ସାଧାରଣତନ୍ତ୍ର ଦିବସରେ ମୁଖ୍ୟ ଅତିଥି ଇଣ୍ଡୋନେସିଆରୁ ୫ ଥର: ୭୫ ବର୍ଷ ମଧ୍ୟରେ କେତେ ମଜବୁତ ହୋଇଛି ଦୁଇ ଦେଶର ବନ୍ଧୁତା
1 min readନୂଆଦିଲ୍ଲୀ: ଚଳିତ ଥର ସାଧାରଣତନ୍ତ୍ର ଦିବସରେ ଇଣ୍ଡୋନେସିଆର ରାଷ୍ଟ୍ରପତି ପ୍ରୋବୋବୋ ସୁବିଆନ୍ତୋ ମୁଖ୍ୟ ଅତିଥି ଭାବେ ସାମିଲ ହୋଇଛନ୍ତି । ୫ମ ଥର ପାଇଁ ଇଣ୍ଡୋନେସିଆର ନେତାଙ୍କୁ ଭାରତ ସାଧାରଣତନ୍ତ୍ର ଦିବସ ଅବସରରେ ମୁଖ୍ୟ ଅତିଥି ଭାବେ ନିମନ୍ତ୍ରଣ କରିଛି । ୧୯୫୦ରେ ଭାରତ ପ୍ରଥମ ଥର ସାଧାରଣତନ୍ତ୍ର ଦିବସ ପାଳନ କରିଥିବା ବେଳେ ସେତେବେଳେ ଇଣ୍ଡୋନେସିଆର ରାଷ୍ଟ୍ରପତି ସୁକର୍ଣ୍ଣୋ ମୁଖ୍ୟ ଅତିଥି ଥିଲେ । ତେଣୁ ଭାରତ-ଇଣ୍ଡୋନେସିଆ ମଧ୍ୟରେ ଥିବା ଐତିହାସିକ ସମ୍ପର୍କ ଯେ ହଜାର ହଜାର ବର୍ଷ ଧରି ମଜବୁତ ରହି ଆସିଛି, ଏଥିରେ ତିଳେ ମାତ୍ର ସନ୍ଦେହ ନାହିଁ । ତେବେ ସ୍ବାଧୀନତାର ୭୫ ବର୍ଷ ପରେ ଦ୍ବିପାକ୍ଷିକ ସମ୍ପର୍କ କେତେ ମଜବୁତ ହେଇ ପାରିଛି, ସାଧାରଣତନ୍ତ୍ର ଦିବସରେ ଇଣ୍ଡୋନେସିଆର ନେତାଙ୍କୁ ମୁଖ୍ୟ ଅତିଥି ଭାବେ ନିମନ୍ତ୍ରଣ କରିବା ପଛର ଉଦ୍ଦେଶ୍ୟ କ’ଣ, ତାହା ଜାଣିବା ନିହାତି ଆବଶ୍ୟକ ।
୧୯୫୦ରେ ସାଧାରଣତନ୍ତ୍ର ଦିବସର ପ୍ରଥମ କାର୍ଯ୍ୟକ୍ରମରେ ଇଣ୍ଡୋନେସିଆର ରାଷ୍ଟ୍ରପତି ସୁକର୍ଣ୍ଣୋ ମୁଖ୍ୟ ଅତିଥି ଭାବେ ସାମିଲ ହୋଇଥିଲେ । ଏହାପରେ ବର୍ଷ ୧୯୮୪ରେ ଭୂଟାନ ଓ ଇଣ୍ଡୋନେସିଆର ପ୍ରତିନିଧି ଭାରତରେ ପହଞ୍ଚିଥିଲେ । ଭୂଟାନର ରାଜା ଜିଗମେ ସିଙ୍ଗୟେ ଓ୍ବାଙ୍ଗଚୁକ ଓ ଇଣ୍ଡୋନେସିଆର ସେନାମୁଖ୍ୟ ଅଫ ଷ୍ଟାଫ ଜେନେରାଲ ରୁଦିନୀ ସାମିଲ ହୋଇଥିଲେ । ଏହାପରେ ୨୦୧୧ରେ ଇଣ୍ଡୋନେସିଆର ରାଷ୍ଟ୍ରପତି ସୁସୀଲୋ ବାମ୍ବାହ ୟୁଦ୍ଦୋୟୋନୋ ମୁଖ୍ୟ ଅତିଥି ହୋଇଥିଲେ । ୨୦୧୮ରେ ଭାରତ ଏସିଆନ ରାଷ୍ଟ୍ରମାନଙ୍କର ପ୍ରମୁଖମାନଙ୍କୁ ନିମନ୍ତ୍ରଣ ପଠାଇଥିଲା । ସେଥିରେ ଇଣ୍ଡୋନେସିଆ ସାମିଲ ଥିଲା । ଏଥର ୫ମ ଥର ପାଇଁ ୨୦୨୫ରେ ଇଣ୍ଡୋନେସିଆର ରାଷ୍ଟ୍ରପତି ପ୍ରୋବୋବୋ ସୁବିଆନ୍ତୋ ଭାରତ ପହଞ୍ଚି ସାଧାରଣତନ୍ତ୍ର ଦିବସରେ ସାମିଲ ହୋଇଛନ୍ତି ।
୧୯୫୦ ବର୍ଷ ଉଭୟ ଦେଶ ପାଇଁ ଅନେକ ଗୁରୁତ୍ବ ବହନ କରିଥିଲା । ଦୁଇ ଦେଶ ମଧ୍ୟରେ ସେ ସମୟରେ ସମ୍ପର୍କ ଅତ୍ୟନ୍ତ ନିବିଡ଼ ରହିଥିଲା । ଭାରତର ପ୍ରଥମ ସାଧାରଣତନ୍ତ୍ର ଦିବସ ଅବସରରେ ଇଣ୍ଡୋନେସିଆର ରାଷ୍ଟ୍ରପତି ମୁଖ୍ୟ ଅତିଥି ହୋଇଥିଲେ । ତୃତୀୟ ବିଶ୍ବଯୁଦ୍ଧ ପରେ ଉପନିବେଶବାଦର ଅନ୍ତ ଘଟିବା ସହ ନୂଆ ରାଷ୍ଟ୍ରର ଉଦୟ ହେଉଥିଲା । ଭାରତ ୧୯୪୭ରେ ବ୍ରିଟିଶ ଠାରୁ ଓ ଇଣ୍ଡୋନେସିଆ ୧୯୪୯ରେ ନେଦରଲାଣ୍ଡସ ଠାରୁ ସ୍ବାଧିନତା ହାସଲ କରିଥିଲା । ସୁକର୍ଣ୍ଣୋଙ୍କ ଭାରତ ଗସ୍ତ ଉଭୟ ଦେଶର ଏକଜୁଟ ଓ ସହଯୋଗ ବୃଦ୍ଧି ପାଇଁ ଏକ ବଡ଼ ପଦକ୍ଷେପ ବୋଲି ଗ୍ରହଣ କରାଯାଉଥିଲା । ୧୯୫୦ ପରେ ଭାରତ ଓ ଇଣ୍ଡୋନେସିଆ ମଧ୍ୟରେ ସମ୍ପର୍କ କ୍ରମାଗତ ଭାବେ ମଜବୁତ ହୋଇଆସିଛି । ବୈଶ୍ବିକ ମଞ୍ଚରେ ଦୁଇ ରାଷ୍ଟ୍ର ପରସ୍ପରକୁ ସର୍ବଦା ସମର୍ଥନ ଦେଇ ଆସିଛନ୍ତି ।
ସମୟ ବଦଳିବା ସହିତ ଦୁଇ ଦେଶ ମଧ୍ୟରେ ଦ୍ବିପାକ୍ଷିକ ସମ୍ବନ୍ଧ ବୃଦ୍ଧି ହୋଇଥିବା ଦେଖିବାକୁ ମିଳିଛି । ଖାସ କରି ୧୯୯୦ ଦଶକରେ ଭାରତ ନିଜର ବିଦେଶୀ ନୀତିରେ ଆର୍ଥିକ ସୁଧାର ଲାଗୁ କରିଥିବା ବେଳେ ତା’ପରେ ଦୁଇ ରାଷ୍ଟ୍ର ମଧ୍ୟରେ ବ୍ୟବସାୟ, ପ୍ରତିରକ୍ଷା ଓ ସାଂସ୍କୃତିକ ଭାବ ବିନିମୟରେ ବିଶେଷ ପ୍ରଗତି ହୋଇଥିଲା । ଏକବିଂଶ ଶତାବ୍ଦୀର ଆରମ୍ଭରେ ଦୁଇ ଦେଶ ନିଜ ନିଜର ପ୍ରତିରକ୍ଷା ସହଯୋଗ ବୃଦ୍ଧି ପାଇଁ ଗୁରୁତ୍ବପୂର୍ଣ୍ଣ ପଦେକ୍ଷପ ଗ୍ରହଣ କରିଛନ୍ତି । ୨୦୧୮ରେ ଭାରତ ଓ ଇଣ୍ଡୋନେସିଆ ସାମୁଦ୍ରିକ ସୁରକ୍ଷା, ଆତଙ୍କବାଦ, ଅନ୍ୟ ବିଶ୍ବ ସୁରକ୍ଷା ପ୍ରସଙ୍ଗରେ ସହଯୋଗ ବୃଦ୍ଧି ପାଇଁ ବୁଝାମଣା ସ୍ବାକ୍ଷର କରିଥିଲେ । ଭାରତର ଅନ୍ୟତମ ଶତ୍ରୁ ଚୀନକୁ ଜବାବ ଦେବା ପାଇଁ ଇଣ୍ଡୋନେସିଆ ସହ ସମ୍ପର୍କ ବେଶ ଗୁରୁତ୍ବପୂର୍ଣ୍ଣ । ଇଣ୍ଡୋନେସିଆ ହିନ୍ଦ ମହାସାଗରରର ଏକ ମହତ୍ତ୍ବପୂର୍ଣ୍ଣ ସ୍ଥାନରେ ରହିଥିବା ବେଳେ ଦୁଇ ଦେଶର ନୗସେନା ମଧ୍ୟରେ ସହଯୋଗ ମଜବୁତ ହୋଇଛି ।