ବାସଚ୍ୟୁତ ବ୍ୟକ୍ତିଙ୍କ ଇନ୍ଦ୍ରାବତୀ ବନ୍ଦ ପାଳନ

ନବରଙ୍ଗପୁର: ପ୍ରତିଶ୍ରୁତି ପୂରଣରେ ସରକାର ବିଫଳ ହେଲା ପରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି ବାସହରା ଲୋକେ । ଇନ୍ଦ୍ରାବତୀ ପ୍ରକଳ୍ପ ଦ୍ୱାରା ବାସଚ୍ୟୁତ ୬,୧୩୩ ପରିବାରଙ୍କୁ ସରକାର ଦେଇଥିବା ପ୍ରତିଶ୍ରୁତି କାର୍ଯ୍ୟକାରୀ କରିନାହାଁନ୍ତି । ପ୍ରତିବାଦରେ ଇନ୍ଦ୍ରାବତୀ ବନ୍ଦ ପାଳନ କରାଯାଉଛି । ବୁଡ଼ି ଅଞ୍ଚଳୀୟ ଗଣପରିଷଦ ନେତୃତ୍ୱରେ ବାସଚ୍ୟୁତ ପରିବାର ସଦସ୍ୟମାନେ ନଗର ପରିକ୍ରମା କରି ପ୍ରକଳ୍ପ ପ୍ରଶାସକ ତଥା ମୁଖ୍ୟ ନିର୍ମାଣଙ୍କୁ ୧୪ ଦଫା ଦାବି ସମ୍ବଳିତ ସ୍ମାରକ ପତ୍ର ପ୍ରଦାନ କରିଛନ୍ତି ।

ବୁଡ଼ି ଅଞ୍ଚଳୀୟ ଗଣ ପରିଷଦର ଦାବିକୁ ସମର୍ଥନ କରି ତେନ୍ତୁଳି ଖୁଣ୍ଟି ବ୍ଲକ ଅନ୍ତର୍ଗତ ଇନ୍ଦ୍ରାବତୀ ପ୍ରକଳ୍ପ ମୁଖ୍ୟ ଦପ୍ତର ଖାତିଗୁଡା ବଜାର ବନ୍ଦ କରାଯାଇଛି । ଓଡିଶା ଜଳ ବିଦ୍ୟୁତ ନିଗମ ଇନ୍ଦ୍ରାବତୀ ପ୍ରକଳ୍ପରୁ ବାର୍ଷିକ ଏକ ହଜାର କୋଟିରୁ ଉର୍ଦ୍ଧ ରାଜସ୍ୱ ପାଉଥିଲେ ହେଁ ବାସଚ୍ୟୁତ ପରିବାର ବର୍ଗଙ୍କୁ ଦେଇଥିବା ପ୍ରତିଶ୍ରୁତି ପାଳନ ଦିଗରେ ଟାଳଟୁଳ ନିତି ଅବଲମ୍ବନ କରାଯାଉଥିବା ଅଭିଯୋଗ ହୋଇଛି । ଏଥିପାଇଁ ବୁଡ଼ି ଅଞ୍ଚଳୀୟ ପରିବାର ବର୍ଗଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି ।

ପାରିପାର୍ଶ୍ଵିକ ବିକାଶ ତଥା ବାସଚ୍ୟୁତ ପରିବାରକୁ ଧାର୍ଯ୍ୟ ଅନୁଦାନ ପ୍ରତି ଜଳ ବିଦ୍ୟୁତ ନିଗମ କର୍ତ୍ତୃପକ୍ଷ ସମ୍ପୂର୍ଣ୍ଣ ଆଖି ବୁଜି ଦେଇଥିବା ଅଭିଯୋଗ କରି ଇନ୍ଦ୍ରାବତୀ ବଜାର ସମ୍ପୂର୍ଣ ବନ୍ଦ ରହିଛି । ଦାବି ଗୁଡିକର ତର୍ଜମା କରାଯାଇ ଯଥାଶୀଘ୍ର ତାହାର ସମାଧାନ ଦିଗରେ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ପ୍ରକଳ୍ପ ପ୍ରଶାସକ ।

Leave a Reply