ହାଏର ଜୀବନ ! ଘରକୁ ଫେରିବା ପାଇଁ ସେମାନେ ପାଳି କରି ହେଉଛନ୍ତି ବଳଦ !

ଇନ୍ଦାେର: ସାରା ଦେଶ ଳକ୍‌ଡାଉନ୍‌ ସ୍ଥିତି ଦେଇ ଗତି କରୁଛି । ଏହାରି ମଧ୍ୟରେ ଅନେକ ମନକୁ ଛୁଇଁଲା ଭଳି ଫଟୋ ଓ ମନକୁ ଦୁଃଖ ଦେଲା ଭଳି ଫଟୋ ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି । ତେବେ ଏମିତି କିଛି ଫଟୋ ଏବେ ସୋସିଆଲ ମିଡିଆରେ ଦେଖିବାକୁ ମିଳୁଛି ଯାହା ଦେଖିଲେ ଆପଣ ନିଶ୍ଚିତ ଭାବେ ଲୁହ ଗଡାଇବେ । ଜୀବନ କେତେ ସଂଘର୍ଷପୂର୍ଣ୍ଣ ଓ ଦୁଃଖଦାୟକ ତାହା ଲକଡାଉନରେ ଫସି ଥିବା ଲୋକଙ୍କ ଫଟୋ କହୁଛି ।

 

ଗାଡ଼ି ମଟର ନ ଥିବା କାରଣରୁ ଜଣେ ପ୍ରବାସୀ ନିଜ ପରିବାର ସହ ଘରକୁ ଫେରିବା ପାଇଁ ଶଗଡ଼ ଗାଡ଼ିର ବ୍ୟବହାର କରିଥିଲେ । ହେଲେ ବିଡ଼ମ୍ବନାର ବିଷୟ ଯେ, ଶଗଡ଼ଗାଡ଼ିରେ ଆବଶ୍ୟକ ଦୁଇଟି ବଳଦ ମଧ୍ୟରୁ ଗୋଟିଏ ବଳଦ ରହିଥିଲା । ତେଣୁ ଅନ୍ୟ ବଳଦ ସ୍ଥାନରେ ଉକ୍ତ ପ୍ରବାସୀ ଶ୍ରମିକ ଜଣକ କାନ୍ଧରେ ଶଗଡ଼ ରଖି ଟାଣିବାକୁ ବାଧ୍ୟ ହୋଇଥିଲେ । ଏଭଳି ଚିତ୍ର ଦେଖିବାକୁ ମିଳିଛି ଇନ୍ଦୋର ବାଇପାସ୍‌ ଅଞ୍ଚଳରେ ।

 ତେବେ ଏଠି ଆପଣଙ୍କ ମନରେ ପ୍ରଶ୍ନ ଉଠୁଥିବ ଯେ, ଯଦି ଜଣେ ଶଗଡ଼ ରଖିଛି ତେବେ ଏହାକୁ ଟାଣିବା ପାଇଁ ଦୁଇଟି ବଳଦ ନିଶ୍ଚୟ ରଖିବା କଥା । ହେଲେ ଏଠାରେ ଗୋଟିଏ ବଳଦ କିପରି ରହିଛି । ତେବେ ଏଠି ଆମେ ଜଣାଇଦେବାକୁ ଚାହୁଁଛୁ ଯେ, ଲକ୍‌ଡାଉନ୍‌ କାରଣରୁ କାମ ଧନ୍ଦା ଠପ୍‌ ହୋଇଯାଇଛି, ଶ୍ରମିକଙ୍କ ପାଇଁ କୌଣସି କାମ ନାହିଁ । ଦୀର୍ଘ ଦିନ ଧରି ଲକ୍‌ ଡାଉନ୍‌ରେ ରହିବା ଯୋଗୁଁ ଯାହା ସଞ୍ଚୟ ଥିଲା ସବୁ ଶେଷ ହୋଇଯାଇଛି । ତେଣୁ ଘରକୁ ଯିବା ପାଇଁ ସେ ଦୁଇଟି ବଳଦ ମଧ୍ୟରୁ ଗୋଟିଏ ବିକ୍ରି କରିଦେଇଥିଲେ ।

ଉକ୍ତ ଶଗଡ଼ରେ ପତ୍ନୀ ଓ ସନ୍ତାନଙ୍କ ସହ ପୁରା ପରବାର ବସିଥିବା ବେଳେ ଯୁବକ ଜଣକ ବଳଦ ସହ ମିଶି ଏହାକୁ ଟାଣି ଟାଣି ନେଉଛନ୍ତି । ଆଉ ଏକ ବଡ଼ କଥା ହେଲା କାମଧନ୍ଦା ବନ୍ଦ ରହିବା ଯୋଗୁଁ ଏବଂ ଟଙ୍କା ନିହାତି ଆବଶ୍ୟକ ଥିବାରୁ, ୧୫ ହଜାର ଟଙ୍କାର ବଳଦକୁ ୫ ହଜାର ଟଙ୍କାରେ ବିକ୍ରି କରିଛନ୍ତି ଏହି ପ୍ରବାସୀ ଶ୍ରମିକ । ଶ୍ରମିକ ଜଣକ ହେଉଛନ୍ତି ମହୁ ଅଞ୍ଚଳର । ସେ ଇନ୍ଦୋରରେ ନିଜ ଶଗଡ ଗାଡିରେ ମାଲ ବୁହାଉ ଥିଲେ । କିନ୍ତୁ ଲକଡାଉନ ଯୋଗୁ କାମ ବନ୍ଦ ହୋଇଯାଇଥିଲା । ତେଣୁ ରାହୁଲ ନିଜ ଗାଁକୁ ପରିବାର ସହ ଫେରିବାକୁ ନିଷ୍ପତ୍ତି ନେଇଥିଲେ । ଶଗଡରେ ଅଳ୍ପକିଛି ସାମାନ ରଖି ଆରମ୍ଭ କରିଥିଲେ ତାଙ୍କ ବାହୁଡା ଯାତ୍ରା ।

କେବଳ ଯେ, ରାହୁଲ ଶଗ଼ଡ ଟାଣୁଛନ୍ତି  ତାହା ନୁହେଁ,ତାଙ୍କ ସହ ଯାଉଥିବା ତାଙ୍କ ଭାଉଜ ମଧ୍ୟ ଏଥିରେ ତାଙ୍କୁ ସାହାଯ୍ୟ କରୁଛନ୍ତି । ରାହୁଲ ଯେତେବେଳେ ଥକି ପଡନ୍ତି ସେତେବେଳେ ଭାଉଜ ଶଗଡ ଟାଣନ୍ତି । ଏହି ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ବାହାରକୁ ବାହାରିଲେ କରୋନା ମାରିବ କିନ୍ତୁ ବାହାରକୁ ନବାହାରିଲେ ଭୋକ ମାରିବ । ଏମିତିର ରାହୁଲଙ୍କ ଭଳି ଶ୍ରମିକଙ୍କ ପାଖରେ ବଳଦ ହେବା ଛଡା ଅନ୍ୟ ରାସ୍ତା ନାହିଁ ।

Leave a Reply