ନନ୍ଦିଘୋଷ ବ୍ୟୁରୋ : ଦେଶବ୍ୟାପୀ ସେବା ବିପର୍ଯ୍ୟସ୍ତ ହେବା ପରେ ଇଣ୍ଡିଗୋ ବିରୋଧରେ କେନ୍ଦ୍ରର କାର୍ଯ୍ୟାନୁଷ୍ଠାନ। ଇଣ୍ଡିଗୋ ଲାଗି ରହିଥିବା ୱିଣ୍ଟର ଫ୍ଲାଇଟ ସିଡ୍ୟୁଲକୁ ୫ ପ୍ରତିଶତ ହ୍ରାସ କରାଯାଇଛି। ଏହି ସ୍ଲଟଗୁଡିକୁ ଅନ୍ୟାନ୍ୟ ଏୟାରଲାଇନ୍ସକୁ ଦିଆଯାଇଛି। ସେପଟେ ରୋଷ୍ଟର ରୋଲରେ କୌଣସି ପ୍ରକାର ସାଲିସ କରାଯିବ ନାହିଁ ବୋଲି କହିଛନ୍ତି କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ କେ. ରାମ ମୋହନ ନାଇଡୁ। ଆଜି ଲକ୍ଷ୍ମୌରୁ ଆସିବାକୁ ଓ ଲକ୍ଷ୍ମୌକୁ ଯିବାକୁ ଥିବା ୨୬ଟି ଇଣ୍ଡିଗୋ ବିମାନକୁ ବାତିଲ କରାଯାଇଛି। ସେହିପରି ବେଙ୍ଗାଳୁରୁରେ ୧୨୧, ଚେନ୍ନାଇରେ ୮୧, ହାଇଦ୍ରାବାଦରେ ୫୮, ମୁମ୍ବାଇରେ ୫୧ ଓ ଅହମ୍ମଦାବାଦରେ ୧୬ଟି ବିମାନକୁ ବାତିଲ କରାଯାଇଛି। ତେବେ ଦିଲ୍ଲୀ ବିମାନ ବନ୍ଦରରେ ଆଜି କୌଣସି ଇଣ୍ଡିଗୋ ଫ୍ଲାଇଟକୁ ବାତିଲ କରାଯାଇନାହିଁ। ଆଜି କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ପକ୍ଷରୁ ଏୟାରଲାଇନ ଅପରେଟରଙ୍କ ସହ ବୈଠକ ରହିଛି। ଭବିଷ୍ୟତରେ ଯେପରି ପୁଣି ଥରେ ଏହି ସମସ୍ଯା ଉପୁଜିବ ନାହିଁ ସେଥିପ୍ରତି ଗୁରୁତ୍ବ ଦେଇଛି ମନ୍ତ୍ରାଳୟ। ଗତକାଲି ସୁଦ୍ଧା କ୍ଷତିଗ୍ରସ୍ତ ଯାତ୍ରୀଙ୍କୁ ଇଣ୍ଡିଗୋ ୮୨୭ କୋଟି ଟଙ୍କା ଫେରସ୍ତ କରିଥିବା ସୂଚନା ମିଳିଛି। ଡିସେମ୍ବର ୧୫ ସୁଦ୍ଧା ହୋଇଥିବା ଟିକେଟ ବାବଦ ଦେୟ ଫେରସ୍ତ ହୋଇଛି। ୪୫୦ ବିମାନକୁ ବାତିଲ କରାଯାଇଥିବାବେଳେ ୧୮୦୦ରୁ ଅଧିକ ବିମାନର ଚଳାଚଳ ସ୍ବାଭାବିକ ହୋଇଛି। ଅର୍ଥାତ ମୋଟ ଅପରେଟିଂ ହାରର ୯୮ ପ୍ରତିଶତ ସ୍ବାଭାବିକ ସ୍ଥିତିକୁ ଆସିଥିବା କୁହାଯାଇଛି। ଆସନ୍ତାକାଲି ବସିବ ଉଚ୍ଚସ୍ତରୀୟ ୪ ଜଣିଆ କମିଟିର ବୈଠକ। ଡିଜିସିଏର ଉଚ୍ଚସ୍ତରୀୟ କମିଟି ବୈଠକରେ ଯୋଗ ଦେବାକୁ ଇଣ୍ଡିଗୋର ସିଇଓ ପିଟିର ଏଲବର୍ସଙ୍କ ସମେତ କିଛି ଅଧିକାରୀ ଏହି ବୈଠକରେ ସାମିଲ ହେବେ। ଗତ ଡିସେମ୍ବର ୧ରୁ ୭ ଯାଏ ୫ ଲକ୍ଷ ୮୬ ହଜାର ୭୯୫ ପିଏନଆର ବାତିଲ କରାଯାଇଛି। ସେହିପରି ନଭେମ୍ବର ୨୧ରୁ ଡିସେମ୍ବର ୭ ଯାଏ ମୋଟ ୯ ଲକ୍ଷ ୫୫ ହଜାର ୫୯୧ ପିଏନଆର ବାତିଲ ହୋଇଛି।

