଙ୍କ ଦରଦାମ ବୃଦ୍ଧି ନିୟନ୍ତ୍ରଣ କରିବାକୁ ସବୁ ପ୍ରକାର ଚେଷ୍ଟା କରୁଛନ୍ତି । ବର୍ତ୍ତମାନ ଭଲ ସଙ୍କେତ ଆସିବା ଆରମ୍ଭ ହୋଇଛି ।’

ଧିରେ ଧିରେ କମିବ ଦରଦାମ

କୌଟିଲ୍ୟ ଆର୍ଥିକ ସମ୍ମିଳନୀରେ ଦାସ କହିଛନ୍ତି, ‘ବର୍ତ୍ତମାନ ସମୟରେ ସପ୍ଲାଇ ଆଉଟ୍ ପୁଟ୍ ଭଲ ସ୍ଥିତିରେ ରହିଛି । ଏହା ୨୦୨୨-୨୩ ଆର୍ଥିକ ବର୍ଷର ଦ୍ବିତୀୟ ୬ ମାସରେ ଦରଦାମ ହ୍ରାସ ପାଇବାର ସଙ୍କେତ ଦେଉଛି । ଆମ ମୁଦ୍ରାସ୍ପିତି ଧିରେ ଧିରେ କମ ହେଉଛି । ଏହା ଭାରତୀୟ ଅର୍ଥବ୍ୟବସ୍ଥାକୁ ପ୍ରଭାବିତ କରିବ ନାହିଁ ।’

ସାରା ଦୁନିଆରେ ବଢ଼ିଛି ଦରଦାମ

କେବଳ ଭାରତ କି ଆମ ରାଜ୍ୟ ଓଡ଼ିଶା ନୁହେଁ, ସାରା ବିଶ୍ବ ଏବେ ଦରଦାମ ବୃଦ୍ଧି ଜାଲରେ ପଡ଼ିଛି । ପିଟିଆଇ ଖବରକୁ କୋଟ୍ କରି ଦାସ କହିଛନ୍ତି, ‘ସାରା ବିଶ୍ବ ଏବେ ଦର ବୃଦ୍ଧିକୁ ନେଇ ଚିନ୍ତିତ । ଗ୍ଲୋବାଲ ଟ୍ରେଡ କମିଛି । କିଛି ସମୟ ପାଇଁ ଦର ବୃଦ୍ଧିର ପ୍ରଭାବ ପଡ଼ିବ, ଯାହାକୁ ନିୟନ୍ତ୍ରଣ କରିବା ସମ୍ଭବ ନୁହେଁ । ଦେଶର ଅର୍ଥବ୍ୟବସ୍ଥାକୁ ସ୍ଥିର ରଖିବାକୁ ଆରବିଆଇ ନିଜ ପଲିସିରେ ପରିବର୍ତ୍ତନ ଜାରି ରଖିବ ।’

ରେପୋ ରେଟରେ ବୃଦ୍ଧି

କରୋନା ମହାମାରୀ କାରଣରୁ ଭାରତୀୟ ଅର୍ଥବ୍ୟବସ୍ଥା ଟଳମଳ ସ୍ଥିତିରେ ରହିଛି । କିନ୍ତୁ, ଏଥିରେ ଧିରେ ଧିରେ ସୁଧାର ଆସିବାରେ ଲାଗିଛି । ହେଲେ ବର୍ତ୍ତମାନ ପର୍ଯ୍ୟନ୍ତ ଦରଦାମ ଆରବିଆଇର ଧାର୍ଯ୍ୟ ଲକ୍ଷ୍ୟଠାରୁ ଅଧିକ ରହିଛି । କେନ୍ଦ୍ର ସରକାର ଦର ବୃଦ୍ଧିକୁ ନିୟନ୍ତ୍ରଣ କରିବାକୁ ରେପୋ ରେଟରେ ବୃଦ୍ଧି କରିଛନ୍ତି । ଏହାପରେ ଦେଶର ପ୍ରାୟ ସବୁ ବ୍ୟାଙ୍କ ଋଣ ଉପରେ ସୁଧହାର ବଢାଇ ଦେଇଛନ୍ତି । ଜୁନରେ ୦.୫୦ ବଢିଥିବା ରେବୋ ରେଟ୍ ପରେ ୪.୯୦ ପ୍ରତିଶତ ହୋଇଯାଇଛି ।