୧୪ତମ ରାଷ୍ଟ୍ରପତି କୋବିନ୍ଦଙ୍କ ବିଦାୟକାଳିନ ଅଭିଭାଷଣ, କହିଲେ ଭାରତର ଗଣତନ୍ତ୍ର ସବୁଠୁ ସ୍ୱତନ୍ତ୍ର

ନୂଆଦିଲ୍ଲୀ: ୧୪ତମ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ବିଦୀୟ କାଳୀନ ଅଭିଭାଷଣ । ଶେଷଥର ପାଇଁ ରାଷ୍ଟ୍ରପତି ଭାବେ ଦେଶବାସୀଙ୍କୁ ସମ୍ବୋଧିତ କଲେ ଶ୍ରୀ କୋବିନ୍ଦ । ବିଦାୟୀ ଭାଷଣରେ କହିଛନ୍ତି, ଆଜି ମୋର କାର୍ଯ୍ୟକାଳ ସରୁଛି, ଦେଶବାସୀଙ୍କ ପାଖରେ କୃତଜ୍ଞ । ଏହି ଅବସରରେ ସେ କହିଛନ୍ତି ନିଷ୍ଠାବାନ ନାଗରିକ ବାସ୍ତବରେ ଦେଶ ନିର୍ମାଣ କରୁଛନ୍ତି ।  ଆମ ସୈନିକମାନଙ୍କ ଦେଶପ୍ରେମ ଅତୁଟ ରହିଛି । ସେମାନଙ୍କ ବଳିଦାନ ପାଇଁ ଦେଶବାସୀ ସୁରକ୍ଷିତ ଅଛନ୍ତି ।ନିଜ ସମ୍ବୋଧନରେ ଶ୍ରୀ କୋବିନ୍ଦ କହିଛନ୍ତି, ଏତେ ଭଲପାଇବା ଏବଂ ସମ୍ମାନ ଦେଇଥିବାରୁ ସବୁ ଦେଶବାସୀଙ୍କୁ କୃତଜ୍ଞ ।

ମୋ କାର୍ଯ୍ୟକାଳ ସମୟରେ ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ ଆୟୋଜନ କରାଯାଇଛି । ରାଷ୍ଟ୍ରପତି ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜୟନ୍ତି ଏବଂ ଆଜିଦି କି ଅମୃତ  ମହୋତ୍ସବ ଅନ୍ୟତମ । ମୁଁ ଏହି ଦୁଇ ଐତିହାସିକ ଅବସର ସହ ସମ୍ବନ୍ଧିତ ଅତ୍ୟନ୍ତ ପ୍ରଭାବଶାଳୀ ଆୟୋଜନ ପାଇଁ ଦେଶର ଜନତା ଏବଂ ସରକାରଙ୍କୁ ଧନ୍ୟବାଦ ଦେଉଛି । ଡାକ୍ତର ରାଜେନ୍ଦ୍ର ପ୍ରସାଦ, ରାଧାକୃଷ୍ଣନ ଏବଂ ଡା. ଅବଦୁଲ କାଲାମ ଭଲି ମହାନ ବ୍ୟକ୍ତିଙ୍କ ଉତ୍ତରାଧିକାରୀ ହୋଇଥିବାରୁ ପଦରେ ରହିବା ସମୟରେ ସବୁବେଳେ ସଚେତନ ରହିଥିଲି । ବାବା ସାହେବ ସାମାଜିକ ଗଣତନ୍ତ୍ରର କଥା କହିଥିଲେ ।

ଭାରତର ଗଣତନ୍ତ୍ର ସବୁଠୁ ଅନନ୍ୟ । ମୁଁ ଏକ ସାଧାରଣ ପରିବାରରୁ ହୋଇଥିଲେ ମଧ୍ୟ ଦେଶର ରାଷ୍ଟ୍ରପତି ଭାବେ ଆଜି ସମ୍ବୋଧିତ କରୁଛି । ଭାରତୀୟ ଗଣତନ୍ତ୍ର ପ୍ରତ୍ୟେକ ବ୍ୟକ୍ତିକୁ ସୁଯୋଗ ଦେଇଥାଏ । ଏହିସମୟରେ ନିଜ ପୈତୃକ ଗାଁ କଥା ମଧ୍ୟ ମନେପକାଇଥିଲେ ଶ୍ରୀ କୋବିନ୍ଦ । କହିଥିଲେ, ରାଷ୍ଟ୍ରପତି କାର୍ଯ୍ୟକାଳ ସମୟରେ ନିଜ ପୈତୃକ ଗାଁକୁ ଗସ୍ତ କରିବା ଏବଂ ମୋର କାନପୁର ସ୍କୁଲରେ ବୟୋଜଷ୍ଠ ଶିକ୍ଷକଙ୍କ ଆଶୀର୍ବାଦ ନେବା ପାଇଁ ସେମାନଙ୍କ ପାଦ ଛୁଇଁବା ସବୁବେଳେ ମୋ ଜୀବନର ସବୁଠୁ ସ୍ମରଣୀୟ ମୁହୂର୍ତ୍ତ ମଧ୍ୟରୁ ଗୋଟିଏ ରହିବ । ମୋ କାର୍ଯ୍ୟକାଳ ସମୟରେ ସମସ୍ତଙ୍କ ସହଯୋଗ ମିଳିଛି ।

ମୋ କାର୍ଯ୍ୟକାଳ ସମୟରେ ଅନେକ ପ୍ରତିଭାଙ୍କୁ ଭେଟିଛି । ମୋ ପିଲା ଜୀବନ ମାଟିଘରେ କଟିଛି । ମୁଁ ପିଲାଦିନୁ ଦେଶ ପାଇଁ କିଛି କରିବାକୁ ଚାହୁଁଥିଲି । ଦେଶ ଗଣତନ୍ତ୍ରର ରାସ୍ତାରେ ଆଗକୁ ବଢ଼ୁଛି । ଭାରତର ଗଣତନ୍ତ୍ର ସମସ୍ତଙ୍କୁ ସୁଯୋଗ ଦେଇଛି । ଦେଶର ସଂସ୍କୃତିକୁ ଉଜ୍ଜୀବିତ ରଖିବା ପାଇଁ ଯୁବଗୋଷ୍ଠୀଙ୍କର ପ୍ରମୁଖ ଭୂମିକା ରହିବା ଦରକାର । ଗାଁ ସଂସ୍କୃତିକୁ କେହି ନଭୁଲିବା ଆବଶ୍ୟକ । ସୂଚନାଯୋଗ୍ୟ, ଆଜି ମଧ୍ୟରାତ୍ରୀ ସୁଦ୍ଧା ତାଙ୍କର କାର୍ଯ୍ୟକାଳ ସମାପ୍ତ ହେବାକୁ ଯାଉଛି । ଆସନ୍ତାକାଲି ଦେଶର ୧୫ତମ ରାଷ୍ଟ୍ରପତି ଭାବେ ଶପଥ ନେବେ ଦ୍ରୌପଦୀ ମୁର୍ମୁ ।