କରୋନାର ଦ୍ୱିତୀୟ ଲହରି ହେବ ଭୟଙ୍କର, ୨୫ ଲକ୍ଷ ହେବେ ସଂକ୍ରମିତ
ନୂଆଦିଲ୍ଲୀ: କରୋନାର ଦ୍ୱିତୀୟ ଲହରି ପୂର୍ବଅପେକ୍ଷା ଅଧିକ ଭୟଙ୍କର ହେବ। ଦ୍ୱିତୀୟ ଫେଜରେ ପାଖାପାଖି ୨୫ ଲକ୍ଷ ଲୋକ ସଂକ୍ରମିତ ହେବେ । ଏମିତି ଏକ ରିସର୍ଚ୍ଚ ରିପୋର୍ଟରେ ଦାବି କରାଯାଇଛି । ଏହି ରିପୋର୍ଟକୁ ଏସବିଆଇ(ଷ୍ଟେଟ୍ ବ୍ୟାଙ୍କ୍ ଅଫ୍ ଇଣ୍ଡିଆ) ତରଫରୁ ଜାରି କରାଯାଇଛି । ରିପୋର୍ଟ ଅନୁସାରେ କରୋନାର ଦ୍ୱିତୀୟ ଲହରି ଭାରତକୁ ୧୦୦ଦିନ ପାଇଁ ଡରାଇବ । ପ୍ରଥମ ପର୍ଯ୍ୟାୟ ତୁଳନାରେ ଦ୍ୱିତୀୟ ପର୍ଯ୍ୟାୟରେ କରୋନା ଦ୍ରୁତ ଗତିରେ ବୃଦ୍ଧି ପାଇବ ।
ରିପୋର୍ଟରେ କୁହାଯାଇଛି ଯେ, ଫେବ୍ରୁଆରୀ ମାସରୁ ଭାରତରେ କରୋନାର ଦ୍ୱିତୀୟ ପର୍ଯ୍ୟାୟ ଆରମ୍ଭ ହୋଇ ସାରିଛି । ଏପ୍ରିଲ ଦ୍ୱିତୀୟ ସପ୍ତାହ ବେଳକୁ ଏହା ଶିଖର ଛୁଇଁବ । ଏହି ସମୟ ଭିତରେ ଭାରତରେ ଦୈନିକ କରୋନା ସଂକ୍ରମିତଙ୍କ ସଂଖ୍ୟା ପ୍ରଥମ ତୁଳନାରେ ଅଧିକ ଜୋରରେ ବଢିବ । ମେ’ ମାସ ପର୍ଯ୍ୟନ୍ତ ଦ୍ୱିତୀୟ ପର୍ଯ୍ୟାୟ ଚରମରେ ରହିବ । ଷ୍ଟେଟବ୍ୟାଙ୍କର ଆର୍ଥିକ ଅନୁସଂଧାନ ବିଭାଗ ତରଫରୁ ଏହି ରିପୋର୍ଟ ତିଆରି ହୋଇଛି ।
ରିପୋର୍ଟ ଅନୁସାରେ ମାର୍ଚ୍ଚ ୨୩ ତାରିଖର ଟ୍ରେଣ୍ଡକୁ ଯଦି ଧରାଯାଏ ତେବେ ଦ୍ୱିତୀୟ ପର୍ଯ୍ୟାୟରେ ସଂକ୍ରମିତଙ୍କ ସଂଖ୍ୟା ୨୫ ଲକ୍ଷରୁ ଅଧିକ ହେବ । ସ୍ଥାନୀୟ ସ୍ଥରରେ ଲକଡାଉନ ଦ୍ୱାରା କରୋନା ସଂକ୍ରମଣ ରୋକିବା କିମ୍ବା ମୃତ୍ୟୁକୁ କମ କରିବା ସମ୍ଭବ ହୋଇନଥିବା ମହାରାଷ୍ଟ୍ର ଓ ପଂଜାବ ଅନୁଭବରୁ ଜଣାପଡୁଛି ବୋଲି ରିପୋର୍ଟରେ ଦାବି କରାଯାଇଛି ।
ତେବେ ରିପୋର୍ଟରେ ଏହା ମଧ୍ୟ କୁହାଯାଇଛି ଯେ, ବିଭିନ୍ନ ରାଜ୍ୟରେ କରୋନା ସଂକ୍ରମଣ ରୋକିବା ପାଇଁ ଯେଉଁ ସବୁ ପଦକ୍ଷେପ ନିଆଯାଉଛି ତା’ର ପ୍ରଭାବ ଆସନ୍ତା ମାସରୁ ଦେଖିବାକୁ ମିଳିବ । କିନ୍ତୁ ଲକଡାଉନ୍ ଯୋଗୁ ଆର୍ଥିକ କ୍ଷତି ହେବା ସହିତ ଜୀବନ ଜୀବୀକା ଉପରେ ପ୍ରଭାବ ପଡିବ ବୋଲି ଏଥିରେ କୁହାଯାଇଛି । ବ୍ୟାପକ ଟିକାକରଣ ହିଁ କରୋନାକୁ ରୋକିବାର ଏକମାତ୍ର ଉପାୟ ବୋଲି ରିପୋର୍ଟ ଦାବି କରିଛି ।