ପାଇଲଟଙ୍କୁ ମାଡ଼ ମାରିଥିବା ଯାତ୍ରୀଙ୍କ ନାମ ‘ନୋ ଫ୍ଲାଇଂ’ ତାଲିକାରେ ସାମିଲ ହେବ

1 min read

ନୂଆଦିଲ୍ଲୀ : ଇଣ୍ଡିଗୋ ଦିଲ୍ଲୀ- ଗୋଆ ବିମାନରେ ପାଇଲଟଙ୍କୁ ଜଣେ ଯାତ୍ରୀ ମାଡ ମାରିବା ଘଟଣାରେ ବଡ଼ ପଦକ୍ଷେପ ।  ବିମାନ କମ୍ପାନୀ ପକ୍ଷରୁ ଏହା ଉପରେ ପ୍ରମୁଖ ପଦକ୍ଷେପ ନିଆଯିବା ନେଇ ଘୋଷଣା କରାଯାଇଛି । ଏୟାରଲାଇନ ସୂତ୍ର ଅନୁଯାୟୀ, ଏପରି କାଣ୍ଡ ଭିଆଇଥିବା ଯାତ୍ରୀଙ୍କ ନାଁକୁ ‘ନୋ ଫ୍ଲାଇଂ’ ଲିଷ୍ଟରେ ସାମିଲ କରିବାକୁ ଡିଜିସିଏଙ୍କୁ ସୁପାରିଶ କରାଯାଇଛି ।

ଇଣ୍ଡିଗୋ ପକ୍ଷରୁ ଏହି ଘଟଣାକୁ ନେଇ ଏକ ଇଣ୍ଟରନାଲ କମିଟି ଗଠନ କରାଯାଇଛି ।  ଏହି କମିଟିରେ ଏ ନେଇ ଆଲୋଚନା କରାଯାଇଛି । ‘ନୋ ଫ୍ଲାଇଂ ଲିଷ୍ଟ’ରେ ଯଦି କୌଣସି ବ୍ୟକ୍ତିଙ୍କ ନାଁ ସାମିଲ କରାଯାଏ , ତେବେ ଏହାର ଅର୍ଥ ହେଉଛି ସେହି ବ୍ୟକ୍ତିଙ୍କ ଅନୁଚିତ ବ୍ୟବହାର ପାଇଁ ତାଙ୍କୁ ଦୋଷୀ ସାବ୍ୟସ୍ତ କରି ଏକ ନିର୍ଦ୍ଧାରିତ ସମୟସୀମା ପର୍ଯ୍ୟନ୍ତ ତାଙ୍କୁ ଭାରତର ମଧ୍ୟରେ ଉଡାଣ ଉପରେ ରୋକ୍ ଲଗାଯାଇଛି  । ଅର୍ଥାତ୍ ‘ନୋ ଫ୍ଲାଇଂ ଲିଷ୍ଟ’ରୁ ତାଙ୍କ ନାଁ ନହଟିବା ଯାଏଁ ସେ ଭାରତ ଭିତରେ ବିମାନ ଯୋଗେ ଯାତ୍ରା କରି ପାରିବେ ନାହିଁ  ।

ଉକ୍ତ ଦିନ ବିମାନରେ ବିଳମ୍ବ ନେଇ ଯାତ୍ରୀ ମାନଙ୍କୁ ଘୋଷଣା କରାଯାଉଥିବା ସମୟରେ ସଂପୃକ୍ତ ବ୍ୟକ୍ତି ଜଣକ ହଠାତ ଉଠି ଆସି ପାଇଲଟଙ୍କୁ ମାଡ଼ ମାରିଥିଲେ ।  ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା  ।  ଏହି ଘଟଣାଟି ରବିବାର ଦିନ ଦିଲ୍ଲୀରୁ ଗୋଆ ଯାଉଥିବା ଫ୍ଲାଇଟ୍ 6E-2175ରେ ଘଟିଥିବା ଜଣାପଡିଛି ।  କୁହୁଡି ଯୋଗୁଁ ପାଖାପାଖି ୧୨ ଘଣ୍ଟା ବିଳମ୍ବ ନେଇ ପାଇଲଟ୍ ଘୋଷଣା କରୁଥିବା ବେଳେ ବ୍ୟକ୍ତି ଜଣକ ଉତ୍ୟକ୍ତ ହୋଇ ଏପରି କାଣ୍ଡ ଘଟାଇଥିଲେ  ।  ଯାତ୍ରୀ ଜଣକଙ୍କ ନାଁ ସାହିଲ କଟାରିଆ ବୋଲି ଜଣାପଡିଛି  ।  ଘଟଣା ପରେ ତାଙ୍କୁ ବିମାନରୁ ଓହ୍ଲାଇ ଦିଆଯାଇଥିଲା ଏବଂ କେନ୍ଦ୍ରୀୟ ସୁରକ୍ଷା ବାହିନୀଙ୍କୁ ହସ୍ତାନ୍ତର କରାଯାଇଥିଲା ।  ଅନ୍ୟପଟେ ଇଣ୍ଡିଗୋ ପକ୍ଷରୁ ଏହି ଯାତ୍ରୀଙ୍କ ବିରୋଧରେ ଅଭିଯୋଗ ଦାୟର କରାଯାଇଛି ।