୩୦ କୋଟି ଜୀବନ ବାଜି; ମଧୁମେହ ଓ ଉଚ୍ଚ ରକ୍ତଚାପ କବଳରେ ଯୁବଗୋଷ୍ଠୀ

ଭୁବନେଶ୍ବର: ମଧୁମେହ, ଉଚ୍ଚ ରକ୍ତଚାପ ରାକ୍ଷସ କବଳରେ ଭାରତର ଯୁବଗୋଷ୍ଠୀ । ଅନିୟମିତ ଖାଦ୍ୟ, ଶାରୀରିକ ବ୍ୟାୟାମ ଅଭାବରୁ ୨୦୩୦ ସୁଦ୍ଧା ଦେଶର ୩୦ କୋଟି ଯୁବକ ଯୁବତୀଙ୍କ ଜୀବନ ଦୁର୍ବିସହ ହୋଇପାରେ । ଏଭଳି ଚାଞ୍ଚଲ୍ଯକର ରିପୋର୍ଟ ପ୍ରକାଶ କରିଛି ବିଶ୍ବସ୍ତରୀୟ ସ୍ବାସ୍ଥ୍ୟ ପତ୍ରିକା ଲାନ୍ସେଟ । ସହରାଞ୍ଚଳ ଅପେକ୍ଷା ଗ୍ରାମାଞ୍ଚଳରେ ଏହି ରୋଗୀଙ୍କ ସଂଖ୍ୟା ଅଧିକ । ଓଡ଼ିଶାର ଜନସଂଖ୍ୟାର ୩୦ ପ୍ରତିଶତ ବି ଏହି ରୋଗର ଶିକାର ହୋଇଛନ୍ତି । ବିଶେଷଜ୍ଞଙ୍କ ମତରେ ଯୋଗ, ବ୍ୟାୟାମ ଓ ରାତିରେ ଅଳ୍ପାହାର କଲେ ବଞ୍ଚିଯିବ ଜୀବନ ।

ଜୀବନ ନେଉଛି ମଧୁମେହ, ଉଚ୍ଚ ରକ୍ତଚାପ । ଧୀରେ ଧୀରେ ବିଶ୍ବର ଡାଇବେଟିକ୍ ରାଜଧାନୀ ପାଲଟିବାକୁ ଯାଉଛି କି ଭାରତ ? ଶାରୀରିକ ବ୍ୟାୟାମ, ଯୋଗ, ନିୟମିତ ଖାଦ୍ୟପେୟ ଓ ଜୀବନଚର୍ଯ୍ୟା ଅଭାବରୁ ଦେଶର ୧୫ରୁ ୨୯ ବର୍ଷ ବୟସର ଯୁବବର୍ଗ ଏପରି ସାଂଘାତିକ ରୋଗରେ ପୀଡ଼ିତ । ବିଶ୍ବସ୍ତରୀୟ ସ୍ବାସ୍ଥ୍ୟ ପତ୍ରିକା ଲାନ୍ସେଟ୍ ଏପରି ଉଦବେଗଜନକ ରିପୋର୍ଟ ପ୍ରକାଶ କରିଛି । ରିପୋର୍ଟ ଅନୁଯାୟୀ ୨୦୦୦ ମସିହାରୁ ୨୦୧୦ ଭିତରେ ମଧୁମେହ ରୋଗୀଙ୍କ ସଂଖ୍ୟା ୩୪ ପ୍ରତିଶତ ବଢିଛି । ଏପରି ସଂଖ୍ୟା ବୃଦ୍ଧି ପାଇଲେ ୨୦୩୦ ସୁଦ୍ଧା ମୋଟ ଜନସଂଖ୍ୟାର ୫୦ କୋଟି ଯୁବକ ଯୁବତୀଙ୍କ ଭିତରୁ ୩୦ କୋଟି ଯୁବବର୍ଗଙ୍କ ଜୀବନ ଦୁର୍ବିସହ ହୋଇପଡ଼ିବ । ଗତବର୍ଷ ଆଇସିଏମଆର ଓ ଲାନ୍ସେଟ୍ ମିଳିତ ସର୍ଭେ ଅନୁଯାୟୀ ୧୮ ବର୍ଷରୁ ଅଧିକ ବୟସର ୧୦ କୋଟି ୧୦ ଲକ୍ଷ ଯୁବକ ସାଂଘାତିକ ମଧୁମେହ ରୋଗରେ ପୀଡ଼ିତ । ସେହପରି ୩୧ କୋଟି ୫୦ ଲକ୍ଷ ଯୁବକ ହାଇପରଟେନ୍ସନରେ ଆକ୍ରାନ୍ତ । ସପ୍ତାହକୁ ୧୫୦ ମିନିଟ ହିସାବରେ ଦିନକୁ ୧୫ରୁ ୨୦ ମିନିଟ ଶାରୀରିକ ବ୍ୟାୟାମ କଲେ ଶରୀର ସୁସ୍ଥ ରହିବ । କିନ୍ତୁ ଏତିକି ବି କରିବାକୁ ଆଜିର ଯୁବଗୋଷ୍ଠୀ ଆଗ୍ରହ ଦେଖାଉନାହାନ୍ତି ।

ଭାରତରେ ରହିଛି ବଳିଷ୍ଠ ଯୋଗ ପରମ୍ପରା । ଖାଲି ଖାଦ୍ୟପେୟ ନୁହେଁ, ଆଜିର ଯୁବଗୋଷ୍ଠୀ ମୋବାଇଲ ଓ ଇଣ୍ଟରନେଟ୍ ଅତ୍ୟଧିକ ବ୍ୟବହାର କରିବା ଦ୍ବାରା ବି ସେମାନଙ୍କ ଶରୀରରେ ଅହେତୁକ ପ୍ରତିକ୍ରିୟା ସୃଷ୍ଟି ହେଉଛି । ଏହାସହିତ ଫାଷ୍ଟଫୁଡ୍ ନେବା ଦ୍ବାରା ମୋଟାପଣର ଶିକାର ହେଉଛନ୍ତି । ଯୋଗଶାସ୍ତ୍ର ଅନୁୟାୟୀ ଶରୀରର ସମସ୍ତ ଅଙ୍ଗପ୍ରତ୍ୟଙ୍ଗରେ ରକ୍ତ ସଞ୍ଚାଳନ ହେବା ପାଇଁ ହଠ ଯୋଗର ପରମ୍ପରା ରହିଛି । ସହରାଞ୍ଚଳ ଲୋକେ ଏ ଦିଗରେ ସଚେତନ ହେଲେଣି । କିନ୍ତୁ ଗ୍ରାମାଞ୍ଚଳର ଲୋକଙ୍କ ମେଟାବଲିକ୍ ଅସନ୍ତୁଳନ ରହିଲେ ବି ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ଯତ୍ନ ପ୍ରାୟ ନେଉନାହାନ୍ତି । ମଧୁମେହ, ଉଚ୍ଚ ରକ୍ତଚାପ ସମ୍ପୂର୍ଣ୍ଣ ନିରାକରଣ ପାଇଁ କୌଣସି ଔଷଧ ନାହିଁ । ନିୟମିତ ଔଷଧ ସେବନ ଦ୍ବାରା କେବଳ ନିୟନ୍ତ୍ରଣରେ ରହିବ । ରାତିରେ ଅଳ୍ପ ଖାଦ୍ୟ ଖାଇବା କିମ୍ବା ରାତି ୮ଟା ପୂର୍ବରୁ ଖାଦ୍ୟ ଖାଇଲେ ଶରୀର ପାଇଁ ଭଲ । ପ୍ରତ୍ୟୁଷରୁ ଉଠି ସୂର୍ଯ୍ୟପ୍ରଣାମ କରିବା ଦ୍ବାରା ଶରୀରର ସମସ୍ତ ଟକ୍ସିନ୍ ଉପାଦାନ ନିଷ୍କାସନ ହୋଇଥାଏ ବୋଲି କହିଛନ୍ତି ଯୋଗ ବିଶେଷଜ୍ଞ ପରିକ୍ଷୀତ ଦାସ ।

ମେଦ ବହୁଳତା ଯୋଗୁଁ ବି ଅନେକ ଲୋକ ହୃଦଘାତର ଶିକାର ହେଉଛନ୍ତି । ରିପୋର୍ଟ କହୁଛି ୨୫ କୋଟି ୪୦ ଲକ୍ଷ ଲୋକ ମେଦ ବହୁଳତାର ଶିକାର ହୋଇଥିବା ବେଳେ ୧୮ କୋଟି ୫୦ ଲକ୍ଷ ଲୋକଙ୍କ ଜୀବନ ସାଂଘାତିକ ଏଲ୍ଡିଏଲ୍ ରୋଗରେ ଆକ୍ରାନ୍ତ ହୋଇଛି ।