ଇଣ୍ଡିଗୋ ବିମାନର ଜରୁରୀ ଅବତରଣ, ଯାନ୍ତ୍ରିକ ତ୍ରୁଟି ପରେ କରାଚିରେ ଲ୍ୟାଣ୍ଡିଂ

1 min read

ନୂଆଦିଲ୍ଲୀ: ୟୁଏଇର ସାରଜାରୁ ହାଇଦ୍ରାବାଦ ଆସୁଥିବା ଇଣ୍ଡିଗୋ ବିମାନର ଜରୁରୀ ଅବତରଣ । ବିମାନରେ ଯାନ୍ତ୍ରିକ ତ୍ରୁଟି ପରିଲକ୍ଷିତ ହେବା ପରେ ବିମାନକୁ କରାଚି ବିମାନବନ୍ଦରରେ ଅବତରଣ କରାଯାଇଛି । ବିମାନରେ ଥିବା ସମସ୍ତ ଯାତ୍ରୀ ନିରାପଦ ଅଛନ୍ତି । କରାଚିକୁ ଅନ୍ୟ ଏକ ବିମାନ ପଠାଯିବା ପରେ ସେଠାରୁ ଯାତ୍ରୀମାନେ ହାଇଦ୍ରାବାଦ ଫେରିବେ ବୋଲି ସୂଚନା ମିଳିଛି । ସାରଜାରୁ ହାଇଦ୍ରାବାଦ ଉଡ଼ାଣ କରୁଥିବା ଇଣ୍ଡିଗୋ ଫ୍ଲାଇଟ ୬E-୧୪୦୬ରେ ମଝି ଆକାଶରେ ଯାନ୍ତ୍ରିକ ତ୍ରୁଟି ନେଇ ପାଇଲଟ ସୂଚନା ପାଇଥିଲେ । ପରେ କରାଚି ବିମାନବନ୍ଦର କର୍ତ୍ତୃପକ୍ଷଙ୍କଠାରୁ ଗ୍ରୀନ୍ ସିଗନାଲ ପାଇବା ପରେ ସେଠାରେ ବିମାନକୁ ଅବତରଣ କରାଯାଇଥିଲା । ବିମାନର ଇଞ୍ଜିନ ନମ୍ବର ୨ରେ ଏହି ତ୍ରୁଟି ପରିଲକ୍ଷିତ ହୋଇଥିଲା ।

କିଛିଦିନ ତଳେ ଦିଲ୍ଲୀରୁ ଦୁବାଇ ଯାଉଥିବା ସ୍ପାଇସ ଜେଟର ଏକ ବିମାନ ମଧ୍ୟ କରାଚିରେ ଲ୍ୟାଣ୍ଡିଂ କରିଥିଲା । ଏହି ବିମାନରେ ୧୫୦ ଯାତ୍ରୀ ଥିଲେ । ତେବେ ସ୍ପାଇସ ଜେଟଙ୍କଠାରୁ ଏନେଇ ସ୍ପଷ୍ଟୀକରଣ ମାଗିଥିଲେ ଡିଜିସିଏ । ପୂର୍ବରୁ ଗତ ମେ’ ୪ରେ ଚେନ୍ନାଇ-ଦୁର୍ଗାପୁର ସ୍ପାଇସ ଜେଟରେ ତ୍ରୁଟି ପରିଲକ୍ଷିତ ହୋଇଥିବାବେଳେ ମେ’ ୨୮ରେ ମୁମ୍ବାଇରୁ ଗୋରଖପୁର ଯାଉଥିବା ସ୍ପାଇସ ଜେଟରେ ତ୍ରୁଟି ଦେଖାଦେଇଥିଲା । ଜୁନ ୧୯ରେ ଦିଲ୍ଲୀରୁ ଜବଲପୁର ଯାଉଥିବା ସ୍ପାଇସ ଜେଟ, ଜୁଲାଇ ୨ରେ ଜବଲପୁର ଯାଉଥିବା ସ୍ପାଇସ ଜେଟ, ଜୁଲାଇ ୫ରେ କୁଣ୍ଡଲା-ମୁମ୍ବାଇ ସ୍ପାଇସ ଜେଟ, ଜୁଲାଇ ୫ରେ ଦିଲ୍ଲୀ-ଦୁବାଇ ସ୍ପାଇସଜେଟରେ ବି ତ୍ରୁଟି ପରିଲକ୍ଷିତ ହୋଇଥିଲା ।