ସରକାର ବଦଳିବା ପରେ ଓଡ଼ିଶାରୁ ମୁହଁ ଫେରାଉଛନ୍ତି ବଡ଼ କମ୍ପାନୀ, ରାଜ୍ୟରେ ବାଟବଣା ଶିଳ୍ପାୟନ

ଭୁବନେଶ୍ବର: ରାଜ୍ୟରେ ବାଟବଣା ହେବାରେ ଲାଗିଛି ଶିଳ୍ପାୟନ । ନବୀନଙ୍କ ନେତୃତ୍ବରେ ଓଡ଼ିଶା ନିବେଶକାରୀଙ୍କ ପ୍ରଥମ ପସନ୍ଦ ପାଲଟିଥିବା ବେଳେ ମୋହନଙ୍କ ଶାସନ ସମୟରେ ପୁ୍ଞ୍ଜିନିବେଶ ପାଇଁ ନିବେଶକାରୀମାନେ ଆଗ୍ରହ ପ୍ରକାଶ କରିବେ କି ନାହିଁ ତାକୁ ନେଇ ଉଠିଛି ପ୍ରଶ୍ନ । ଓଡ଼ିଶାରେ ଆଇନ ଶୃଙ୍ଖଳା ପରିସ୍ଥିତି ଓ ସରକାରଙ୍କ ଆଭିମୁଖ୍ୟକୁ ନେଇ ପ୍ରଶ୍ନ ଉଠାଇଛି କଂଗ୍ରେସ । ନବୀନଙ୍କ ସମୟରେ ଯେଉଁ ସବୁ ବଡ଼ ବଡ଼ ଶିଳ୍ପ ପାଇଁ ଚୁକ୍ତିନାମା ସ୍ବାକ୍ଷର ହୋଇଥିଲା ତାକୁ ମୋହନ ସରକାର କାର୍ଯ୍ୟକାରୀ କରି ଓଡ଼ିଶାକୁ ଶିଳ୍ପାୟନ ହବ କରିବାକୁ ପରାମର୍ଶ ଦେଇଛନ୍ତି ବିଜେଡି ଓ କଂଗ୍ରେସ । ଅନ୍ଯପଟେ ୫ ବର୍ଷରେ ଅଢେଇ ଲକ୍ଷ କୋଟିର ପୁଞ୍ଜିନିବେଶ ପାଇଁ ସରକାର ଲକ୍ଷ୍ୟ ରଖିଛନ୍ତି ବୋଲି ଶିଳ୍ପମନ୍ତ୍ରୀ କହିଛନ୍ତି ।

ନବୀନଙ୍କ ଶାସନରେ ଓଡ଼ିଶା ଶିଳ୍ପାୟନ ପାଇଥିଲା ନୂଆ ରୂପ । ପୁଞ୍ଜି ନିବେଶର ପାଲଟିଥିଲା ହଟସ୍ପଟ । ସିଙ୍ଗଲ ଉଇଣ୍ଡୋ ସିଷ୍ଟମରେ ନିବେଶକାରୀଙ୍କୁ ଜମି, ପାଣି, ବିଜୁଳି ଠାରୁ ଆରମ୍ଭ କରି ସବୁ ସୁବିଧା ଯୋଗାଇ ଦେଉଥିଲେ ତତକାଳୀନ ବିଜେଡି ସରକାର । କେନ୍ଦ୍ରାପଡ଼ାରେ ନିପ୍ପନ ଷ୍ଟିଲ ପ୍ଲାଣ୍ଟ ବିଶ୍ବର ସବୁଠାରୁ ବଡ଼ ଇସ୍ପାତ କାରଖାନା ପ୍ରତିଷ୍ଠା କରିବାକୁ ଓଡ଼ିଶା ସରକାରଙ୍କ ସହ ଚୁକ୍ତିନାମା ସ୍ବୀକାର କରିଥିଲେ । ସେହିପରି ଜେଏସଡବ୍ଲୟୁ ଓଡ଼ିଶାରେ ଇଭି କାରଖାନା କରିବାକୁ ନିଷ୍ପତ୍ତି ନେଇଥିଲା । ହେଲେ ପ୍ରକଳ୍ପ ନେଇ ଏବେ ସନ୍ଦେହ ସୃଷ୍ଟି ହୋଇଛି । ଜେଏସଡବ୍ଲୟୁ କାରଖାନା କରିବ କି ଫେରିଯିବ ସେ ନେଇ କିଛି ସ୍ପଷ୍ଟ ସୂଚନା ନାହିଁ । ସେହିଭଳି ରାଜ୍ଯ ସହ ଚୁକ୍ତି କରିଥିବା ଅନ୍ଯ ଶିଳ୍ପସଂସ୍ଥାଙ୍କ ଏଠାରେ କାରଖାନା କରିବେ କି ନାହିଁ ତାକୁ ନେଇ ପ୍ରଶ୍ନ ଉଠିଛି । ଏହାରି ଭିତରେ କାଲିଠୁ ୨ଦିନ ଧରି ମୁଖ୍ୟମନ୍ତ୍ରୀ ଉତ୍କର୍ଷ ଓଡ଼ିଶା କନକ୍ଲେଭ ପାଇଁ ଶିଳ୍ପପତିମାନଙ୍କୁ ଭେଟି ଆମନ୍ତ୍ରଣ କରିବେ । ଶିଳ୍ପପତିଙ୍କୁ ଆମନ୍ତ୍ରଣ କରି ଅଧିକ ଶିଳ୍ପାୟନ ଗଠନକୁ ବିଜେଡି ସ୍ବାଗତ କରିଛି । ହେଲେ କାହିଁକି ନିବେଶକ ଓଡ଼ିଶାରୁ ମୁହଁ ଫେରାଉଛନ୍ତି ତାହା ଉପରେ ମୋହନ ସରକାର ସମୀକ୍ଷା କରିବା ଦରକାର ବୋଲି ବିଜେଡି କହିଛି । ଅନ୍ୟପଟେ ପୂର୍ବ ସରକାର ଯେଉଁ ନିବେଶକାରୀଙ୍କ ସହ ଚୁକ୍ତିନାମା ସ୍ବାକ୍ଷର କରିଛନ୍ତି ତାକୁ ମୋହନ ସରକାର କାର୍ଯ୍ୟକାରୀ କରନ୍ତୁ ବୋଲି ପରାମର୍ଶ ଦେଇଛି କଂଗ୍ରେସ ।

ସେପଟେ ଆସନ୍ତାକାଲିଠୁ ଦିଲ୍ଲୀରେ ନିବେଶକ ସମ୍ମିଳନୀରେ ସାମିଲ ହେବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଉତ୍କର୍ଷ ଓଡ଼ିଶା କନକ୍ଲେଭ ପାଇଁ ଶିଳ୍ପପତିମାନଙ୍କୁ ଭେଟି ଓଡ଼ିଶାରେ ପୁଞ୍ଜି ନିବେଶ ଲାଗି ଆମନ୍ତ୍ରଣ କରିବେ । ୩ ତାରିଖରେ ନିବେଶକଙ୍କ ସହ କରିବେ ୱାନ ଟୁ ୱାନ ଆଲୋଚନା । ଜାନୁଆରୀ ୨୮ ଓ ୨୯ରେ ହେବାକୁ ଥିବା ମେକ ଇନ ଓଡିଶା ‘ଉତ୍କର୍ଷ ଓଡିଶା’ ପୂର୍ବରୁ ରାଜ୍ୟକୁ ଆସିବା ପାଇଁ ନିବେଶକଙ୍କ ସହ ଆଲୋଚନା କରିବେ ମୁଖ୍ୟମନ୍ତ୍ରୀ । ଫୁଡ୍ ପ୍ରୋସେସିଂ, ଆଇଟି ଭଳି ଶିଳ୍ପ ସଂସ୍ଥାଙ୍କୁ ଓଡ଼ିଶା ଆଣିବା ପାଇଁ ସରକାର ଆଲୋଚନା କରିବେ । ୫ ବର୍ଷରେ ଅଢେଇ ଲକ୍ଷ କୋଟିର ପୁଞ୍ଜିନିବେଶ ପାଇଁ ସରକାର ଲକ୍ଷ୍ୟ ରଖିଛନ୍ତି ବୋଲି ଶିଳ୍ପମନ୍ତ୍ରୀ କହିଛନ୍ତି ।

୩ ମାସର ମୋହନ ସରକାର ସମୟରେ ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ହେବା ସହ ବିଭିନ୍ନ ସ୍ଥାନରେ ସାମାଜିକ ବିଦ୍ବେଷ ଦେଖାଦେଇଛି । ଯାହା ଶିଳ୍ପାୟନ ଓ ପୁଞ୍ଜି ନିବେଶକାରୀଙ୍କ ପାଇଁ ବଡ଼ ଚ୍ୟାଲେଞ୍ଜ ହୋଇଛି ।