୧୫ ଏକର ପରିମିତ ସ୍ଥାନରେ ସର୍ବବୃହତ ଷ୍ଟାଡିୟମ, ୧୭ଟି ବ୍ଲକରେ ନିର୍ମାଣ ହେବ ୧୭ଟି ଆଷ୍ଟ୍ରୋ ଟର୍ଫ

ଭୁବନେଶ୍ବର: ହକିର ଏନ୍ତୁଡିଶାଳ ଆହୁରି ଆଗକୁ ବଢିବ । ବାହାରିବେ ନୂଆ ପ୍ରତିଭା ।  ବିଶ୍ୱ ଦେଖିବ ସୁନ୍ଦରଗଡ଼ରେ ସର୍ବ ବୃହତ ଷ୍ଟାଡିୟମ । କାରଣ ୨୦୨୩ରେ ହେବାକୁ ଯାଉଥିବା ହକି ବିଶ୍ୱ କପ ଭୁବନେଶ୍ୱର ସମେତ ରାଉରକେଲାରେ ଆୟୋଜନ ହେବାକୁ ଯାଉଛି । ଆଉ ଯେଉଁଥିପାଇଁ ରାଜ୍ୟ ସରକାର ରାଉରକେଲାରେ ନିର୍ମାଣ କରିବାକୁ ଯାଉଛନ୍ତି ଦେଶର ସର୍ବ ବୃହତ ଷ୍ଟାଡିୟମ । ୧୫ ଏକର ପରିମିତ ସ୍ଥାନରେ ଠିଆ ହେବାକୁ ଯାଉଥିବା ଷ୍ଟାଡିୟମରେ ୨୦ ହଜାର ଦର୍ଶକ ବସିବାର କ୍ଷମତା ରହିଛି ।

ଯେଉଁଥିପାଇଁ ରାଜ୍ୟ ସରକାର ସୁନ୍ଦରଗଡ଼ର ୧୭ଟି ବ୍ଲକରେ ୧୭ଟି ଆଷ୍ଟ୍ରୋ ଟର୍ଫ ନିର୍ମାଣ କରାଯିବା ନେଇ ନିଷ୍ପତ୍ତି ନେଇଛନ୍ତି । ଜିଲ୍ଲାର ଛାତ୍ରଛାତ୍ରୀଙ୍କ ଦକ୍ଷତା ବିକାଶ ପାଇଁ ୧୫ କୋଟି ଟଙ୍କାର ଆର୍ଥିକ ଅନୁଦାନ ପ୍ରଦାନ କରିଥିବାବେଳେ କ୍ରୀଡ଼ା ପାଇଁ ୧୨୦ କୋଟି ଟଙ୍କାର ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ।

ସେହିପରି ମୁଖ୍ୟମନ୍ତ୍ରୀ କହିଛନ୍ତି, ହକିର ଏନ୍ତୁଡିଶାଳ ହେଉଛି ସୁନ୍ଦରଗଡ଼ । ହକି ଖେଳାଳିମାନେ କେବଳ ଓଡିଶା ନୁହେଁ ଦେଶର ଗୌରବ । ଦେଶ ପାଇଁ ସେମାନେ ସୁନାମ ଆଣିଛନ୍ତି । ସୁନ୍ଦରଗଡ଼ର ମାଟି, ପାଣି ପବନ ସବୁଥିରେ ଅଛି ହକିର ପ୍ରାଣ । ଆଜି ସୁନ୍ଦରଗଡ଼ ହକି ପାଇଁ ବିଶ୍ବସ୍ତରରେ ସ୍ଥାନ ପାଇଛି ଓଡିଶା । ବେଲଜିୟମ, ଅଷ୍ଟ୍ରେଲିଆ ଓ ମାଲେସିଆ ପରି ଦେଶଙ୍କୁ ପଛରେ ପକାଇ ଆମ ଦେଶ ୨୦୨୩ ପୁରୁଷ ବିଶ୍ୱ କପ୍‌ ହକି ଆୟୋଜନ କରିବାକୁ ବଛା ଯାଇଛି ।

ଓଡିଶା ହେଉଛି ଭାରତୀୟ ହକିର ମୁଖ୍ୟ ପ୍ରଯୋଜକ । ୨୦୧୮ର ହକି ବିଶ୍ବକପ୍ ସଫଳ ଆୟୋଜନ ପରେ ହକି ଫେଡେରେସନ ଓଡିଶାରେ ପୁଣି ହକି ବିଶ୍ବକପ କରିବାକୁ ପ୍ରସ୍ତାବ ଦେଇଥିଲା । ତେଣୁ ରାଉରକେଲାରେ ପୁରୁଷ ହକି ବିଶ୍ବକପ୍ ପାଇଁ ଚିନ୍ତା କରାଯାଇଛି । ତେବେ ଖୁସିର କଥା, ରାଉରକେଲା ପୁରୁଷ ହକି ବିଶ୍ୱ କପର ଭେନ୍ୟୁ ଭାବେ ବଛା ଯାଇଛି । ସୁନ୍ଦରଗଡ଼ ହକି ପ୍ରେମୀଙ୍କ ପାଇଁ ଏହା ସବୁଠାରୁ ବଡ଼ ଉପହାର । ୨୦୨୩ ହକି ବିଶ୍ୱ କପ୍ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି । ସେଥିପାଇଁ ରାଉରକେଲାରେ ବିଶ୍ୱସ୍ତରୀୟ ହକି ଷ୍ଟାଡିଅମ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ ହୋଇଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

Leave a Reply