ଇନ୍ଦୋର ନଗର ନିଗମକୁ ନିର୍ଦ୍ଦେଶ: ଯଦି ୧୬୪୦ ଗଛ କାଟିବ, ୧୬୪୦୦ ଲଗାଇବ
ନନ୍ଦିଘୋଷ ବ୍ୟୁରୋ: ବିକାଶ ନାଁରେ ଚାଲିଛି ବିନାଶ । ବଡ଼ ବଡ଼ ପ୍ରୋଜେକ୍ଟ ଆଳରେ ଧରାଶାୟୀ ହେଉଛନ୍ତି ଶହ ଶହ ଗଛ । ଏଭଳି ସ୍ଥିତିରେ ମଧ୍ୟପ୍ରଦେଶର ଇନ୍ଦୋର ସହର ବିକାଶ ନାଁରେ ଗଛ କଟା ମାମଲାରେ ହାଇ ଲେଭଲ କମିଟର ଏମିତି ଏକ ନିର୍ଦ୍ଦେଶ ଆସିଛି ଯାହା ସାରା ଦେଶରେ ଚର୍ଚ୍ଚାର କାରଣ ପାଲଟିଛି । ରାସ୍ତା ନିର୍ମାଣ ପାଇଁ ଗଛ କାଟିବା ଓ ସ୍ଥାନାନ୍ତର କରିଯିବାକୁ ନେଇ ନଗର ନିଗମକୁ ୧୦ ଗୁଣା ଅଧିକ ଗଛ ଲଗାଇବାକୁ ପଡିବ । ଏହାସହ ଅତିକମରେ ୯୫ ପ୍ରତିଶତ ଗଛ ବଞ୍ଚାଇ ରଖିବାକୁ ବି ସର୍ତ୍ତ ରଖାଯାଇଛି ।
ସୂଚନର ଅନୁସାରେ, ଇନ୍ଦୋରରେ ୧୦ଟି ଗୁରୁତ୍ବପୂର୍ଣ୍ଣ ରାସ୍ତା ନିର୍ମାଣ କରାଯିବାକୁ ଯାଉଛି । ଏଥିପାଇଁ ପ୍ରାୟ ୭୯୭ ଗଛ କଟାଯିବା । ଏହାସହ ୮୪୩ ଗଛ ସ୍ଥାନାନ୍ତର କରାଯାଇ ଅନ୍ୟତ୍ର ଲଗାଯିବ । ଏହି ମାଷ୍ଟାର ପ୍ଲାନକୁ ରାଜ୍ୟସ୍ତରୀୟ ହାଇ ଲେଭଲ କମିଟି ସର୍ତ୍ତର ସହ ମଞ୍ଜୁରୀ ଦେଇଛନ୍ତି । କମିଟି ନଗର ନିଗମକୁ ନିର୍ଦ୍ଦେଶ ଦେଇଛନ୍ତି କହିଛନ୍ତି, ଯୋଜନା ପାଇଁ ୧୬୪୦ ଗଛ ବଦଳରେ ୧୬୪୦୦ ଗଛ ଲଗାଇବାକୁ ପଡିବ । ଏହାସହ ଚାରା ଗଛରେ ପରିଣତ ହେବା ପର୍ଯ୍ୟନ୍ତ ଏହାର ସର୍ଭାଇବାଲ ରେଟ୍ ୯୫ ପ୍ରତିଶତ ରଖିବାକୁ ପଡିବ । ଅର୍ଥାତ ୯୫ ପ୍ରତିଶତ ଗଛକୁ ସୁରକ୍ଷିତ ରଖିବାକୁ ପଡିବ । ଏହି ପ୍ରସ୍ତାବ ବନ ବିଭାଗ ପାଖକୁ କ୍ଲିୟରାନ୍ସ ପାଇଁ ପଠାଇ ଦିଆଯାଇଛି । ସେଠାରୁ ଅନୁମତି ମିଳିବା ପରେ ଗଛ କଟା ଓ ସ୍ଥାନାନ୍ତର କାମ ଆରମ୍ଭ ହେବ ।
ନଗର ନିଗମ ପକ୍ଷରୁ ହେବାକୁ ଥିବା ରାସ୍ତା ପାଇଁ ଏହି ଗଛ କଟା ଯିବାକୁ ସର୍ଭ କରାଯାଇଥିଲା । ଏହାକୁ ଆଧାର କରି ଭୋପାଳ ସ୍ଥିତ ହାଇ ଲେଭଲ କମିଟି ନିକଟରେ ପ୍ରସ୍ତାବ ରଖାଯାଇଥିଲା । କମିଟି ବିକାଶ ସହ ପରିବେଶ ସନ୍ତୁଳନକୁ ନଜରରେ ରଖି ଗଛ କାଟିବାକୁ ଅନୁମତି ଦେବା ସହ ୧୦ ଗୁଣା ଅଧିକ ଲଗାଇବାକୁ ନିର୍ଦ୍ଦେଶ ଦେଇଛନ୍ତି ।
ସୂଚନା ଅନୁସାରେ, ନିପାନିୟା ରିଂ ରୋଡରେ ୫୬୭, ଇନ୍ଦୋର ବାଇପାସରୁ ସିଟି ଫରେଷ୍ଟ ରୋଡରେ ୨୯୨, ଏୟାରପୋର୍ଟ ରୋଡରୁ ଏମଆ-୫ ଲିଙ୍କ ରୋଡରେ ୨୩୩, ଜିପିଓ ଚୌରାହରୁ ସରବଟେ ବସଷ୍ଟାଣ୍ଡ ପର୍ଯ୍ୟନ୍ତ ୧୬୬, ମହାଲକ୍ଷ୍କୀ ନଗରରୁ ଏମଆର-୧୧ ରୋଡରେ ୧୧୧, ବିଚୋଲି ମରଦାନାରୁ କାକଡ ରୋଡରେ ୯୭ ଓ ସ୍କିମ ନମ୍ବର ୧୪୦ରୁ ସୁପର କରିଡୋର ମାର୍ଗରେ ୬୭ ଗଛ କାଟିବାକୁ କିମ୍ବା ସ୍ଥାନାନ୍ତର କରିବାକୁ କମିଟି ମଞ୍ଜୁରୀ ଦେଇଛନ୍ତି । ଏହା ବଦଳରେ ନଗର ନିଗମ ଶିରପୁରରେ ୧୩୫୦୦ ଓ ରିବତି ରେଞ୍ଜରେ ୨୮୪୦ ଗଛ ଲଗାଇବାକୁ ପଡିବ । ଏଥିରେ ବରଗଛ, ଅଶ୍ବସ୍ତ, ଆମ୍ବ ଓ ଅଁଳା ଗଛ ଲଗାଇବାକୁ ପଡିବ ।

